ନୂଆଦିଲ୍ଲୀ: #ମିଠୁ ଅଭିଯାନ ଓ କାର୍ଯ୍ୟ ପରିସରରେ ଯୌନ ଉତ୍ପୀଡ଼ନର ମୁକାବିଲା ଲାଗି କେନ୍ଦ୍ର ସରକାର ୪ ସଦସ୍ୟ ବିଶିଷ୍ଟ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି। ଏହି ମନ୍ତ୍ରୀ ଗୋଷ୍ଠୀରେ ଗୃହମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଏବଂ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ରହିଛନ୍ତି।
ବର୍ତ୍ତମାନ ଭାରତରେ #ମି ଠୁ ଅଭିଯାନ କ୍ରମରେ ମହିଳାମାନେ ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନର ଘଟଣା ସାମ୍ନାକୁ ଆଣିଛନ୍ତି। ଏଥିରେ ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସୁଛି। ଏପରି ଏକ ଅଭିଯୋଗର ଶିକାର ହୋଇ ପଦ ହରାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍.ଜେ ଆକବର୍। ଜଣାଶୁଣା ମହିଳା ସାମ୍ବାଦିକା ପ୍ରିୟା ରମାନୀ ଆକବର୍ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ।
ମହିଳାଙ୍କ ପ୍ରତି ବଢୁଥିବା ଯୌନ ଉତ୍ପୀଡ଼ନ ଘଟଣାର ମୁକାବିଲା ଲାଗି ଗତ ମାସରେ କେନ୍ଦ୍ର ସରକାର ଯୌନ ଉତ୍ପୀଡ଼ନ ରେଜିଷ୍ଟ୍ରି ଆରମ୍ଭ କରିଛନ୍ତି। ଏଥିସହ କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲାଗି ଏକ ଇଲେକ୍ଟ୍ରୋନିକ୍ କମ୍ପ୍ଲେଣ୍ଟ୍ ବକ୍ସ ଜାରି କରାଯାଇଛି।
Follow Us