ଜୀବନୀ ପୁସ୍ତକରେ ତଥ୍ୟ : ‘ଓଆର୍‌ଓପି’ ବିଳମ୍ବ ପାଇଁ ଜେଟ୍‌ଲିଙ୍କୁ ଦାୟୀ କରିଥିଲେ ପାରିକର

ପାରିକରଙ୍କ ମସ୍ତିଷ୍କରେ ଥିଲା ରାଫେଲ୍‌ ଫାଇଲ୍‌

ଜୀବନୀ ପୁସ୍ତକରେ ତଥ୍ୟ : ‘ଓଆର୍‌ଓପି’ ବିଳମ୍ବ ପାଇଁ ଜେଟ୍‌ଲିଙ୍କୁ ଦାୟୀ କରିଥିଲେ ପାରିକର

Deccan Herald

ନୂଆଦିଲ୍ଲୀ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କର ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ସହିତ ଭଲ ସମ୍ପର୍କ ନଥିଲା। ଦେଶରେ ଗୋଟିଏ  ରାଙ୍କ୍‌ ଗୋଟିଏ ପେନ୍‌ସନ୍‌ (ଓଆର୍‌ଓପି) ଲାଗୁ କରିବାରେ ବିଳମ୍ବ ପାଇଁ ପାରିକର ଜେଟ୍‌ଲିଙ୍କୁ ଦାୟୀ କରିଥିଲେ। ଭାରତୀୟ ବାୟୁସେନା ଆବଶ୍ୟକ କରୁଥିବା ଯୁଦ୍ଧ ବିମାନ ରାଫେଲ୍‌ କ୍ରୟଚୁକ୍ତି ସମ୍ପନ୍ନ ପାଇଁ ପାରିକର ନିଷ୍ଠାର ସହ ତାଙ୍କ କାର୍ଯ୍ୟ ସମ୍ପାଦନ କରିଥିଲେ। ୨୦୧୬ରେ ଯେତେବେଳେ ଭାରତ ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା ସେଦିନ ସାରାରାତି ପାରିକର ଶୋଇନଥିଲେ। ଯେତେବେଳେ ଅପରେସନ୍‌ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଖବର ମିଳିଲା ସେତେବେଳେ ସେ ତାଙ୍କ ପୁଅ ଉତ୍ପଳଙ୍କୁ ଫୋନ୍‌ କରି କହିଥିଲେ, 'ପାକିସ୍ତାନକୁ ଆମେ ପରାସ୍ତ କରିଦେଇଛୁ'।

ପାରିକରଙ୍କ ଜୀବନୀକୁ ନେଇ ଏଭଳି ତଥ୍ୟ ସମ୍ବଳିତ ପୁସ୍ତକ 'ଆନ୍‌ ଏକ୍ସଟ୍ରାଅର୍ଡିନାରି ଲାଇଫ୍‌' ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ବିଶିଷ୍ଟ ସାମ୍ବାଦିକ ସଦ୍‌ଗୁରୁ ପାଟିଲ୍‌ ଏବଂ ମାୟା ଭୂଷଣ ନାଗ୍‌ଭେନକର ଏହି ପୁସ୍ତକ ରଚନା କରିଛନ୍ତି। ୪ ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଥିବା ପାରିକରଙ୍କର ମାର୍ଚ୍ଚ ୨୦୧୯ରେ କର୍କଟରେ ମୃତ୍ୟୁ ଘଟିଥିଲା। ଭାରତର ରାଫେଲ୍‌ ଯୁଦ୍ଧ ବିମାନ କିଣା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ପାରିକରଙ୍କ ବେଡ୍‌ରୁମ୍‌ରେ ରହିଛି ବୋଲି ଜାନୁଆରି ୨୦୧୯ରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଥିଲେ ଏବଂ ଏ ସଂକ୍ରାନ୍ତରେ ଏକ କଥାବାର୍ତ୍ତାର ଅଡିଓ ଟେପ୍‌ ମଧ୍ୟ ଉପସ୍ଥାପନ କରିଥିଲେ। ତତ୍କାଳୀନ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ ଏବଂ ଜଣେ ସାମ୍ବାଦିକଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବାର ଏହି ଅଡିଓ ଟେପ୍‌ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଖୋଳତାଡ଼ ପରେ ଜଣାପଡ଼ିଥିଲା ପ୍ରକୃତ ଫାଇଲ୍‌ ପାରିକରଙ୍କ ବେଡରୁମ୍‌ରେ ନଥିଲା। ଏହା ତାଙ୍କ ମସ୍ତିଷ୍କରେ ଥିଲା। ରାଫେଲ୍‌ ଚୁକ୍ତି ସଂକ୍ରାନ୍ତ ସବୁ ତଥ୍ୟ ସୂଚନା ପାରିକରଙ୍କ ସ୍ମରଣରେ ରହିଥିଲା ବୋଲି ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe