New Indian Express
ଅଯୋଧ୍ୟା: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଶ୍ୱ ହିନ୍ଦୁ ପରିଷଦ । ଦେଶରେ ହେବାକୁ ଥିବା ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ଦେଶର ସମସ୍ତ ରାମ ଭକ୍ତଙ୍କଠାରୁ ଆର୍ଥିକ ସହଯୋଗ ନିଆଯିବ । ଆସନ୍ତା ୧୫ ଜାନୁଆରୀ ଅର୍ଥାତ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂରା ଦେଶବ୍ୟାପୀ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଉପସଭାପତି ତଥା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟ । ତେବେ, ରାମ ମନ୍ଦିର ନିର୍ମାଣ ପାଇଁ ବିଦେଶୀ ଭକ୍ତଙ୍କଠାରୁ ଦାନ ଗ୍ରହଣ କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀ କରି ଚମ୍ପତ ରାୟ କହିଛନ୍ତି, ‘ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ରାମଭକ୍ତଙ୍କଠାରୁ ସହଯୋଗ ନିଆଯିବ। ଶ୍ରୀରାମଙ୍କର ଏହି ମନ୍ଦିର ନିର୍ମାଣ ପାଇଁ ଯେଉଁ କଷ୍ଟ କରିବାକୁ ପଡିଛି ତାହାର ଇତିହାସ ଲୋକଙ୍କ ପାଖରେ ପହଞ୍ଚାଯିବ । ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଏହି ବାର୍ତ୍ତା ନେଇ ଦେଶର ୪ ଲକ୍ଷ ଗାଁରେ ପହଞ୍ଚିବେ। ଏହାସହ ୧୧ କୋଟି ପରିବାରକୁ ଭେଟିବା ସହ ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ମନ୍ଦିରର ଇତିହାସ ବାବଦରେ ଅବଗତ କରାଇବେ କାର୍ଯ୍ୟକର୍ତ୍ତା। ସେହିଭଳି ଏହି ଅଭିଯାନରେ ରାମଭକ୍ତ ମାନେ ସ୍ୱଇଚ୍ଛାରେ ଆର୍ଥିକ ସହାୟତା ପ୍ରଦାନ କଲେ ସ୍ୱୀକାର କରାଯିବ । ଆଉ ଏଥିପାଇଁ ୧୦, ୧୦୦ ଓ ୧୦୦୦ ଟଙ୍କିଆ କୁପନ ଜାରି କରାଯିବ, ଯେଉଁ କୁପନରେ ଦିବ୍ୟ ମନ୍ଦିରର ଚିତ୍ର ରହିବ । ତେଣୁ ଏହି କୁପନ ମାଧ୍ୟମରେ ଭବ୍ୟ ଶ୍ରୀରାମ ମନ୍ଦିରର ଚିତ୍ର ଅଧା ଭାରତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ୪ କୋଟି ୧୦ ଟଙ୍କିଆ କୁପନ, ୮ କୋଟି ୧୦୦ ଟଙ୍କିଆ କୁପନ ଓ ୧୨ ଲକ୍ଷ ହଜାର ଟଙ୍କିଆ କୁପନ ଜାରି କରାଯିବ ।
Follow Us