ଟିକିଟ୍‌ରେ ୩୦୧୩ ମସିହା ଦେଖି ପ୍ରଫେସର୍‌ଙ୍କୁ ଓହ୍ଲାଇ ଦେବା ପରେ ଖାଉଟି ଅଦାଲତରେ ଜରିମାନା ଗଣିଲା ରେଳବାଇ

Advertisment
ଟିକିଟ୍‌ରେ ୩୦୧୩ ମସିହା ଦେଖି ପ୍ରଫେସର୍‌ଙ୍କୁ ଓହ୍ଲାଇ ଦେବା ପରେ ଖାଉଟି ଅଦାଲତରେ ଜରିମାନା ଗଣିଲା ରେଳବାଇ

ମିରଟ: ଭୁଲ୍‌ କ୍ରମେ ଜଣେ ୭୩ ବର୍ଷିୟ ଯାତ୍ରୀ କାଟିଥିବା ଟିକିଟ୍‌ରେ ହଜାର ବର୍ଷର ଆଗୁଆ ତାରିଖ ପଡ଼ି ଥିବାରୁ ତାଙ୍କୁ ବଳପୂର୍ବକ ଟ୍ରେନ୍‌ରୁ ଓହ୍ଲାଇ ଦିଆଯାଇଥିଲା। ଏହି ମାମଲାରେ ସହରଣପୁର ଖାଉଟି ଅଦାଲତ୍‌ ମଙ୍ଗଳବାର ଦିନ ରେଳବାଇ ଉପରେ ଜରିମାନା କରିଛନ୍ତି।

୨୦୧୩ ମସିହା ନଭେମ୍ବର ୧୯ ତାରିଖ ଦିନ ସହରଣପୁର ରୁ ଜଉନପୁର ଯାତ୍ରା ସକାଶ ବିଷ୍ଣୁକାନ୍ତ ଶୁକ୍ଳ ନାମକ ଜଣେ ଅବସରପ୍ରାପ୍ତ ପ୍ରଧ୍ୟାପକ ହିମଗିରି ଏକ୍ସ୍‍ପ୍ରେସ୍‌ରେ ଚଢ଼ିଥିଲେ। କିନ୍ତୁ ତାଙ୍କ ଟିକିଟ୍‌ରେ ତାରିଖ ସ୍ଥାନରେ ଉଲ୍ଲେଖ ଥିଲା ୩୦୧୩ ମସିହା।

ସହରଣପୁରସ୍ଥିତ ଜେଭି ଜୈନ୍‌ ଡିଗ୍ରି କଲେଜର ହିନ୍ଦୀ ବିଭାଗର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଥିବା ଶୁକ୍ଳ କହନ୍ତି: ନକଲି ଟିକିଟ୍‌ରେ ଯାତ୍ରା କରିବା ବ୍ୟକ୍ତି ମୁଁ ନୁହେଁ। କିନ୍ତୁ, ଜଣେ ଟିଟିଇ ସମସ୍ତଙ୍କ ସମ୍ମୁଖରେ ମୋତେ ଅପମାନ ଦେଇ ୮୦୦ ଟଙ୍କା ଜରିମାନା ମାଗିବା ସହ ମତେ ଟ୍ରେନ୍‌ରୁ ଓହ୍ଲାଇ ଦେଲେ। ମୋର ଜଣେ ବନ୍ଧୁଙ୍କର ପତ୍ନୀଙ୍କର ଦେହାନ୍ତ ହୋଇ ଯାଇଥିବାରୁ ସେ ଦିନର ଯାତ୍ରା ଥିଲା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ।

ପରେ ସହରଣପୁର ଫେରି ଶୁକ୍ଳ ରେଳବାଇ ବିରୋଧରେ ଖାଉଟି ଅଦାଲତରେ ଏକ ମାମଲା ରୁଜୁ କଲେ।

୫ ବର୍ଷ ଧରି ମାମଲା ଚାଲିଲା। ମଙ୍ଗଳବାର ଦିନ ଶୁକ୍ଳଙ୍କ ସପକ୍ଷରେ ରାୟ ଦେଲେ। ଶୁକ୍ଳଙ୍କୁ ମାନସିକ ନିର୍ଯାତନା ଦେବା ବାବଦରେ ୧୦ ହଜାର ଟଙ୍କା ଏବଂ କ୍ଷତି ପୂରଣ ବାବଦରେ ଅତିରିକ୍ତ ୩ ହଜାର ଟଙ୍କା ଜରିମାନା ଦେବା ପାଇଁ ଖାଉଟି ଅଦାଲତ ରେଳବାଇକୁ ଆଦେଶ ଦେଇଛନ୍ତି।

ଅଦାଲତ କହିଲେ: ଯାତ୍ରା ମଝିରେ ଜଣେ ବୟୋବୃଦ୍ଧ ଲୋକଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଦିଆଯିବା ଗୋଟାଏ ବଡ଼ ଶାରୀରିକ ଓ ମାନସିକ ନିର୍ଯାତନାର କାରଣ। ରେଳ ବିଭାଗ ଯୋଗାଉ ଥିବା ସେବାରେ ତ୍ରୁଟି ଅଛି ବୋଲି ସ୍ପଷ୍ଟ ଜଣା ପଡୁଛି।

ଏ ବାବଦରେ ରେଳ ବିଭାଗ ଅଧିକାରୀମାନେ କୌଣସି ମତାମତ ଦେବାକୁ ମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe