ବେଙ୍ଗାଲୁରୁରେ ବର୍ଷା ବିଭୀଷିକା: ୨ ପୁଲିସ କନେଷ୍ଟବଳଙ୍କ ସମେତ ୫ ମୃତ

Advertisment

ଜଳବନ୍ଦି ସମସ୍ୟାକୁ ନେଇ ବିଜେପି-କଂଗ୍ରେସ କଳି

ଜଳବନ୍ଦି ସମସ୍ୟାକୁ ନେଇ ବିଜେପି-କଂଗ୍ରେସ କଳି

ବେଙ୍ଗାଲୁରୁରେ ବର୍ଷା ବିଭୀଷିକା: ୨ ପୁଲିସ କନେଷ୍ଟବଳଙ୍କ ସମେତ ୫ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ସମଗ୍ର ସହର ଜଳମଗ୍ନ ହୋଇଯାଇଥିବା ବେଳେ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ବେଙ୍ଗାଲୁରୁରେ ୨ ପୁଲିସ କନେଷ୍ଟବଳଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ରହିଛି। ୨ ଦିନର ଲଗାଣ ବର୍ଷାରେ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବା ଜନସାଧାରଣ ଘୋର ହଟହଟାର ସମ୍ମୁଖୀନ ହୋଇଛି। ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଯାତାୟତ କ୍ଷେତ୍ରରେ ସଙ୍କଟ ବଢ଼ିଚାଲିଛି। ୨ ଦିନ ଧରି ବେଙ୍ଗାଲୁରୁରେ ସ୍କୁଲ୍‌ ବନ୍ଦ ରହିଛି। ଅଫିସ୍‌ରେ ପହଞ୍ଚିବା ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଉଦ୍ଧାର କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷ ମଧ୍ୟ ଟ୍ରାକ୍ଟର ବ୍ୟବହାର କରିଛନ୍ତି। ବର୍ଷା ପାଇଁ ଜଣେ ୨୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ସହରତଳି ଅଞ୍ଚଳରେ ମଧ୍ୟ ବର୍ଷା ଯୋଗୁଁ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚୁନଥିବାରୁ ଜନ ଅସନ୍ତୋଷ ଚରମରେ ପହଞ୍ଚିଲାଣି। ସହର‌ରେ ସବୁଠି ପାଣିର ସୁଅ ଛୁଟିଛି, କିନ୍ତୁ ଅଧିକାଂଶ ଲୋକଙ୍କ ପାଖରେ ପିଇବା ପାଣି ନାହିଁ। ପମ୍ପିଂ ଷ୍ଟେସନ୍‌ ବୁଡ଼ି ଯାଇଥିବାରୁ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ଅନ୍ୟପକ୍ଷେ ଆସନ୍ତା ସପ୍ତାହାନ୍ତ ପର୍ଯ୍ୟନ୍ତ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।

ବେଙ୍ଗାଲୁରୁ ସହର ଜଳବନ୍ଦି ସମସ୍ୟାକୁ ନେଇ ବିଜେପି-କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବେଙ୍ଗାଲୁରୁରେ ବର୍ତ୍ତମାନର ସ୍ଥିତି ପାଇଁ ପୂର୍ବ କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ ବୋମ୍ମାଇ କହିଛନ୍ତି, ବେଙ୍ଗାଲୁରୁରେ ଅପ୍ରତ୍ୟାଶିତ ବର୍ଷା ହୋଇଛି। ବିଗତ ୯୦ ବର୍ଷ ଧରି ଏଭଳି ବର୍ଷା ହେଉଛି। କିନ୍ତୁ ପୂର୍ବ କଂଗ୍ରେସ ସରକାରର ଭୁଲ୍‌ ଯୋଜନା ପାଇଁ ଏଭଳି ସ୍ଥିତି ଉପୁଜିଛି। କଂଗ୍ରେସ ସରକାର ସମୟର ଖରାପ ନୀତି ଓ କାର୍ଯ୍ୟ ପାଇଁ ଏହି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ‌ବୋମାଇଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସର କର୍ଣ୍ଣାଟକ ସଭାପତି ଡିକେ ଶିବକୁମାର। ବର୍ତ୍ତମାନର ବିଜେପି ସରକାର ଏବଂ ଏହାର ଅଧିକାରୀମାନେ ବର୍ତ୍ତମାନ ସ୍ଥିତି ପାଇଁ ଦାୟୀ ବୋଲି ସେ କହିଛନ୍ତି।

publive-image

ବନ୍ୟାପ୍ଳାବିତ ରାସ୍ତାରେ ପଡ଼ି ମହିଳାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ରାସ୍ତାରେ ବର୍ଷାପାଣି ଜମି ରହିଥିବା ବେଳେ ସ୍କୁଟିରେ ଆସୁଥିବା ଜଣେ ମହିଳା ସେଥିରେ ପଡ଼ିଯାଇଥିଲେ। ଖସଡ଼ିଯାଇ ବର୍ଷାପାଣିରେ ନିକଟସ୍ଥ ଚାର୍ଜ ହୋଇ ରହିଥିବା ବିଦ୍ୟୁତ୍‌ ଖୁଣ୍ଟରେ ଲାଗିବା ପରେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସରକାରଙ୍କ କୁପରିଚାଳନା ଓ ଅବହେଳା ଯୋଗୁ ଏହା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ନିହତ ୨୩ ବର୍ଷୀୟା ମହିଳାଙ୍କ ନାମ ଅଖିଳା। ସୋମବାର ରାତିରେ ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ହ୍ବାଇଟ୍‌ଫିଲ୍‌ଡ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଅଖିଳାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସରକାର ରାସ୍ତାଘାଟର ଠିକ୍‌ ରକ୍ଷଣାବେକ୍ଷଣ କରୁ ନ ଥିବାରୁ ଠାଏଠାଏ ଆଣ୍ଠୁଏ ପାଣି ଜମି ରହୁଛି। ସେଥିରେ ପଡ଼ି ଲୋକେ ଆହତ ବି ହେଉଛନ୍ତି ଏବଂ ଗାଡ଼ି ମଟର ଦୁର୍ଘଟଣା ବଢ଼ିଚାଲିଛି। ଅଖିଳା ସେହିପରି ଆହତ ହୋଇ ହୁଏତ ବଞ୍ଚିଯାଇ ପାରିଥାନ୍ତେ। କିନ୍ତୁ ବିଦ୍ୟୁତ୍ ବିଭାଗର ଅବହେଳାରୁ ବର୍ଷାରେ ବିଦ୍ୟୁତ୍ ଖୁଣ୍ଟି ଚାର୍ଜ ହୋଇ ରହିଥିବାରୁ ବିଦ୍ୟୁତ୍ ଆଘାତରେ ତାଙ୍କର ଅକାଳ ମୃତ୍ୟୁ ଘଟିଲା। ତେଣୁ ତାଙ୍କର ମୃତ୍ୟୁ ପାଇଁ ଏହି ଦୁଇ ବିଭାଗ ତଥା ସରକାରଙ୍କୁ ଦାୟୀ କରାଯାଇଛି। ରାସ୍ତାରେ ପାଣି ଜମିବା ପାଇଁ କିଛି ଲୋକ ନାଳନର୍ଦ୍ଦମା ଅବରୋଧ କରିବାକୁ ପୌର ନିଗମ ଦାୟୀ କରିଥିବା ବେଳେ ବିଦ୍ୟୁତ୍ ବିଭାଗ ଘଟଣାର ଅନୁସନ୍ଧାନ କରିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe