ନୂଆଦିଲ୍ଲୀ: ଅସହ୍ୟ ତାତି ଏବଂ ତତଲା ପବନ ଯୋଗୁଁ ଉତ୍ତର ଭାରତ ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଛି। ତେବେ ଉତ୍ତର ଭାରତ ପାଇଁ ଖୁସି ଖବର ହେଉଛି ଯେ ଜୁନ୍ ୧୮ରୁ ବର୍ଷା ହେବ ଏବଂ ଗରମରୁ ମୁକ୍ତି ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏବଂ ଏହା ଉତ୍ତର ଭାରତର ଅନ୍ୟ ରାଜ୍ୟକୁ ପ୍ରଭାବିତ କରିଛି। ସ୍ୱଚ୍ଛ ଆକାଶ ସାଙ୍ଗକୁ ଶୁଷ୍କ ପଶ୍ଚିମ ପବନ ଜାରି ରହିଛି ଏବଂ ଏହା ତାପମାତ୍ରା ବଢ଼ାଉଛି। କିନ୍ତୁ ଜୁନ୍ ୧୮ରୁ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ସମ୍ଭାବନା ରହିଥିବା ସ୍କାଏମେଟ ପୂର୍ବାନୁମାନ କରିଛି। ଉତ୍ତରାଖଣ୍ଡରୁ ଉତ୍ତର-ପୂର୍ବ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଭଲ ବର୍ଷା ସମ୍ଭାବନା ରହିଥିବା କୁହାଯାଇଛି। ଜୁନ୍ ୧୮ ତାରିଖ ସନ୍ଧ୍ୟାରୁ ପଞ୍ଜାବର ପଶ୍ଚିମ ଭାଗରେ ବିକ୍ଷିପ୍ତ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ଏହାପରେ ଜୁନ୍ ୧୯ରୁ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବ। ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଆକଳନ କରାଯାଇଛି। ଏହି ସମୟରେ ଉତ୍ତର-ପଶ୍ଚିମ ରାଜସ୍ଥାନରେ ବିକ୍ଷିପ୍ତ ବର୍ଷା ଓ ଧୂଳିଝଡ଼ ହୋଇପାରେ। ତେବେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର)ରେ ସେତେଟା ବର୍ଷା ହେବା ସମ୍ଭାବନା ନାହିଁ। ଏଠାରେ ଜୁନ୍ ୨୦ରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଜୁନ୍ ୨୨ ସୁଦ୍ଧା ମୌସୁମୀ ପୂର୍ବ ଉତ୍ତରପ୍ରଦେଶରେ ଉପସ୍ଥିତି ଜାହିର କରିବ ବୋଲି ଆକଳନ କରାଯାଇଛି।
ଉତ୍ତର ଭାରତରେ ଗରମରୁ ଆଶ୍ୱସ୍ତି ଆଣିବ ବର୍ଷା
Advertisment
Follow Us