ରାଜୀବ ଗାନ୍ଧି ହତ୍ୟା ମାମଲା: ଖଲାସ ହେବେ ସବୁ ଦୋଷୀ

ରାଜୀବ ଗାନ୍ଧି ହତ୍ୟା ମାମଲା: ଖଲାସ ହେବେ ସବୁ ଦୋଷୀ

ନୂଆଦିଲ୍ଲୀ : ରାଜୀବ ଗାନ୍ଧି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ନଳିନୀ ଶ୍ରୀହରନ, ଆରପି ରବିଚନ୍ଦ୍ରନ, ସନ୍ଥାନ, ମୁରୁଗା‌ନ, ରୋବର୍ଟ ପାୟସ ଏବଂ ଜୟକୁମାରଙ୍କୁ ଜେଲ୍‌ରୁ ମୁକ୍ତ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି ଆର୍‌ ଗଭାଇ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଉକ୍ତ ମାମଲାରେ ଅନ୍ୟ ଜଣେ ଦୋଷୀ ଏଜି ପେରାରିବାଲନକୁ ପୂର୍ବରୁ ମୁକ୍ତ କରାଯିବା ବିଷୟକୁ ବିଚାରକୁ ନେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଜି ପେରାରିବାଲଙ୍କୁ ଚଳିତବର୍ଷ ମେ’ରେ ମୁକ୍ତ କରାଯାଇଥିଲା। ପେରାରିବାଲନଙ୍କୁ ମୁକ୍ତ କରିବାପାଇଁ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅଧୀନରେ ନିଜର ଅସାଧାରଣ କ୍ଷମତାର ପ୍ରୟୋଗ କରିଥିଲେ। ପେରାରିବାଲନଙ୍କ ପରି କୋର୍ଟ ଅନ୍ୟ ସମସ୍ତଙ୍କୁ ଏହି ମାମଲାରୁ ଜେଲ୍‌ରୁ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ତାମିଲନାଡ଼ୁ କ୍ୟାବି‌ନେଟର ସୁପାରିସକୁ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ତାମିଲନାଡ଼ୁ କ୍ୟାବିନେଟ୍‌ ଗତ ସେପ୍ଟେମ୍ବର ୯, ୨୦୧୮ରେ ରାଜୀବ ଗାନ୍ଧି ହତ୍ୟା ମାମଲାରେ ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ। ଖଣ୍ଡପୀଠ କହିଛନ୍ତି, ଦୋଷୀମାନେ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଜେଲ୍‌ରେ କଟାଇ ସାରିଛନ୍ତି। ଜେଲ୍‌ରେ ସେମାନଙ୍କ ବ୍ୟବହାର ମଧ୍ୟ ବହୁତ ସନ୍ତୋଷଜନକ ରହିଛି। ତେଣୁ ପେରାରିବାଲନଙ୍କୁ ଯେଭଳି ମୁକ୍ତ କରାଯାଇଛି ଅନ୍ୟମାନଙ୍କୁ ବି ଠିକ୍‌ ସମାନ ଭାବେ ମୁକ୍ତ କରାଯାଉ।
‌ସମସ୍ତ ଦୋଷୀ ୬ ଜଣ ୨୩ରୁ ଅଧିକ ବର୍ଷ ଜେଲ୍‌ରେ କଟାଇ ସାରିଛନ୍ତି। ଉଭୟ ରବିଚନ୍ଦ୍ରନ ଏବଂ ଶ୍ରୀହରନ ଏହି ମାମଲାରେ ଗତବର୍ଷ ଡିସେମ୍ବର ୨୭ରୁ ପାରୋଲରେ ଅଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୁବ୍‌ଶୀଘ୍ର ସମସ୍ତ ଦୋଷୀଙ୍କୁ ମୁକ୍ତ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ୧୯୯୧ ମେ’ ୨୧ ରାତିରେ ତାମିଲନାଡ଼ୁର ଶ୍ରୀପେରୁମବୁଦୁରରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା। ଶ୍ରୀଲଙ୍କାର ଲିବରେସନ ଟାଇଗର୍ସ ଅଫ୍‌ ତାମିଲ ଏଲମ (ଏଲଟିଟିଇ) ଗୋଷ୍ଠୀର ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରୀ ଦ୍ବାରା ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ୨୦୦୦ ମସିହାରେ ରାଜୀବ ଗାନ୍ଧିଙ୍କ ପତ୍ନୀ ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ମାମଲାରେ ନଳିନୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଥିଲା। ଅନ୍ୟ ୬ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ମଧ୍ୟ କମ୍‌ କରି ସେମାନଙ୍କୁ ୨୦୧୪ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe