ବିକେୟୁ ଦୁଇ ଫାଳ: କୃଷକଙ୍କ ସମସ୍ୟା ଛାଡ଼ି ରାଜନୀତି କରୁଥିବାରୁ ତଡ଼ା ଖାଇଲେ ଟିକାୟତ

ବିକେୟୁ ଦୁଇ ଫାଳ: କୃଷକଙ୍କ ସମସ୍ୟା ଛାଡ଼ି ରାଜନୀତି କରୁଥିବାରୁ ତଡ଼ା ଖାଇଲେ ଟିକାୟତ

ଲକ୍ଷ୍ନୌ: ଭାରତୀୟ କିଷାନ ୟୁନିଅନ(ବିକେୟୁ) କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୃଷି ଆଇନ ଲାଗୁ ହେବା ପରେ କୃଷକମାନେ କରିଥିବା ଆନ୍ଦୋଳନର ମୁଖ୍ୟ ଚେହେରା ପାଲଟିଥିବା ରାକେଶ ଟିକାୟତଙ୍କୁ ବିକେୟୁରୁ ବିଦା କରାଯାଇଛି। ରାକେଶଙ୍କ ସହ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି। କୃଷକଙ୍କ ପାଇଁ ଲଢ଼ିବା ପରିବର୍ତ୍ତେ ରାଜନୀତି ଆଡ଼କୁ ଅଧିକ ଢ଼ଳିବାରୁ ଦୁହିଁଙ୍କୁ ବିକେୟୁର ଅଧ୍ୟକ୍ଷ ପଦରୁ ହଟାଇଦିଆଯାଇଥିବା ଜଣାପଡ଼ିଛି।

ଚାଷୀଙ୍କ ଅସନ୍ତୋଷ ହେତୁ ଭାରତୀୟ କିସାନ ୟୁନିଅନକୁ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ମୃତ୍ୟୁ ବାର୍ଷିକୀରେ ଦୁଇ ଭାଗରେ ବିଭକ୍ତ ହୋଇଛି ଭାରତୀୟ କିସାନ ୟୁନିଅନ। ବି.କେ.ୟୁ.ର ନୂତନ ସଂଗଠନ ଭାରତୀୟ କିଷାନ ୟୁନିୟନ(ଅଣରାଜନୈତିକ) ରବିବାର ଦିନ ରାଜେଶ ସିଂ ଚୌହାନଙ୍କୁ ଏହାର ନୂତନ ଜାତୀୟ ଅଧ୍ୟକ୍ଷ ଭାବରେ ମନୋନୀତ କରିଛି। ଏଥିସହିତ ହରିନାମ ସିଂ ବର୍ମାଙ୍କୁ ନୂତନ ରାଜ୍ୟ ଅଧ୍ୟକ୍ଷ କରାଯାଇଛି।

ବିକେୟୁର ପ୍ରତିଷ୍ଠାତା ସ୍ୱର୍ଗତ ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ରବିବାର ଦିନ ଲକ୍ଷ୍ନୌରେ ଥିବା କୃଷକ ପ୍ରତିଷ୍ଠାନରେ ବିକେୟୁର ସଦସ୍ୟଙ୍କୁ ନେଇ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଟିକାୟତ ଭାଇମାନଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ଅନ୍ୟପକ୍ଷରେ ରାଜେଶ ଚୌହାନ ଅଭିଯୋଗ କରିଛନ୍ତି ଯେ ନରେଶ ଟିକାୟତ ଏବଂ ରାକେଶ ଟିକାୟତ ରାଜନୀତି କରୁଥିବା ଲୋକ। ବିଧାନସଭା ନିର୍ବାଚନରେ ​​ସେମାନଙ୍କୁ ଏକ ଦଳ ପାଇଁ ପ୍ରଚାର କରିବାକୁ କୁହାଯାଇଥିଲା। କୃଷକଙ୍କ ସମସ୍ୟା ଛାଡ଼ି ସେ ରାଜନୀତିରେ ଅଧିକ ମନ ଦେଉଥିଲେ। ଏନେଇ ଅସନ୍ତୋଷ ପ୍ରକାଶ ପାଇବାରୁ ଆମେ ଭାରତୀୟ କିଷାନ ୟୁନିୟନ (ଅଣରାଜନୈତିକ) ଗଠନ କରିଛୁ।

କୁହାଯାଉଛି ଯେ, ଅସନ୍ତୋଷ ପ୍ରକାଶ ପାଉଥିବାର ଖବର ପାଇବା ପରେ ରାକେଶ ଟିକାୟତ ଶୁକ୍ରବାର ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ତଥାପି, ସେ ୟୁନିୟନର ସଦସ୍ୟଙ୍କୁ ନିଜ ସପକ୍ଷରେ କରି ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe