କ୍ୟାବିନେଟ୍‌ରେ ରାଣେ: ମରାଠା ଭୋଟ ବ୍ୟାଙ୍କ ଉପରେ ବିଜେପିର ଆଖି

Advertisment
କ୍ୟାବିନେଟ୍‌ରେ ରାଣେ: ମରାଠା ଭୋଟ ବ୍ୟାଙ୍କ ଉପରେ ବିଜେପିର ଆଖି

DNA India

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ୍‌ରେ ନେବା ଘଟଣାରୁ ସାଧାରଣଙ୍କୁ ଏହି ବାର୍ତ୍ତା ଯାଉଛି ଯେ, ବିଜେପି ମହାରାଷ୍ଟ୍ରରେ ପାରମ୍ପରିକ ବ୍ରାହ୍ମଣ-ବଣିଆ ଭାବମୂର୍ତ୍ତିର ଅନ୍ତ ଘଟାଇ ମରାଠା ନେତୃତ୍ବକୁ ବଳିଷ୍ଠ କରିବାକୁ ଚାହେଁ। ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ ଗୃହର ନେତା ଦେବେନ୍ଦ୍ର ଫଡ଼ନାବିସ୍ ହେଉଛନ୍ତି ଜଣେ ବ୍ରାହ୍ମଣ। କିନ୍ତୁ ଦଳ କ୍ଷମତା ହରାଇବା ପରେ ଅନେକ ଓବିସି ଓ ଅନ୍ୟ ସମ୍ପ୍ରଦାୟର ଲୋକ ଦଳଠାରୁ ଦୂରେଇବାକୁ ଆରମ୍ଭ କରିଛନ୍ତି। ଫଡ଼ନାବିସ୍‌ଙ୍କ ଅଧୀନରେ ଦଳ ବିରୋଧରେ ଅନେକ ନକାରାତ୍ମକତା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବିଜେପି ଚିନ୍ତା କଲା ବ୍ରାହ୍ମଣ ଓ ବଣିଆ ଭୋଟରଙ୍କ ବାହାରେ ରାଜ୍ୟରେ ଦଳୀୟ ଭୋଟ୍ ବ୍ୟାଙ୍କକୁ ବିସ୍ତାର କରିବା ପାଇଁ। ଗୋପୀନାଥ ମୁଣ୍ଡେଙ୍କ ସମୟରେ ଦଳୀୟ ନେତୃତ୍ବ ଥିଲା ଓବିସିଙ୍କ ହାତରେ। ଫଡ଼ନାବିସ୍‌ଙ୍କ ଉତ୍ଥାନ ପରେ ଦଳ ସବୁ ପ୍ରକାର ସମ୍ବଳର ବିନିଯୋଗ କରିବା ସତ୍ତ୍ବେ କୌଣସି ବଡ଼ ସଫଳତା ପାଇପାରି ନାହିଁ। ସେଥିପାଇଁ ଏବେ ଦଳ ରାଣେଙ୍କ ହାତମୁଠାକୁ ଟାଣ କରିବାକୁ ନିଷ୍ପତ୍ତି ନେଲା, ଯିଏ କି ଜଣେ ମରାଠା। ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ, ଫଡ଼ନାବିସ୍‌ଙ୍କ ସହ ରାଣେ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ଦଳୀୟ ବ୍ୟାପାରରେ ଅଂଶଗ୍ରହଣ କରିବେ।

ମହାରାଷ୍ଟ୍ରରେ ୩୦ ପ୍ରତିଶତରୁ ଅଧିକ ମରାଠା ଅଛନ୍ତି। ରାଜ୍ୟ ରାଜନୀତିରେ ସର୍ବଦା ମରାଠା ନେତା ଯଥା ଯଶବନ୍ତ ରାଓ ଚହ୍ବାନ ଏବଂ ଶରଦ ପାୱାର ଆଦି ରହିଆସିଛନ୍ତି। ଜଣେ ବରିଷ୍ଠ ନେତା କହିଛନ୍ତି, ବିଜେପିରେ ଆଶିଷ ଶେଲାର ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ଭଳି ମରାଠା ନେତା ମଧ୍ୟ ଅଛନ୍ତି। କିନ୍ତୁ ସେମାନଙ୍କର ପ୍ରଭାବ ସୀମିତ। ରାଣେଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ରାଜ୍ୟରୁ ଆଉ ତିନୋଟି ନୂଆ ଚେହେରା ସୃଷ୍ଟି କରିଛନ୍ତି। ସେମାନେ ହେଲେ କପିଲ ପାଟିଲ, ଭାଗବତ କରଦ ଏବଂ ଭାରତୀ ପାୱାର। କରଦଙ୍କ ବ୍ୟତୀତ ଅନ୍ୟ ତିନିଜଣ ଅନ୍ୟ ଦଳରୁ ବିଜେପିକୁ ଯାଇଛନ୍ତି। ପୂର୍ବରୁ ପାଟିଲ ଏବଂ ପାୱାର ଏନ୍‌ସିପି ସହିତ ଥିଲେ। ବିଜେପିରେ ଥିବା ବାହାର ଲୋକଙ୍କ ପାଇଁ ଏହା ଏକ ସକାରାତ୍ମକ ବାର୍ତ୍ତା: ପଦବି କେବଳ ପୁରୁଣା ଓ ବିଶ୍ବସ୍ତ ସଦସ୍ୟଙ୍କୁ ନୁହେଁ, ବରଂ ନବାଗତଙ୍କୁ ମଧ୍ୟ ଦିଆଯାଇପାରେ, ଯଦି ସେମାନେ ପରିଶ୍ରମୀ, ବିରୋଧୀ ଦଳକୁ ଆକ୍ରମଣାତ୍ମକ ଭାବେ ଗ୍ରହଣ କରିବେ ଏବଂ ଦଳର ଭିତ୍ତିକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିବେ। ଗତ ବିଧାନସଭା ନିର୍ବାଚନ ସମୟରେ ଅନେକ କଂଗ୍ରେସ ଓ ଏନ୍‌ସିପି ନେତା ବିଜେପିରେ ଯୋଗ ଦେଇ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଜେପି ସରକାର ଗଠନ କରିପାରିଲା ନାହିଁ। ଏହି ବିଧାୟକମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିବାକୁ ଚିନ୍ତା କରିପାରନ୍ତି। ଏହି ପୃଷ୍ଠଭୂମିରେ ବିଜେପିର ସାମ୍ପ୍ରତିକ ପଦକ୍ଷେପ ସେମାନଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବ ବୋଲି ଆଶା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe