ରାଜୀବ-ବେନାଜିର ତୁଟାଇଥାନ୍ତେ କଶ୍ମୀର ବିବାଦ

Advertisment
ରାଜୀବ-ବେନାଜିର ତୁଟାଇଥାନ୍ତେ କଶ୍ମୀର ବିବାଦ

ଲାହୋର୍‌: କଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଏବଂ ପାକିସ୍ତାନ ପ୍ରତିପକ୍ଷ ସ୍ୱର୍ଗତ ବେନାଜିର୍‌ ଭୁଟୋ ପ୍ରସ୍ତୁତ ଥିଲେ। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହି ବିବାଦର ସ୍ଥାୟୀ ସମାଧାନ କରିବାକୁ ଉଭୟ ରାଜି ଥିଲେ। ମାତ୍ର ୧୯୯୧ ନିର୍ବାଚନ ପ୍ରଚାର ବେଳେ ରାଜୀବଙ୍କୁ ହତ୍ୟା କରାଯିବା ପରେ ଦୁଇ ଦେଶର ଏହି ବୃହତ୍‌ ସ୍ୱାର୍ଥ ଅଧୁରା ରହିଗଲା ବୋଲି ବେନାଜିରଙ୍କ ସ୍ୱାମୀ ତଥା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲି ଜର୍ଦାରି କହିଛନ୍ତି।
ପାକିସ୍ତାନ ପିପୁଲ୍‌ସ ପାର୍ଟି(ପିପିପି)ର ପୂର୍ବତନ ସହଅଧ୍ୟକ୍ଷ ଥିବା ଜର୍ଦ୍ଦାରିଙ୍କ କହିବା ଅନୁସାରେ, ୧୯୯୦ରେ ବେନାଜିର ଏ ପ୍ରସଙ୍ଗରେ ରାଜୀବଙ୍କ ସହ ଆଲୋଚନା କରିଥିଲେ ଏବଂ ଉଭୟ ଏକ ଶାନ୍ତିପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବା ଲାଗି ରାଜି ମଧ୍ୟ ଥିଲେ। ବିଗତ ୧୦ ବର୍ଷ ଭିତରେ ପାକିସ୍ତାନର କୌଣସି ନେତା ଏପରିକି ରାଷ୍ଟ୍ରପତି ଜେନେରାଲ୍‌ ଜିଆ ଉଲ୍‌ ହକ୍‌ ମଧ୍ୟ କଶ୍ମୀର ପ୍ରସଙ୍ଗରେ ଭାରତ ସହ କଥା ହୋଇନାହାନ୍ତି ବୋଲି ରାଜୀବ ସେତେବେଳେ ବେନାଜିରଙ୍କୁ କହିଥିଲେ। ତେଣୁ ବେନାଜିରଙ୍କ ପ୍ରସ୍ତାବକୁ ସେ ସ୍ୱାଗତ କରିବା ସହ ତାଙ୍କ ଦଳ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ଆଲୋଚନା କରିବେ ବୋଲି ରାଜୀବ କହିଥିଲେ। ମାତ୍ର ନିର୍ବାଚନ ପ୍ରଚାରକୁ ଯାଇଥିବା ରାଜୀବ ହତ୍ୟାକାଣ୍ଡର ଶିକାର ହେବା ପରେ କଶ୍ମୀର ସମାଧାନ ଆଉ ଫଳବତୀ ହୋଇନଥିଲା।
ସେହିପରି ପାକିସ୍ତାନର ପିପିପି ଛଡ଼ା ଅନ୍ୟ କୌଣସି ସରକାର କଶ୍ମୀର ସମାଧାନ ପାଇଁ ତତ୍ପର ହୋଇନାହାନ୍ତି ବୋଲି ଜର୍ଦ୍ଦାରି କହିଛନ୍ତି। ଅପରପକ୍ଷେ, ପରଭେଜ୍‌ ମୁସାରଫ ଏ ପ୍ରସଙ୍ଗରେ ଏକ ସମାଧାନ ସୂତ୍ର ଧରି ଆଗେଇ ଆସିଥିଲେ। ମାତ୍ର ଭାରତକୁ ସୁହାଇଲା ଭଳି ଥିବା ସେହି ପ୍ରସ୍ତାବକୁ ଅନ୍ୟ ସେନାଧିକାରୀମାନେ ପସନ୍ଦ କରିନଥିଲେ ବୋଲି ତାଙ୍କ ପାଖରେ ଲିଖିତ ପ୍ରମାଣ ଥିବା ଜର୍ଦାରି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe