Image Courtesy of India Today
ନୂଆଦିଲ୍ଲୀ: ପ୍ରଭୁ ରାମଙ୍କ ସତ୍ତା ବିଲୋପ ପାଇଁ ବହୁ ଉଦ୍ୟମ ହେବା ସତ୍ତ୍ବେ ସେ ଆମ ହୃଦୟରେ ବିରାଜମାନ କରିଛନ୍ତି। ସେ ଆମ ସଂସ୍କୃତିର ଆଧାର ବୋଲି ଆଜି ରାମ ଜନ୍ମଭୂମି ଭୂମି ପୂଜନ ଅନୁଷ୍ଠାନ ଶେଷ କରିବା ପରେ ବକ୍ତବ୍ୟ ପ୍ରଦାନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଭୂମି ପୂଜନ ଅନୁଷ୍ଠାନ ଶେଷ କରି ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ସଭାମଞ୍ଚରେ ଉପସ୍ଥିତ ଅନ୍ୟମାନଙ୍କ ଗହଣରେ ଯୋଗା ଦେଇଥିଲେ। ରାମ ମନ୍ଦିର ଭୂମି ପୂଜନ ଅବସରରେ ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
‘ଜୟଶ୍ରୀରାମ’ ଧ୍ବନି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କେବଳ ପ୍ରଭୁ ରାମଙ୍କ ନଗରୀରେ ନୁହେଁ ସମଗ୍ର ବିଶ୍ବରେ ଏହି ଧ୍ବନି ଗୁଞ୍ଜରିତ ହେଉଛି।
ଦୀର୍ଘ ବର୍ଷ ଧରି ଶିବିରରେ ବାସ କରୁଥିବା ଆମ ରାମ ଲାଲାଙ୍କ ପାଇଁ ବିଶାଳ ମନ୍ଦିରଟିଏ ତୋଳାଯିବ। ଆଜି ରାମ ଜନ୍ମଭୂମି ଭଗ୍ନ ଚକ୍ରରୁ ମୁକ୍ତ ହୋଇ ପୁଣି ନିର୍ମାଣ ହେବାକୁ ଯାଉଛି। ଅଯୋଧ୍ୟାରେ ଭାରତ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରୁଛି। ଯୁଗ ଯୁଗ ପ୍ରତୀକ୍ଷାର ଅବସାନ ଘଟିଛି। ଏହି ମନ୍ଦିର ଆମ ଭକ୍ତି, ଜାତୀୟ ଆବେଗର ସଙ୍କେତ ହେବ। ଏହି ମନ୍ଦିର ଆମ କୋଟି କୋଟି ଜନତାଙ୍କ ସାମୁହିକ ପ୍ରତିବଦ୍ଧତାର ସଙ୍କେତ ହେବ। ଏହା ଆମ ଆଗାମୀ ବଂଶଜମାନଙ୍କୁ ଉତ୍ସାହ ଦେବ।
ରାମ ମନ୍ଦିର ନିର୍ମାଣ ଦ୍ବାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି। ନାବିକ ଜନଜାତି ଯେମିତି ପ୍ରଭୁ ଶ୍ରୀରାମଙ୍କୁ ସହାୟକ ହୋଇଥିଲେ, ଗୋବର୍ଦ୍ଧନ ଉଠାଇବାରେ ପିଲାଏ ଯେମିତି ପ୍ରଭୁ କୃଷ୍ଣଙ୍କୁ ସାହାଯ୍ୟ କରିଥିଲେ ସେଭଳି ସମସ୍ତଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ ସମାପନ ହେବ।
Image Courtesy of TOIଜୀବଦଶା ମଧ୍ୟରେ ରାମ ମନ୍ଦିର ନିର୍ମାଣ ସ୍ବପ୍ନ ସାକାର ହେବା ଦେଖିପାରି ନ ଥିବା ପୂର୍ବପିଢ଼ିଙ୍କ ସ୍ବପ୍ନ ପୂରଣ କରିଥିବାରୁ ପ୍ରଥମେ ବକ୍ତବ୍ୟ ଆରମ୍ଭ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଲେ ଯେ, ବିବାଦ କିଭଳି ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ମାମ୍ବିଧାନିକ ଭାବେ ସମାଧାନ ହୋଇପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର କ୍ଷମତା ଏବଂ ତାହାର ନ୍ୟାୟପାଳିକା ବିଶ୍ବକୁ ଦେଖାଇ ଦେଇଛି।
ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଲେ, ସମଗ୍ର ଦେଶରେ ଆଜି ଆନନ୍ଦର ତରଙ୍ଗ। ଯୁଗ ଯୁଗର ଆଶ ପୂର୍ଣ୍ଣ ହେବାର ଆନନ୍ଦ। ସବୁଠାରୁ ଆନନ୍ଦର ବିଷୟ ହେଲା, ଭାରତକୁ ଆତ୍ମନିର୍ଭର କରିବାକୁ ଯେଉଁ ଆତ୍ମବିଶ୍ବାସର ଆବଶ୍ୟକତା ଥିଲା ତାହାର ଶୁଭ-ସାକାର ଅଧିଷ୍ଠାନ ଆଜି ହେଉଅଛି।
ସେ ପୁଣି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଲାଗି ୨୦/୩୦ ବର୍ଷ ଲାଗିବ ବୋଲି ଆର୍ଏସ୍ଏସ୍ ଜାଣିଥିଲା। ଶେଷରେ ତିନି ଦଶନ୍ଧି ପରେ ସ୍ବପ୍ନ ସାକାର ହେଲା। ଆମ ଦେଶ ବସୁଦେବ କୁଟୁମ୍ବକମ୍ରେ ବିଶ୍ବାସ କରେ। ଆମ ଦେଶବାସୀଙ୍କର ଏହି ସ୍ବଭାବ ସବୁ ସମସ୍ୟା ସମାଧାନର ଉପାୟ ବତାଇ ଦିଏ।
Follow Us