Adhir: Image Courtesy of India Today
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ତାଙ୍କ ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀ ପାଇଁ ଆଜି ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିଛନ୍ତି। ଅଧୀର ମୁର୍ମୁଙ୍କ ପାଖକୁ ଏକ ଚିଠି ପଠାଇ କ୍ଷମା ପ୍ରାର୍ଥନା କରିଛନ୍ତି। ଚିଠିରେ ଅଧୀର ଲେଖିଛନ୍ତି, ‘ଆପଣ ଯେଉଁ ପଦ (ରାଷ୍ଟ୍ରପତି)ରେ ଅଧିଷ୍ଠିତ ତାହା ବର୍ଣ୍ଣନା କରିବାକୁ ଯାଇ ମୁଁ ଏକ ଭୁଲ ଶବ୍ଦ ବ୍ୟବହାର କରିଦେଇଥିଲି। ମୁଁ ଆପଣଙ୍କୁ ଏହା ନିଶ୍ଚିତ କରାଉଛି ଯେ ଏଭଳି ଶବ୍ଦ ମୋ ପାଟିରୁ ଖସି ଯାଇଥିଲା। ମୁଁ ଏଥିପାଇଁ କ୍ଷମା ମାଗୁଛି ଏବଂ ଆପଣ ଏହା ଗ୍ରହଣ କରିବା ପାଇଁ ମୋର ଅନୁରୋଧ।
ଉଲ୍ଲେଖଯୋଗ୍ୟ, ଅଧୀର ରଂଜନ ଚୌଧୁରୀ ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବିବାଦ ସୃଷ୍ଟି କରିଥିଲେ। ଚୌଧୁରୀଙ୍କ ଏହି ଟିପ୍ପଣୀକୁ ବିଜେପି ସାଂସଦମାନେ କଡ଼ା ବିରୋଧ କରିଥିଲେ ଏବଂ ଚୌଧୁରୀଙ୍କ ଟିପ୍ପଣୀ ପାଇଁ ସେମାନେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କଠାରୁ କ୍ଷମା ଦାବି କରିଥିଲେ। ଉକ୍ତ ପ୍ରସଙ୍ଗରେ ମଧ୍ୟ ସୋନିଆ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗତକାଲି ଲୋକସଭାରେ ମୁହାଁମୁହିଁ ହୋଇଥିଲେ। ଆଜି ମଧ୍ୟ ଚୌଧୁରୀଙ୍କ ଏହି ଟିପ୍ପଣୀକୁ ନେଇ ସଂସଦରେ ପ୍ରବଳ ହୋହଲ୍ଲା ହୋଇଥିଲା। ଅଧିକ ବିବାଦ ବଢ଼ିବାରୁ ଶେଷରେ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।
Follow Us