ନୂଆଦିଲ୍ଲୀ : ଦୁର୍ଘଟଣାଗ୍ରସ୍ତ ଏମ୍ଆଇ-୧୭ଭି୫ ହେଲିକପ୍ଟରରୁ ଉଦ୍ଧାର ସମୟରେ ସିଡିଏସ୍ ଜେନେରାଲ ବିପିନ ରାୱତ ବଞ୍ଚିଥିଲେ। କିନ୍ତୁ ହସ୍ପିଟାଲ ନେବାବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜଣେ ବରିଷ୍ଠ ଅଗ୍ନି ନିର୍ବାପକ ସଦସ୍ୟ ଏନ୍ସି ମୁରଲି କହିଛନ୍ତି, ଆମେ ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲୁ। ଜଣେ ସିଡିଏସ୍ ରାୱତ ଏବଂ ଅନ୍ୟ ଜଣଙ୍କୁ ଆମେ ଚିହ୍ନି ପାରିନଥିଲୁ। ସମ୍ପୃକ୍ତ ବରିଷ୍ଠ ଅଗ୍ନି ନିର୍ବାପକ ସଦସ୍ୟ ଏବଂ ତାଙ୍କ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଥମେ ଯାଇ କନ୍ନୁରରେ ପହଞ୍ଚିଥିଲେ। ରାୱତଙ୍କୁ ଉଦ୍ଧାର କରିବା ସମୟରେ ସେ ଖୁବ୍ ଧୀର କଣ୍ଠରେ କଥା ହୋଇଥିଲେ ଏବଂ ତାଙ୍କ ନାଁ କହିପାରିଥିଲେ ବୋଲି ସେ କହିଛନ୍ତି।
କିନ୍ତୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିହୋଇନଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂହ। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରାୱତଙ୍କ ଶରୀରର ନିମ୍ନ ଅଂଶ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା।
ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀ ଶିବ କୁମାର କହିଛନ୍ତି, ଗତକାଲି ହେଲିକପ୍ଟର ଦୁର୍ଘଟଣା ହୋଇ ତଳେ ଖସି ପଡ଼ିବା ସେ ଦେଖିଥିଲେ। ସେ ଏବଂ ଅନ୍ୟମାନେ ଘଟଣାସ୍ଥଳକୁ ଯାଇଥିଲେ। ହେଲିକପ୍ଟରରୁ ୩ଟି ଶରୀର ଖସି ପଡ଼ିଥିବା ସେମାନେ ଦେଖିଥିଲେ। ସେଥିମଧ୍ୟରୁ ଜଣେ ବଞ୍ଚିଥିଲେ ଏବଂ ସେ ପାଣି ମାଗୁଥିଲେ। ଆମେ ସେମାନଙ୍କୁ ଏକ ବେଡସିଟ୍ରେ ଢାଙ୍କିଥିଲୁ । ପରେ ସେମାନଙ୍କୁ ଉଦ୍ଧାରକାରୀ ଦଳ ନେଇଥିଲେ। ତେବେ ଏହାର ୩ ଘଣ୍ଟା ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ଯେଉଁ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ସେ ହେଉଛନ୍ତି ବିପିନ ରାୱତ।
Follow Us