Gurugram: Students arrive at Gurugram's Ryan International School which re-opened on Monday after 10 days closure following the murder of an eight-year-old boy inside a toilet of the school. PTI Photo (PTI9_18_2017_000106B)
ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମ ସ୍ଥିତ ର୍ୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ର ଛାତ୍ର ହତ୍ୟା ମାମଲାରେ ସ୍କୁଲ୍ର ଜଣେ ଛାତ୍ରକୁ ସିବିଆଇ ଗିରଫ କରିବା ପରେ ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ଏକାଦଶ ଶ୍ରେଣୀର ଏହି ଅଭିଯୁକ୍ତ ଚାତ୍ର ଆଜି ସ୍ୱୀକାର କରିଛି ଯେ ସେ ହିଁ ହତ୍ୟା କରିଛି। ଗତକାଲି ସିବିଆଇ ଉକ୍ତ ବିଦ୍ୟାର୍ଥୀକୁ ଗିରଫ କରିବାପରେ ତା’କୁ ଜୁଭେନାଇଲ୍ କୋର୍ଟରେ ହାଜର କରାଇଥିଲା। ଗତ ସେପ୍ଟେମ୍ବର ୮ ତାରିଖରେ ର୍ୟାନ୍ ସ୍କୁଲ୍ ପରିସରରେ ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନକୁ ତଣ୍ଟି କାଟି ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଏହି ଘଟଣାରେ ଗୁରୁଗ୍ରାମ ପୁଲିସ ପ୍ରଥମେ ସ୍କୁଲ୍ ବସ୍ କଣ୍ଡକ୍ଟରକୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ସିବିଆଇ ତଦନ୍ତରେ ଭିନ୍ନ ମୋଡ଼ ଆଣି ସ୍କୁଲ୍ର ଜଣେ ଏକାଦଶ ଶ୍ରେଣୀର ଛାତ୍ର ହିଁ ପ୍ରଦ୍ୟୁମ୍ନର ହତ୍ୟାକାରୀ ବୋଲି କହିଛି। ସିବିଆଇର ପଚରାଉଚୁରା ସମୟରେ ଛାତ୍ର ଜଣକ ସ୍ୱୀକାର କରିଛି ଯେ ସେ ହିଁ ପ୍ରଦ୍ୟୁମ୍ନକୁ ହତ୍ୟା କରିଛି। ସିବିଆଇ ପ୍ରବକ୍ତା କହିଛନ୍ତି ଯେ ଅଭିଯୁକ୍ତ ଛାତ୍ର ପଢ଼ାରେ ଖୁବ୍ ଦୁର୍ବଳ ଥିଲା। ସେ କେବଳ ପରୀକ୍ଷା ଘୁଞ୍ଚାଇବା ଲାଗିି ଏହି ହତ୍ୟାକାଣ୍ଡ ନେଇ ପୂର୍ବରୁ ଚକ୍ରାନ୍ତ କରିଥିଲା। ତେବେ ନିର୍ଦ୍ଦିଷ୍ଟ ଭାବେ ପ୍ରଦ୍ୟୁମ୍ନକୁ ହତ୍ୟା କରିବାର ଚକ୍ରାନ୍ତ ତା’ ମୁଣ୍ଡରେ ନଥିଲା। ପ୍ରଦ୍ୟୁମ୍ନ କେବଳ ତା’ ଚକ୍ରାନ୍ତର ଶିକାର ହୋଇଗଲା। ଅଭିଯୁକ୍ତ ଛାତ୍ର ପ୍ରଦ୍ୟୁମ୍ନକୁ କିଛି ଲୋଭ ଦେଖାଇ ଟଏଲେଟ୍କୁ ନେଇଯାଇଥିଲା ଏବଂ ଗୋଟିଏ ମିନିଟ୍ ମଧ୍ୟରେ ହିଁ ପ୍ରଦ୍ୟୁମ୍ନର ତଣ୍ଟି କାଟି ହତ୍ୟା କରିଥିଲା। ଗୁରଗାଓଁ ପୁଲିସ ଯେଉଁ ଛୁରିରେ ସ୍କୁଲ୍ ବସ୍ କଣ୍ଡକ୍ଟର ପ୍ରଦ୍ୟୁମ୍ନକୁ ହତ୍ୟା କରିଥିବା କହିଥିଲା ସେହି ଛୁରିରେ ହିଁ ଅଭିଯୁକ୍ତ ଛାତ୍ର ହତ୍ୟା କରିଛି ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ତେବେ ଏହି ଛୁରି ସେ କେଉଁଠୁ ଆଣିଲା ଏବଂ ହତ୍ୟାର କେତେଦିନ ପୂର୍ବରୁ ସେ ଛୁରି ପାଖରେ ରଖିଥିଲା ସେନେଇ ସିବିଆଇ ତଦନ୍ତ ଜାରି ରଖିଛି। ସିବିଆଇ ସୁତ୍ରରୁ ପ୍ରକାଶ ଯେ ସେହି ସମୟରେ ଏକାଦଶ ଶ୍ରେଣୀର ପିଲାଙ୍କର ପରୀକ୍ଷା ଚାଲିଥିଲା। ଅଭିଯୁକ୍ତ ଛାତ୍ର ଜଣକ ସେପ୍ଟେମ୍ବର ୬ ତାରିଖରେ ପ୍ରଥମ ପରୀକ୍ଷା ଦେବାପରେ ସେପ୍ଟେମ୍ବର ୮ ତାରିଖରେ ଅନ୍ୟ ଏକ ପରୀକ୍ଷାରେ ବସିଥାନ୍ତା। ତେବେ ଏହା ପୂର୍ବରୁ ସେ ତା’ର ଅନ୍ୟ ସାଙ୍ଗମାନଙ୍କୁ ଜୋର ଦେଇ କହିଥିଲା ଯେ ସେ ପରୀକ୍ଷା ଘୁଞ୍ଚାଇ ଦେଇ ପାରିବ, ତେଣୁ କେହି ପାଠ ପଢ଼ିବା ଦରକାର ନାହିଁ।
ଉପରଠାଉରିଆ ତଦନ୍ତ ପାଇଁ ପୁଲିସ ଲୋକହସା: ର୍ୟାନ୍ ସ୍କୁଲ୍ ହତ୍ୟା ମାମଲାରେ ଗୁରୁଗ୍ରାମ ପୁଲିସ ଉପରଠାଉରିଆ ତଦନ୍ତ ପାଇଁ ଲୋକହସା ହୋଇଛି। କୌଣସି ଚାପରେ ଗୁରୁଗ୍ରାମ୍ ପୁଲିସ ଏମିତି କରିଛନ୍ତି ବୋଲି ପ୍ରଶ୍ନ ଉଠିଥିବାବେଳେ ପୁଲିସ କମିସନର ସନ୍ଦୀପ ଖେରଓ୍ଵାଲ୍ କହିଛନ୍ତି ଯେ ସେମାନେ ପ୍ରାରମ୍ଭରୁ ହିଁ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ଲାଗି ଚେଷ୍ଟା କରିଥିଲେ ଏବଂ ସେମାନଙ୍କ ଉପରେ କୌଣସି ପ୍ରକାର ଚାପ ପ୍ରୟୋଗ ହେଇନାହିଁ। ଅନ୍ୟପକ୍ଷରେ ଅଭିଯୁକ୍ତ ବିଦ୍ୟାର୍ଥୀ ଜଣକ ପ୍ରଥମେ ହତ୍ୟାକାଣ୍ଡ ସମ୍ପର୍କରେ ସ୍କୁଲ୍ର ମାଳିଙ୍କୁ ଖବର ଦେଇଥିଲା। ତେବେ ତାକୁ କେମିତି ସନ୍ଦେହ ଘେରକୁ ଅଣାଗଲାନି ସେନେଇ ପ୍ରଦ୍ୟୁମ୍ନର ବାପା ବରୁଣ ଠାକୁର ପ୍ରଶ୍ନ ଉଠାଇଛନ୍ତି। ବରୁଣ ପ୍ରଥମ ଦିନରୁ ହିଁ ବସ୍ କଣ୍ଡକ୍ଟର ପ୍ରଦ୍ୟୁମ୍ନର ହତ୍ୟାକାରୀ ବୋଲି ଗ୍ରହଣ କରିନଥିଲେ ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।
ମୁଁ କେବଳ ତାକୁ ଭେଟି ପଚାରିବାକୁ ଚାହେଁ, ସେ କାହିଁକି ଏମିତି କଲା: ପ୍ରଦ୍ୟୁମ୍ନର ମା’
ପ୍ରଥମ ଦିନରୁ ହିଁ ପୁଅର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିବା ପ୍ରଦ୍ୟୁମ୍ନର ମା’ ଆଜି କହିଛନ୍ତି ସେ କେବଳ ଅଭିଯୁକ୍ତ ଛାତ୍ରକୁ ଭେଟି ପଚାରିବାକୁ ଚାହାନ୍ତି।, ସେ କାହିଁକି ତାଙ୍କ ପୁଅ ସହ ଏମିତି କଲା। ତେବେ ଏହି ମାମଲାରେ ଜଣେ ନାବାଳକ ଭାବେ ନୁହେଁ ଅଭିଯୁକ୍ତ ବାଳକକୁ ସାବାଳକ ଭାବେ ବିବେଚନା କରି ବିଚାର କରିବା ଦରକାର ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ବାଳକର ବାପା ମା’ ପୁଅର ବୟସ ଲୁଚାଉଥିବା ସିବିଆଇ ଅଧିକାରୀମାନେ ସନ୍ଦେହ କରୁଛନ୍ତି।
Follow Us