MSN
ଜୟପୁର: କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରେ ଏବେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମହିଳାମାନଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ଭାରତରେ ମହିଳାମାନେ ପିଲା ଜନ୍ମ କରିବାକୁ ଏବଂ ବାପାମାଆଙ୍କୁ ପାଖରେ ରଖିବାକୁ ଆଗ୍ରହୀ ନଥିବା କହିବାର ଦୁଇ ଦିନ ପରେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦୋତସ୍ରା ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଗତକାଲି ଜୟପୁରଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେଉଁ ବିଦ୍ୟାଳୟରେ ମହିଳା କର୍ମଚାରୀ ବା ଶିକ୍ଷୟିତ୍ରୀମାନେ ଅଧିକ ରହିଛନ୍ତି ସେଠାରେ ବେଶି ଝଗଡ଼ା ହେଉଛି। ବିଭିନ୍ନ କାରଣ ପାଇଁ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଝଗଡ଼ା ହେଉଛି। ଯଦି ମହିଳା କର୍ମଚାରୀମାନେ ଏହି ଛୋଟ ଛୋଟ ଭୁଲକୁ ସୁଧାରି ପାରିବେ ତା’ହେଲେ ସେମାନେ ପୁରୁଷମାନଙ୍କ ତୁଳନାରେ ସବୁବେଳେ ଆଗରେ ରହିବେ ବୋଲି ଦୋତସ୍ରା କହିଛନ୍ତି। ରାଜସ୍ଥାନ ସରକାର ସବୁବେଳେ ମହିଳାମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ଧ୍ୟାନ ଦେଇ ଆସିଛନ୍ତି। ସେମାନଙ୍କୁ ଭଲ ସ୍ଥାନରେ ନିଯୁକ୍ତି ଦେଇଛନ୍ତି। ଅଧିକାଂଶ ଶିକ୍ଷୟିତ୍ରୀ ସହରରେ କିମ୍ବା ସହର ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତ ଅଛନ୍ତି। ଚାକିରିଠାରୁ ଆରମ୍ଭ କରି ପଦୋନ୍ନତି କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Follow Us