ନୂଆଦିଲ୍ଲୀ: ରାଜସ୍ଥାନର ଶାହପୁରା ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଅଚେତ ହୋଇପଡ଼ିଥିଲେ। ବାପା ଓ ମା’ଙ୍କ ଏଭଳି ଅବସ୍ଥା ଦେଖି ପୁଅ ବି ଅଚେତ ହୋଇପଡ଼ିଥିଲେ। ଅଚେତ ତିନିଜଣଙ୍କୁ ହସ୍ପିଟାଲ ନିଆଯିବାରୁ ସେଠାରେ ଡାକ୍ତର ବାପା, ମା’ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ। ପରିବାରର ତିନିଜଣ ସଦସ୍ୟଙ୍କ ଏକାଠି କୋକେଇ ଉଠିବା ଦେଖି ମୃତକଙ୍କ ଗ୍ରାମବାସୀ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ସ୍ତବ୍ଧ ହୋଇଯାଇଥିଲେ।
ସୂଚନାଯୋଗ୍ୟ, ଶାହପୁରା ଜିଲ୍ଲା କୋଟଡ଼ି ବ୍ଲକର ବଡ଼ଲିୟାସ ଗ୍ରାମର ପୂର୍ବତନ ଉପସରପଞ୍ଚ ସତ୍ୟନାରାୟଣ ସୋନି ଶନିବାର ସକାଳେ ଚାଷଜମିକୁ ଯାଇଥିଲେ। ଏହି ସମୟରେ ସେ ହଠାତ ସେଠାରେ। ଅଚେତ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ଥିବା ଗ୍ରାମବାସୀମାନେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।
ଏହି ଖବର ଶୁଣିବା ପରେ ସତ୍ୟନାରାୟଣ ସୋନିଙ୍କ ସ୍ତ୍ରୀ ମମତା ଅଚେତ ହୋଇପଡ଼ିଥିଲେ। ମା’ଙ୍କ ଏଭଳି ଅବସ୍ଥା ଦେଖି ଓ ପୁଅ ଆଶୁତୋଷ ବି ଚେତା ହରାଇ ଦେଇଥିଲେ। ଚିକିତ୍ସା ପାଇଁ ମା’ ଓ ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।
ଏକାଠି ହଠାତ ବାପା, ମା’ ଓ ପୁଅଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଯାଞ୍ଚ କରୁଛି। ଖବର ଲେଖାହେଲା ପର୍ଯ୍ୟନ୍ତ ସତ୍ୟନାରାୟଣ ସୋନି,ମମତା ସୋନି ଓ ଆଶୁତୋଷ ସୋନିଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।
Follow Us