ରାୟପୁରରେ ମହାସମାରୋହରେ ବାହୁଡ଼ାଯାତ୍ରା ସମ୍ପନ୍ନ

Advertisment
ରାୟପୁରରେ ମହାସମାରୋହରେ ବାହୁଡ଼ାଯାତ୍ରା ସମ୍ପନ୍ନ
ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଗାୟତ୍ରୀ ନଗରରେ ଥିବା ରାଜ୍ୟର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ବାହୁଡ଼ାଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀ ମା' ଘରର ଆଡ଼ପ ମଣ୍ଡପ ସାମ୍ନାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅପରାହ୍ନ ସୁଦ୍ଧା ସମ୍ପନ୍ନ କରାଯାଇଥିଲା। ପାଞ୍ଚଟା ବେଳେ ଚାରି ଠାକୁରଙ୍କୁ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ତିନି ରଥ ଉପରକୁ ନିଆଯାଇଥିଲା। ଏହାପରେ ମୁଖ୍ୟଅତିଥି ଛତିଶଗଡ ବିଧାନସଭାର ବାଚସ୍ପତି ରମଣ ସିଂହ ଏବଂ ସମ୍ମାନିତ ଅତିଥି ବିରୋଧୀ ଦଳର ନେତା ଚରଣ ଦାସ ମହନ୍ତ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଅପରାହ୍ନରୁ ଏଠାରେ ହେଉଥିବା ମୁଷଳ ଧାରାରେ ବର୍ଷା ସତେ ଯେପରି ଆକାଶରୁ ମହାପ୍ରଭୁଙ୍କର ଆଶିଷ ବର୍ଷଣ ସଦୃଶ ପ୍ରତୀୟମାନ ହେଉଥିଲା।
ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ରଥ ଟଣାର ଶୁଭାରମ୍ଭ କରଯାଇଥିଲା। ଉପସ୍ଥିତ ଭକ୍ତମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜ ମଧ୍ୟରେ ମନ୍ଦିର ବେଢା ସାମନାରେ ରାଜକୀୟଠାଣିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ରଥ ଗୁଡ଼ିକ ଗଡି ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ବେଢ଼ା ଚତୁଃପାର୍ଶ୍ୱ ଭ୍ରମଣ କରି ରଥ ଗୁଡ଼ିକ ମୁଖ୍ୟ ମନ୍ଦିର ସାମ୍ନାକୁ ଆସିଯାଇଥିଲା। ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ। କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା। ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରଯାଇଥିଲା। ସନ୍ଧ୍ୟା ୭ଟା ବେଳେ ସାହି ରୋଷଣୀ କରାଯାଇ ଶ୍ରୀ ଜୀଉ ମାନଙ୍କୁ ମନ୍ଦିର ମଧ୍ୟକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା।
publive-image
ବାହୁଡ଼ାଯାତ୍ରାର ସମଗ୍ର ଅୟୋଜନକୁ ସୂଚାରୁ ରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଂରକ୍ଷକ ଯଥା ସଭାପତି ପୁରନ୍ଦର ମିଶ୍ର ସଦସ୍ୟ ବୃନ୍ଦ ଯଥା ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ବାରିକାଧୀଶ ମିଶ୍ର, ଗୁଣନିଧି ମିଶ୍ର ଓ ପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe