ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ରଜିଆ ସୁଲତାନା ମଧ୍ୟ ଇସ୍ତଫା ଦେଇଛନ୍ତି। ରଜିଆ ସୁଲତାନା ଜଳ ଯୋଗାଣ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ | ସେହିପରି ସୁଲତାନା ଓ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଯୋଗୀନ୍ଦର ଧିଙ୍ଗ୍ରା ଏବଂ ପଞ୍ଜାବ କଂଗ୍ରେସର କୋଷାଧ୍ୟକ୍ଷ ଗୁଲଜର ଇନ୍ଦର ଚହଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରଜିଆ କହିଛନ୍ତି ଯେ ସମସ୍ତେ ଜାଣିଥିଲେ ଯେ କିଛି ଭୁଲ ଘଟିବାକୁ ଯାଉଛି । ସେ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁଙ୍କର କୌଣସିଥିରେ ଲୋଭ ନାହିଁ। ସେ ପଞ୍ଜାବ ଏବଂ ପଞ୍ଜାବବାସୀଙ୍କ ପାଇଁ ଲଢ଼ୁଛନ୍ତି ।
ରଜିଆ ସୁଲତାନା ହେଉଛନ୍ତି ନବଜୋତ ସିଂ ସିଦ୍ଧୁଙ୍କ ଉପଦେଷ୍ଟା ମହମ୍ମଦ ମୁସ୍ତାଫାଙ୍କ ପତ୍ନୀ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂ ସିଦ୍ଧୁ ଆଜି ଇସ୍ତଫା ଦେଇ ଦଳରେ ଏକ ନୂଆ ସଙ୍କଟ ସୃଷ୍ଟି କରିଛନ୍ତି । ରାଜ୍ୟରେ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରାଯିବା ପରେ ସିଦ୍ଧୁ ଇସ୍ତଫା ଦେଇଥିଲେ।
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କିଛି ଜାଣିନାହାଁନ୍ତି। ସେ କହିଛନ୍ତି ଯେ ଯଦି ସିଦ୍ଧୁ ରାଗିଛନ୍ତି ତେବେ ତାଙ୍କ ସହ କଥା ହେବେ । ଚନ୍ନି କହିଛନ୍ତି, "ସିଦ୍ଧୁ ଆମର ଅଧ୍ୟକ୍ଷ ଏବଂ ସେ ଜଣେ ଭଲ ନେତା। ମୋର ତାଙ୍କ ଉପରେ କୌଣସି ଅସନ୍ତୋଷ ନାହିଁ।"
Follow Us