Image Courtesy of Zee News
ନୂଆଦିଲ୍ଲୀ: ଏଲୋପାଥି ଔଷଧ ସମ୍ପର୍କରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ନକାରାତ୍ମକ ଟିପ୍ପଣୀକୁ କେନ୍ଦ୍ର କରି ବାବା ଓ ଭାରତୀୟ ଭେଷଜ ସଂଘ(ଆଇଏମ୍ଏ) ମଧ୍ୟରେ ବିବାଦ ଏବେ ଶୀର୍ଷରେ ପହଞ୍ଚିଛି। ଏଥିରେ କ୍ଷୋଭ ପ୍ରକାଶ କରି ତାଙ୍କ ବିରୋଧରେ ଆଇଏମ୍ଏ ପକ୍ଷରୁ ମାନହାନି ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ବିଭିନ୍ନ ମହଲରୁ ବିରୋଧ ପରେ ରାମଦେବ ମଧ୍ୟ ସେ ଏପରି ଟିପ୍ପଣୀ କରିବା ବେଳର ଭିଡିଏ କ୍ଲିପିଂକୁ ହଟାଇନେଇଛନ୍ତି। ମାତ୍ର ଆଧୁନିକ ଔଷଧ ବିରୋଧରେ ସେ ଦେଇଥିବା ମନ୍ତବ୍ୟ ଏଯାଏ ଫେରାଇ ନେଇନାହାନ୍ତି। ଅପରପକ୍ଷେ, କାହା ବାପା ତାଙ୍କୁ ବି ଗିରଫ କରିପାରିବନି ବୋଲି ରାମଦେବ କରିଥିବା ଟିପ୍ପଣୀ କଟା ଘା'ରେ ଚୂନ ଦେଲା ସଦୃଶ ହୋଇଛି। ଫଳରେ ଆଇଆମ୍ଏ ମଧ୍ୟ କଠୋର ଆଭିମୁଖ୍ୟ ପୋଷଣ କରିଛି।
ତେବେ ସଂଘ ବାବାଙ୍କୁ କେବେ ବିରୋଧ କରୁନାହିଁ ବୋଲି ଆଇଏମ୍ଏ ଅଧ୍ୟକ୍ଷ ଡା. ଜେଏ ଜୟଲାଲ କହିଛନ୍ତି। ମାତ୍ର ତାଙ୍କର ଏପରି ଟିପ୍ପଣୀ ଦେଶରେ ସମ୍ପ୍ରତି ଜାରିରହିଥିବା କୋଭିଡ୍-୧୯ ଟିକାକରଣ ବିରୋଧୀ ହୋଇଥିବାରୁ ତାହା ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିବା ସହ ସେମାନଙ୍କୁ ଟିକାକରଣରୁ ଦୂରେଇ ରହିବା ଲାଗି ଉତ୍ସାହିତ କରିବ ବୋଲି ସଂଘ ଆଶଙ୍କା ପ୍ରକଟ କରିଛି। ଅପରପକ୍ଷେ, ବାବାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ରହିଥିବାରୁ ତାହା ହିଁ ଚିନ୍ତାର ବିଷୟ ହୋଇଛି। ତେବେ ବାବା ଯଦି ଦେଇଥିବା ତାଙ୍କ ସମସ୍ତ ମନ୍ତବ୍ୟକୁ ଫେରାଇ ନିଅନ୍ତି, ତେବେ ସଂଘ ମଧ୍ୟ ତାଙ୍କ ବିରୋଧରେ ରୁଜୁ କରିଥିବା ମାମଲାକୁ ପ୍ରତ୍ୟାହାର କରିନେବ ବୋଲି ଡା. ଜୟଲାଲ କହିଛନ୍ତି।
Follow Us