ବସ୍ କିଂବା ଟ୍ୟାକ୍ସିରେ ଯିବାକୁ ମନା କରିବାରୁ ଏକାକିନୀ ଆଇନ୍ ଛାତ୍ରୀଙ୍କୁ ନେଇ ରାଞ୍ଚିରେ ପହଞ୍ଚିଲା ରାଜଧାନୀ ଏକ୍ସପ୍ରେସ୍

Advertisment
ବସ୍ କିଂବା ଟ୍ୟାକ୍ସିରେ ଯିବାକୁ ମନା କରିବାରୁ ଏକାକିନୀ ଆଇନ୍ ଛାତ୍ରୀଙ୍କୁ ନେଇ ରାଞ୍ଚିରେ ପହଞ୍ଚିଲା ରାଜଧାନୀ ଏକ୍ସପ୍ରେସ୍

Image Courtesy of Jagaran

ରାଞ୍ଚି: ତୋରି ଜଙ୍କ୍‌ସନ୍‌ରେ ତନା ଭକ୍ତମାନଙ୍କ ଆନ୍ଦୋଳନ ଯୋଗୁଁ ଗୁରୁବାର ଦିନ ଡାଲ୍‌ଟନ୍‌ଗଞ୍ଜ ଷ୍ଟେସନ୍‌ରେ କେତେ ଘଣ୍ଟା ଧରି ଅଟକି ରହିଥିବା ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍ ଜଣେ ମାତ୍ର ଯାତ୍ରୀଙ୍କୁ (ଜଣେ ଏକାକିନୀ ମହିଳା) ଧରି ୧୫ ଘଣ୍ଟା ବିଳମ୍ବରେ ଅର୍ଥାତ୍ ଶୁକ୍ରବାର (ଗତ ରାତି ୧:୪୫) ରାଞ୍ଚିରେ ପହଞ୍ଚିଛି।

ରାଜଧାନୀ ଏକ୍ସପ୍ରେସ୍‌ରେ ଥିବା ବାକି ୯୩୦ଜଣ ଯାତ୍ରୀଙ୍କୁ ଡାଲ୍‌ଟନଗଞ୍ଜ ଷ୍ଟେସନ୍‌ରୁ ବସ୍‌ ଯୋଗେ ରାଞ୍ଚି ପଠାଯାଇଥିଲା। କିନ୍ତୁ, ଜିଲ୍ଲା ପ୍ରଶାସନ ବନ୍ଦୋବସ୍ତ କରିଥିବା ବିକଳ୍ପ ପରିବହନ ବ୍ୟବସ୍ଥା ଗ୍ରହଣ କରିବାକୁ ରେଳବାଇ ଅଧିକାରୀମାନେ ଅନନ୍ୟା ନାମ୍ନା ସେ ମହିଳାଯାତ୍ରୀଙ୍କୁ ବୁଝାଇ ପାରି‌ ନ ଥିଲେ।

ଟ୍ରେନ୍ ଯାତ୍ରା ପାଇଁ ଟଙ୍କା ଦେଇଥିବାରୁ ସେ ବସ୍‌ ଯୋଗେ ଯାତ୍ରା କରିବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ ରେଳ କର୍ତ୍ତୃପକ୍ଷ ଆଇନ୍ ଛାତ୍ରୀ ଅନନ୍ୟାଙ୍କ ଜିଦ୍‌ ଆଗରେ ମଥା ନୋଇଁଥିଲେ ଏବଂ ଗୋମୋହ ଓ ବୋକାରୋ ଦେଇ ଟ୍ରେନ୍‌ର ଗତିପଥ ବଦଳା ଯାଇଥିଲା। ରାଞ୍ଚିରେ ପହଞ୍ଚିବାକୁ ନିୟମିତ ରୁଟ୍‌ରେ ୨୨୫ କିଲୋମିଟର୍‌ ଯାତ୍ରା କରିବାକୁ ପଡୁଥିବା ବେଳେ ବୁଲାଣି ବାଟେ ଟ୍ରେନ୍‌ ୫୩୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା।

publive-image Image Courtesy of Jagaran

ଏ ସଂକ୍ରାନ୍ତରେ ଅନନ୍ୟା କହିଛନ୍ତି, ବସ୍‌ କି ଟ୍ୟାକ୍ସିରେ ଯିବା ଲାଗି ମୋ ଉପରେ ଚାପ ପକାଯାଉଥିଲା, କିନ୍ତୁ ଟ୍ରେନ୍‌ ଯାତ୍ରା ଲାଗି ଅର୍ଥ ପୈଠ କରିଥିବାରୁ ବିକଳ୍ପ ଯାତ୍ରା ଲାଗି ମୁଁ ପ୍ରସ୍ତୁତ ନ ଥିଲି। ଶେଷକୁ ମୁଁ ଟୁଇଟ୍‌ କରି ଭାରତୀୟ ରେଳବାଇକୁ ସୂଚନା ଦେଲି, ସେମାନେ ମୋତେ ଟ୍ରେନ୍‌ରେ ହିଁ ରାଞ୍ଚି ପଠାଇଲେ।

‘ହେଭି ଇଞ୍ଜିନିୟରିଙ୍ଗ୍ କର୍ପୋରେସନ୍‌’ର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଝିଅ ଅନ୍ୟନ୍ୟା ସମ୍ପ୍ରତି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଏଲ୍‌ଏଲ୍‌ବି ଡିଗ୍ରି କରୁଛନ୍ତି।

ଏଠାରେ ସୂଚନାଯୋଗ୍ୟ କି, ଉଭୟ ପୁରୁଷ ଓ ମହିଳାଙ୍କ ସମେତ ୨୫୦ଜଣ ତନା ରେଳ ଧାରଣା ଉପରେ ଭଗତ ପୂଜା, ଭଜନ ଗାୟନ ଏବଂ ରନ୍ଧାବଢ଼ା କରୁଥିବାରୁ କେତେକ ମାଲବାହୀ ଟ୍ରେନ୍‌ ଓ ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍ ଗମନାଗମନ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe