Image Courtesy of India Today
ନୂଆଦିଲ୍ଲୀ: ଘନ କୁହୁଡ଼ି ସମୟରେ ଘଣ୍ଟା ପ୍ରତି ୧୦୦ କିଲୋମିଟର୍ରୁ ଊର୍ଦ୍ଧ୍ୱ ବେଗରେ ନିରାପଦରେ ଟ୍ରେନ୍ ଚଳାଇବାକୁ ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ ପ୍ରଚଳନ କରିବାକୁ ଯାଉଛି ଏକ ଇନ୍ଫ୍ରା ରେଡ୍ ଉପକରଣ।
‘ତ୍ରିନେତ୍ର’ ନାମକ ଏହି ଉପକରଣର ପରୀକ୍ଷଣ ସରିଛି। ଏହାକୁ ଯାତ୍ରୀବାହୀ ଟ୍ରେନ୍ରେ ଲଗାଇବାକୁ କର୍ତ୍ତୃପକ୍ଷମାନେ ସମ୍ମତି ପ୍ରଦାନ କରିଛନ୍ତି।
ଏହି ଉପକରଣଟି ଇନ୍ଫ୍ରା ରେଡ୍ ଏବଂ ଲେଜର୍ ରଶ୍ମି ସହାୟତାରେ ଧାରଣା ଉପରେ କୌଣସି ଜିନିଷ ଥିଲେ ତାହା ଦୁଇ କିଲୋମିଟର ପୂର୍ବରୁ ଜଣାଇ ଦେବ। ରେଳ ଇଞ୍ଜିନ୍ରେ ଲାଗିଥିବା ଏକ ସ୍କ୍ରିନ୍ ଉପରେ ସେ ସଂକ୍ରାନ୍ତ ସୂଚନା ମଧ୍ୟ ପ୍ରଦର୍ଶୀତ ହେବ।
ରେଳ ଧାରଣାରେ ହୋଇ ଥିବା ସାମାନ୍ୟ କ୍ଷତି ବା ଫାଟକୁ ମଧ୍ୟ ଏହି ଉପକରଣ ଆଗୁଆ ଠାବ କରି ଟ୍ରେନ୍ ଦୁର୍ଘଟଣାକୁ ଏଡ଼ାଇ ପାରିବ। ରେଳବାଇର ମେକାନିକାଲ୍ ଶାଖା ‘ତ୍ରିନେତ୍ର’କୁ ବିକଶିତ କରିଛି।
Image Courtesy of Wikipediaପରୀକ୍ଷା ସମୟରେ ରେଳଧାରଣାରେ ଥିବା ଛୋଟକାଟିଆ ଜିନିଷକୁ ସଫଳତାର ସହ ୫୦୦ ମିଟର୍ ଆଗରୁ ଚିହ୍ନଟ କରି ‘ତ୍ରିନେତ୍ର’ ସୂଚନା ଦେଇଥିଲା। ଧାରଣାରେ ଥିବା ଅତି ସାମାନ୍ୟ ତ୍ରୁଟିକୁ ମଧ୍ୟ ଏହା ଡ୍ରାଇଭର୍ଙ୍କୁ ସୂଚନା ଦେଇଥିଲା।
ଟ୍ରେନ୍-ଟ୍ରେନ୍ ମଧ୍ୟରେ ଧକ୍କା, ଧାରଣାଚ୍ୟୁତି ଏବଂ ମାନବବିହୀନ ରେଳ ଫାଟକ ଆଦିରେ ଘଟୁଥିବା ଦୁର୍ଘଟଣା ‘ତ୍ରିନେତ୍ର’ ଦ୍ୱାରା ଏଡ଼ାଇ ହେବ। ରାଡାର ଭିତ୍ତିକ ଏହି ପଦ୍ଧତି ଟ୍ରାକ୍ରେ ଥିବା ଯେ କୌଣସି ବାହ୍ୟ ପ୍ରତିବନ୍ଧକକୁ ଠାବ କରି ନିର୍ଭୁଲ ସୂଚନା ଦେଇ ପାରୁଛି ବୋଲି ରେଳବାଇ ମନ୍ତ୍ରାଳୟ ଅଧିକାରୀ କହିଛନ୍ତି।
ଗତବର୍ଷ ତ୍ରିନେତ୍ରର ପରୀକ୍ଷଣ କରିଥବା ରେଳ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ଅଫିସ ଆଗରେ ମଧ୍ୟ ଏହାର ଡେମୋନ୍ଷ୍ଟ୍ରେସନ୍ କରିଥିଲା।
ଗତ ଦୁଇ ଦଶନ୍ଧି ହେବ ରେଳବାଇ ରେଳ ଦୁର୍ଘଟଣା ଏଡ଼ାଇବା ପାଇଁ ଏକ ଫଳପ୍ରଦ ପ୍ରତିରକ୍ଷା ଓ ସତର୍କ ସୂଚନା ବ୍ୟବସ୍ଥା ପାଇଁ ଚେଷ୍ଟା ଚଳାଇ ଆସୁଛି।
Image Courtesy of Daily Mailଏଥିପାଇଁ ଅଦ୍ୟାବଧି ବହୁ ଉପକରଣ ପରୀକ୍ଷା କରାଯାଇ ଥିଲେ ମଧ୍ୟ ଆଶାନୁରୂପ ଫଳ ମିଳି ନ ଥିଲା।
ନୂଆଦିଲ୍ଲୀ-ଚଣ୍ଡିଗଡ଼ ଶତାବ୍ଦୀ ଏକ୍ସପ୍ରେସ୍ ସମେତ ୧୦୦ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଉପରେ ସଫଳତାର ସହ ତ୍ରିନେତ୍ରର ପରୀକ୍ଷଣ କରାଯାଇଛି।
ଗତ କିଛି ବର୍ଷ ହେବ ବାରମ୍ବାର ରେଳ ଦୁର୍ଘଟଣା ଘଟୁଥିବାରୁ ତ୍ରିନେତ୍ରର ପ୍ରଚଳନ ଏକ ଉଲ୍ଲେଖଯୋଗ୍ୟ ଘଟଣା ହେବ। ୨୦୧୫ରେ ହୋଇଥିବା ୨୫୦ଟି ରେଳ ଦୁର୍ଘଟଣାରୁ ଅଧିକାଂଶ ଦୁର୍ଘଟଣା ଟ୍ରାକ୍ ନଷ୍ଟ ହୋଇଥିବା ଏବଂ କୁହୁଡ଼ିଆ ପାଗ ଯୋଗୁଁ ସଂଘଟିତ ହୋଇଥିଲା।
ରାତି ଏବଂ କୁହୁଡ଼ିଆ ପାଗରେ ଏହି ନୂତନ ଉପକରଣଟି ଅଧିକ ଉପାଦେୟ ହେବ ବୋଲି ଅଧିକାରୀମାନେ କହିଛନ୍ତି। ଏ ଭଳି ପରିସ୍ଥିତିରେ ରେଳ ଡ୍ରାଇଭରମାନେ ପରିସ୍ଥିତିର ଅନୁଧ୍ୟାନ କରିବାକୁ ସର୍ବଦା ବାହାରକୁ ଚାହିଁ ଥାଆନ୍ତି।
Image Courtesy of Sakshiଜାନୁଆରି ମାସରେ ଏହି ଉପକରଣ ଖଞ୍ଜିବାକୁ ରେଳବାଇ ଟେଣ୍ଡର୍ ଡାକିବ। ଯୋଜନାନୁସାରେ, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪ ହଜାର ଟ୍ରେନ୍ରେ ତ୍ରିନେତ୍ର ଲଗାଯିବ।
ପ୍ରଥମ ପର୍ଯ୍ୟାୟ ଲାଗୁହେବ ଉତ୍ତର ରେଳ ଜୋନ୍ରେ। ସେ ଅଞ୍ଚଳରେ କୁହୁଡ଼ି ଯୋଗୁଁ ଅଧିକାଂଶ ଦିନ ରେଳ ଚଳାଚଳ ବ୍ୟାହତ ହେଉଛି।
ପ୍ରବଳ ବର୍ଷା ସମୟରେ ମଧ୍ୟ ଏହି ଉପକରଣଟି ସହାୟକ ହେବ। ଆସନ୍ତା ବର୍ଷ ଶୀତଋତୁ ପୂର୍ବରୁ ସବୁ ଟ୍ରେନ୍ରେ ତ୍ରିନେତ୍ର ଲଗାଇବାକୁ ରେଳବାଇ ଯୋଜନା କରୁଛି।
Follow Us