ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଭାଷଣ ଦେଉଥିବା ସମୟରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଖୁବ୍ ଜୋର୍ରେ ହସିଥିଲେ। ତୁହାକୁ ତୁହା ତାଙ୍କର ହସ ଏବଂ ମଝି ମଝିରେ ଅଖାଡ଼ୁଆ ମନ୍ତବ୍ୟ ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ରାଜ୍ୟସଭା ସଭାପତି ଭେଙ୍କୟା ନାଇଡୁ ମୋଦିଙ୍କୁ ରେଣୁକାଙ୍କୁ ତାଙ୍କ ହସର କାରଣ ପଚାରିଥିଲେ ଏବଂ ଏଭଳି ଆଚରଣ ନ ଦେଖାଇବାକୁ ତାଗିଦ କରିଥିଲେ। ଗୃହରେ କୌଣସି ଅଭଦ୍ରୋଚିତ ବ୍ୟବହାର ଏବଂ ଅପମାନସୂଚକ କଥାବାର୍ତ୍ତା ଗ୍ରହଣୀୟ ନୁହେଁ ବୋଲି ନାଇଡ଼ୁ କଠୋର ଭାବେ କହିଥିଲେ ମଧ୍ୟ ରେଣୁକା ପୁନର୍ବାର ଖୁବ୍ ଜୋର୍ରେ ହସିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୀବ୍ର କଟାକ୍ଷ ଦ୍ୱାରା ରେଣୁକାଙ୍କୁ ଚୁପ୍ କରାଇ ଦେଇଥିଲେ। ମୋଦି ଅଧ୍ୟକ୍ଷ ନାଇଡ଼ୁଙ୍କୁ ଅନୁରୋଧ କରି କହିଥିଲେ ରେଣୁକାଙ୍କୁ କିଛି ନକହି ତାଙ୍କୁ ସେମିତି ହସିବାକୁ ସୁଯୋଗ ଦେବା ଦରକାର। ରାମାୟଣ ସିରିୟଲର ବହୁଦିନ ପରେ ଆମେ ଆଜି ହିଁ ଏମିତି ହସ ଶୁଣିବାର ସୁଯୋଗ ପାଇଛୁ କହି ମୋଦି ରେଣୁକାଙ୍କୁ କଟାକ୍ଷ କରିଥିଲେ। ତେବେ ରାମାୟଣର କୌଣସି ଚରିତ୍ରର ନାମ ମୋଦି ନେଇନଥିଲେ ମଧ୍ୟ ମୋଦି ଉକ୍ତ କଂଗ୍ରେସ ନେତ୍ରୀଙ୍କୁ ରାମାୟଣର କେଉଁ ଚରିତ୍ର ସହ ଯୋଡ଼ିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିଯାଉଛି। ମୋଦିଙ୍କର ଏଭଳି କଟାକ୍ଷ ପରେ ଗୃହରେ ଥିବା ଅନ୍ୟ ବିଜେପି ନେତା ଏବଂ ମନ୍ତ୍ରୀମାନେ ମଧ୍ୟ ଖୁବ୍ ଜୋର୍ରେ ହସିଥିଲେ। ଅନ୍ୟପକ୍ଷରେ ରେଣୁକା ମୋଦିଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ଗଣମାଧ୍ୟମରେ କହିଛନ୍ତି ତାଙ୍କଠାରୁ ଆଉ ଅଧିକ କ’ଣ ଆଶା କରାଯାଇପାରେ । ବିଜେପି ଏକ ମହିଳା ବିରୋଧୀ ଦଳ ବୋଲି ରେଣୁକା କହିଛନ୍ତି।
ରାଜ୍ୟସଭାରେ ରେଣୁକାଙ୍କ ହସ- ମୋଦିଙ୍କ କଟାକ୍ଷ
Advertisment
Follow Us