ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରା

ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡ ରାଜ୍ଯରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀସିଦ୍ଧି ବିନାୟକ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିଲା...

Rath Yatra in Rhodes Island, America

Rath Yatra in Rhodes Island, America Photograph: (sambad.in)

ରୋଡ଼ସ ଆଇଲ୍ୟାଣ୍ଡ: ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡ ରାଜ୍ଯରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀସିଦ୍ଧି ବିନାୟକ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ଏଠାରେ ସକାଳେ ମୁଖ୍ୟ ପୂଜାରୀ ଚନ୍ଦ୍ର ଶେଖରଙ୍କ ତତ୍ତ୍ୱାବଧାନରେ ମଙ୍ଗଳ ଆରତୀ, ହୋମ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ତଥା ନୀତିକାନ୍ତି ଆଦି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା।

ରୋଡ଼ସ ଆଇଲ୍ୟାଣ୍ଡରେ ଅଷ୍ଟମ ଥର ପାଇଁ ଅନୁଷ୍ଠିତ ହେଉଥିବା ରଥଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ଶତାଧିକ ଭକ୍ତଗଣଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅସୀମ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଚଳିତବର୍ଷ ଘୋଷ ଯାତ୍ରାରେ ରୋଡ଼ସ ଆଇଲ୍ୟାଣ୍ଡର ଶ୍ରଦ୍ଧାଳୁମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିୟୁଜର୍ସି, କନେକ୍ଟିକଟ ଓ ମାସାଚ୍ୟୁଟସ ଆଦି ସ୍ଥାନରୁ ବହୁ ସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ, ସେମାନଙ୍କର ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କ ସହିତ ଆସି ଭାଗ ନେଇଥିବାର ଲକ୍ଷ୍ୟ କରାଯାଇଥିଲା।

ଦିନ ସାଢେ଼ ୧୧ ଟାରେ  ମନ୍ତ୍ରର ଗହଗହ ଉଚ୍ଚାରଣ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ତଥା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘୋର ଘର୍ଘର ସ୍ୱର ଝଙ୍କାର ଦ୍ୱାରା ଗଗନ ପବନ ପ୍ରକମ୍ପିତ ହେବା ମଧ୍ୟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା'ପରେ ବଡଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେବାୟତ ଓ ସଙ୍ଗଠକମାନେ ସାହି ରୋଷଣୀ କରି ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ୧୫ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ଆସୀନ କରାଯାଇଥିଲା। 

ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ନଚେଇ ନଚେଇ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ପଦ୍ମିନୀ ପଣ୍ଡା, ସୁଦୀପା ନାୟକ ଏବଂ ଶ୍ରଦ୍ଧା ନାୟକ ପ୍ରମୁଖ ଶ୍ରୀଜିଉମାନଙ୍କୁ ଓ ସେମାନଙ୍କ ରଥକୁ ଖୁବ ସୁନ୍ଦର ଭାବରେ ଫୁଲ ମାଳ ସହିତ ସଜ୍ଜାଇ ଥିଲେ।

751b775a-615e-4bf7-8c01-354345e4b339

ନୌସେନାର ଅବସର ପ୍ରାପ୍ତ ଲେଫ୍ଟନାଣ୍ଟ ଅଶୋକ କୁମାର ମହାପାତ୍ର ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।ଭଜନ, ଜଣାଣ ଓ କୀର୍ତ୍ତନର ତାଳେତାଳେ ଅପରାହ୍ନ ୧ଟା ବେଳେ ରଥଟଣା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରଥଟିକୁ ସିଦ୍ଧିବିନାୟକ ମନ୍ଦିରର ଚତୁଃପାର୍ଶ୍ଵରେ ଦେଢ଼ କିଲୋମିଟର ଦୂର ପର୍ଯ୍ୟନ୍ତ ଟଣା ଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ୱାରୱିକର ରାଜରାସ୍ତାରେ ରାଜକୀୟ ଠାଣିରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ଅପରୂପ ଓ ଅନୁପମ ରଥଟି ଗଡ଼ି ଗଡ଼ି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅବିସ୍ମରଣୀୟ ଥିଲା।

ଭକ୍ତ ଓ ଭଗବାନଙ୍କର ମିଳନର ଏହା ବିରଳ ଅବସର ଥିଲା। ବିଶେଷ କରି ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରି ଭାରତୀୟ ଏବଂ ବିଦେଶୀ ଶ୍ରଦ୍ଧାଳୁମାନେ ଭାବ ବିହ୍ବୋଳ  ହେଉଥିବା ଦେଖିବାକୁ ମିଳିଥିଲା । ମନ୍ଦିରକୁ ଫେରିବା ପରେ ଦିଅଁମାନଙ୍କୁ ପୁରୀର ଆନନ୍ଦ ବଜାର ଶୈଳୀରେ ପ୍ରସ୍ତୁତ ସ୍ୱାଦିଷ୍ଟ ମହାପ୍ରସାଦ ଭୋଗ ଲଗାଯାଇଥିଲା। ଏହି ଭୋଗକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା। 

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ସନ୍ନି ମିଶ୍ର, ଅନ୍ୟରା ପଣ୍ଡା ଓ ପ୍ରଜ୍ଞାନ ବେହେରାଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ,  ଅକାଂକ୍ଷା ମିଶ୍ର ଙ୍କ ଦ୍ବାରା ମର୍ମସ୍ପର୍ଶୀ ଓଡ଼ିଶୀ ନୃତ୍ୟ ପ୍ରସ୍ତୁତି ଏବଂ ସୁନୀଲ ଦୁଦାଙ୍କ ଦ୍ବାରା ଚଳନ୍ତି ରଥ ସମ୍ମୁଖରେ ସୁଲଳିତ ଜଣାଣ ଗାୟନ ଅନ୍ତର୍ଭୁକ୍ତ ଥିଲା।ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପଙ୍କଜ ପଣ୍ଡା ଓ ଶତାକ୍ଷୀ ଦାଶ ସୂଚାରୁ ରୂପେ ଉପସ୍ଥାପନା ଓ ସଂଯୋଜନା କରିଥିଲେ।

5b5145a6-0dae-48b5-9e18-6c86b84f9d42

ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତିଙ୍କର ସାମଗ୍ରିକ ତତ୍ତ୍ଵାବଧାନରେ ଆୟୋଜିତ ରଥଯାତ୍ରା ଉତ୍ସବକୁ ବିପୁଳ ଭାବେ ସଫଳ କରାଇବାରେ ସୁଦକ୍ଷ ସଂଗଠକ ବୃନ୍ଦ ଯଥା ; ବବିତା ମହାନ୍ତି, ମୁନମୁନ୍ ଦାସ, ମଣି ମହାପାତ୍ର, ଶୁଭ୍ରାଂଶୁ ମହାନ୍ତି, ସିମ୍ମୀ ମହାପାତ୍ର, ସରୋଜ ବେହେରା, ସୌରଭ ମିଶ୍ର, ସୋମ୍ୟଶ୍ରୀ ଦାଶ, ବିଶ୍ୱ ପଟ୍ଟନାୟକ, ଚନ୍ଦ୍ରଶେଖର ମହାନ୍ତି, ସନ୍ତୋଷ ବେହେରା, ଲୀନା ପଟ୍ଟନାୟକ, ସୁକାନ୍ତ ପାତ୍ର, କଳ୍ପନା ମହାନ୍ତି, କରୁଣା ମେହେଟ୍ଟା, ଦେବାଶିଷ ପଣ୍ଡା, ନନୀ ବାବୁ, ଅନୁପ ମହାନ୍ତି, ଅଜିତ ନାୟକ, ସ୍ମିତା ପଟ୍ଟନାୟକ, ଶୋଭଦୀପ ଦାସ, ରୋହନ ମହାନ୍ତି, କାର୍ତ୍ତିକ ମହାନ୍ତି, ଶୁକଦେବ ପରିଡ଼ା ଏବଂ ସୁକାନ୍ତି ପରିଡ଼ା ପ୍ରମୁଖଙ୍କର ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା।

 USA | Rhodes Island | Rath Yatra 2025

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe