ଦିଲ୍ଲୀ ପୁଲିସ୍‌ରେ ଏକଦା କନ୍‌ଷ୍ଟେବଲ୍‌ ଥିବା ଟିକାୟତ ବିଭିନ୍ନ ଆନ୍ଦୋଳନରେ ସାମିଲ୍‌ ହୋଇ ୪୪ ଥର ଜେଲ୍‌ ଯାଇ ସାରିଛନ୍ତି

Advertisment
ଦିଲ୍ଲୀ ପୁଲିସ୍‌ରେ ଏକଦା କନ୍‌ଷ୍ଟେବଲ୍‌ ଥିବା ଟିକାୟତ ବିଭିନ୍ନ ଆନ୍ଦୋଳନରେ ସାମିଲ୍‌ ହୋଇ ୪୪ ଥର ଜେଲ୍‌ ଯାଇ ସାରିଛନ୍ତି

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନର ନେତୃତ୍ବ ନେଇ ଆସିଥିବା ଭାରତୀୟ କିଷାନ ୟୁନିୟନ୍‌(ବିକେୟୁ)ର ମୁଖପାତ୍ର ରାକେଶ ଟିକାୟତଙ୍କୁ ଆପଣ ଜାଣିଥିବେ ନିଶ୍ଚୟ। ଏକଦା ଦିଲ୍ଲୀ ପୁଲିସ୍‌ରେ କନ୍‌ଷ୍ଟେବଲ୍‌ ଥିବା ଟିକାୟତ ବିଭିନ୍ନ ଚାଷୀ ଆନ୍ଦୋଳନରେ ସାମିଲ୍‌ ହୋଇ ତାଙ୍କ ଜୀବନକାଳ ମଧ୍ୟରେ ୪୪ ଥର୍‌ ଜେଲ୍‌ ଯାଇ ସାରିଲେଣି।

ଜମି ଅଧିଗ୍ରହଣ ଆଇନକୁ ବିରୋଧ କରି ରାକେଶ ଟିକାୟତଙ୍କୁ ମଧ୍ୟପ୍ରଦେଶରେ ୩୯ ଦିନ ଜେଲରେ ରହିବାକୁ ପଡ଼ିଥିଲା। ସରକାରଙ୍କୁ ଆଖୁ ଦର ବଢ଼ାଇବାକୁ ଦାବି କରି ଟିକାୟତଙ୍କୁ ଦିଲ୍ଲୀର ତିହାର ଜେଲକୁ ଯିବାକୁ ପଡ଼ିଥିଲା। ସେହିପରି ଅନ୍ୟ ଏକ ଆନ୍ଦେଳନକୁ ନେଇ ଟିକାୟତ ଜୟପୁର ଜେଲ୍‌ରେ ମଧ୍ୟ ରହି ସାରିଛନ୍ତି।

ଗଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲିରେ ଦିଲ୍ଲୀରେ ହୋଇଥିବା ହିଂସା ପରେ ରାକେଶ ଟିକାୟତଙ୍କ ନାମରେ ଏକାଧିକା ମାମଲା ରୁଜୁ କରାଯାଇଛି। ଟିକାୟତ ଚାଷୀ ଆନ୍ଦୋଳନରେ ସାମିଲ୍‌ ହେବାକୁ ନେଇ କହିଛନ୍ତି କି ନୂତନ କୃଷି ଆଇନ ବିରୋଧରେ ତାଙ୍କ ଆନ୍ଦୋଳନ କେବେ ଶେଷ ହେବ ନାହିଁ। ଆନ୍ଦୋଳନରୁ ଓହରି ଯିବାଠାରୁ ସେ ଆତ୍ମହତ୍ୟାକୁ ଶ୍ରେୟସ୍କର ମଣନ୍ତି।

ରାକେଶ ସିଂ ଟିକାୟତ ୧୯୬୯ ଜୁନ୍ ୪ ତାରିଖରେ ମୁଜାଫରନଗର ଜିଲ୍ଲାର ସିସାଉଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମହେନ୍ଦ୍ର ସିଂ ଟିକାୟତ ଭାରତୀୟ କୃଷକ ସଂଘର ପୂର୍ବତନ ସଭାପତି ଥିଲେ।

୧୯୮୭ ମସିହାରେ ଭାରତୀୟ କିସାନ ୟୁନିଅନ ସ୍ଥାପନ କରାଯାଇଥିଲା, ଯେତେବେଳେ କୃଷକମାନେ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର କରମୁଖେରୀରେ ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ଏକ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ସମୟରେ ପୁଲିସ୍‌ ଗୁଳିରେ ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡ ପରେ ହିଁ ଭାରତୀୟ କୃଷକ ସଂଘ ଗଠନ ହୋଇଥିଲା ଓ ମହେନ୍ଦ୍ର ସିଂ ଟିକାୟତ ତାହାର ସଭାପତି ବନିଥିଲେ। ସେ ତାଙ୍କ ଜୀବନସାରା କୃଷକମାନଙ୍କ ଅଧିକାର ପାଇଁ ଲଢ଼େଇ କରିଥିଲେ।

ତାଙ୍କ ପୁଅ ରାକେଶ ଜଣେ ଏଲ୍‌ଏଲ୍‌ବି ଛାତ୍ର ଓ ସେ ଦିଲ୍ଲୀ ପୁଲିସ୍‌ରେ କନ୍‌ଷ୍ଟେବଲ୍‌ ଭାବେ ଚାକିରି କରିଥିଲେ। ନବେ ଦଶକରେ ସେ କନଷ୍ଟେବଲ୍‌ ଚାକିରି ଛାଡ଼ି ଦିଲ୍ଲୀର ରେଡ୍ ଫୋର୍ଟରେ ତାଙ୍କ ପିତା ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ହେଉଥିବା ଏକ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେବେଠାରୁ ରାକେଶ ଚାଷୀଙ୍କ ପାଇଁ ସଂଗ୍ରାମ କରି ଆସୁଛନ୍ତି।

ମହେନ୍ଦ୍ର ସିଂ ଟିକାୟତଙ୍କ ଦେହାନ୍ତ ପରେ ରାକେଶ ଟିକାୟତଙ୍କୁ ଭାରତୀୟ କୃଷକ ସଂଘର ଜାତୀୟ ମୁଖପାତ୍ର କରାଯାଇଥିଲା ଏବଂ ଏହି ସଂଘ ପାଇଁ ଏ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିବା ନରେଶ ଟିକାୟତଙ୍କୁ ସଭାପତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe