କୋ‌ଭିଡ୍‌-୧୯ ଯୁଦ୍ଧ ନେଇ ରାୱତଙ୍କ ଚେତାବନୀ, ସତର୍କ ନହେଲେ ପରିଣାମ ଭୟଙ୍କର

କୋ‌ଭିଡ୍‌-୧୯ ଯୁଦ୍ଧ ନେଇ ରାୱତଙ୍କ ଚେତାବନୀ, ସତର୍କ ନହେଲେ ପରିଣାମ ଭୟଙ୍କର

India Today

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଭଳି ଏକ ବିଶାଳ ଯୁଦ୍ଧ ଲଢ଼ିବାପାଇଁ ଆମକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡ଼ିବ, ଅନ୍ୟଥା ଭୟାନକ ସ୍ଥିତିକୁ ସାମ୍ନା କରିବାକୁ ହେବ ବୋଲି ସିଡିଏସ୍‌ ଜେନେରାଲ ବିପିନ ରାୱତ ଆଜି ସତର୍କ କରାଇ ଦେଇଛନ୍ତି। ରାୱତ କହିଛନ୍ତି, ଏପ୍ରିଲ ୧୪ ଭିତରେ ଲକ୍‌ଡାଉନ୍‌ ଏବଂ ସାମାଜିକ ଦୂରତ୍ବ ବଜାୟ ରଖି ଭାରତରେ କରୋନାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ନଚେତ୍‌ ଲମ୍ବା ସମୟ ଧରି କରୋନା ବିଶ୍ବମହାମାରୀର ପରିଣାମ ଭୋଗିବାକୁ ଆମେ ବାଧ୍ୟହେବା । ସାମରିକ ନୀତି ହେଉଛି ପ୍ରସ୍ତୁତ ରୁହ ନଚେତ୍‌ ଧ୍ବଂସ ହୋଇଯିବ। କିନ୍ତୁ କୋଭିଡ୍‌ ଭଳି ଯୁଦ୍ଧ କ୍ଷେତ୍ରରେ ଆମେ ପ୍ରସ୍ତୁତ ନହେଲେ ବହୁ କ୍ଷତି ସହିବାକୁ ପଡ଼ିବ । ୧୦୦ ପ୍ରତିଶତ ଲକ୍‌ଡାଉନ୍‌ ଦ୍ବାରା ଏବଂ ସାମାଜିକ ଦୂରତ୍ବ ବଜାୟ ରଖି ଆମକୁ ଏପ୍ରିଲ ୧୪ ସୁଦ୍ଧା ଭାଇରସ୍‌କୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଭାରତରେ କରୋନା ବଢ଼ିଲେ ନିୟନ୍ତ୍ରଣ କରିବା ଏତେ ସହଜ ହେବନାହିଁ। ଏଭଳି ସ୍ଥିତିରେ ସରକାର ଏବଂ ଜନତାଙ୍କ ସବୁ ଦାବି ପୂରଣ କରିବାକୁ ସେନା ପ୍ରସ୍ତୁତ ଅଛି। ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ଉତ୍ତର ପୂର୍ବରେ ଭାଇରସ୍‌ ବ୍ୟାପିନଥିଲେ ମଧ୍ୟ ସେସବୁ ଅଞ୍ଚଳରେ ହସ୍ପିଟାଲ୍‌ ପ୍ରସ୍ତୁତ ହୋଇ ସାରିଲାଣି ବୋଲି ରାୱତ କହିଛନ୍ତି। ସେନା ଏବଂ ସେନାବାହିନୀର ଡାକ୍ତର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ନିୟମିତ ଯୋଗାଯୋଗ କରୁଛନ୍ତି । ସାମରିକ ବ୍ୟାପାର ସଚିବ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଏବଂ କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ସହ ବୈଠକ କରୁଛନ୍ତି ବୋଲି ସେ କହିଛନ୍ତି। ରାୱତ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ମେଡିକାଲ ଉପକରଣ ତିଆରି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୩୭୦ ଭେଣ୍ଟିଲେଟର ପାଇଁ ଅର୍ଡର ଦିଆଯାଇଛି ଏବଂ ଗୋଳା ବାରୁଦ ଫ୍ୟାକ୍ଟ୍ରି ଗୁଡ଼ିକୁ ମାସ୍କ ଏବଂ ପିପିଇ ତିଆରି କରିବାକୁ କୁହାଯାଇଛି। ଏମର୍ଜେନ୍ସି ସମୟରେ ପଡ଼ୋଶୀ ରାଷ୍ଟ୍ରକୁ ସହଯୋଗ ପାଇଁ ଦୁଇଟି ନୌସେନା ଜାହାଜ ପ୍ରସ୍ତୁତ ଅଛି ବୋଲି ସିଡିଏସ୍‌ ରାୱତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe