TheQuint
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଆୟୋଜିତ ଉତ୍ସବକୁ ନେଇ ନିଜର ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମ କୋର୍ଟ ବାର ଆସୋସିଏସନ (ଏସସିବିଏ)ର ସଭାପତି ଦୁଶ୍ୟନ୍ତ ଡାଭେ। ଆଜି (ବୁଧବାର) ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍ ଏସ୍ ଏ ବୋବଡ଼େଙ୍କ ନିକଟକୁ ଏକ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଏସ୍ସିବିଏର ସଭାପତି ପଦବୀରେ ଥିବା ପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟର ଆଉ କୌଣସି ଉତ୍ସବରେ ସେ ଯୋଗ ଦେବେ ନାହିଁ ବୋଲି ଜଣାଇ ଦେଇଛନ୍ତି।
ଜଷ୍ଟିସ୍ ବୋବଡେଙ୍କୁ ଲେଖିଥିବା ଚିଠିରେ ଏସସିବିଏ ସଭାପତି ଦୁଶ୍ୟନ୍ତ ଡାଭେ କହିଛନ୍ତି ଯେ ତାଙ୍କୁ ହ୍ଵାଟସ୍ଆପ୍ ଜରିଆରେ ସୁପ୍ରିମ୍ କୋର୍ଟ ରେଜିଷ୍ଟାର ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ବିଦାୟ ସମାରୋହକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ସେ ଏହି ସମାରୋହରେ ଯୋଗ ଦେଇଥିଲେ ଏବଂ ସମସ୍ତ ପ୍ରକ୍ରିୟାକୁ ସ୍ପଷ୍ଟ ଭାବରେ ଦେଖିବା ଏବଂ ଶୁଣିବାରେ ସକ୍ଷମ ହୋଇଥିଲେ। କିନ୍ତୁ, ତାଙ୍କୁ ସଂପୂର୍ଣ୍ଣ ମୂକ ରଖାଯାଇଥିଲା ଏବଂ ତାଙ୍କୁ ସମାରୋହରେ କିଛିହେଲେ କହିବା ପାଇଁ ଅନୁମତି ଦିଆଯାଇ ନଥିଲା। ଏହା ତାଙ୍କ ପ୍ରତି ଏବଂ ବାର୍ ପ୍ରତି ଏକ ଅସମ୍ମାନ। ତାଙ୍କ ସହ ଏପରି ଆଚରଣ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ତାଙ୍କର ହୃଦବୋଧ ହେବା ପରେ ବାର୍ର ସମ୍ମାନ ଓ ମର୍ଯ୍ୟାଦା ଦୃଷ୍ଟିରୁ ସେ ସମାରୋହରୁ ଓହରି ଆସିଥିଲେ। ଆଉ ଏହି କାରଣ ପାଇଁ ଏସ୍ସିବିଏର ସଭାପତି ପଦବୀରେ ଥିବା ପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟର ଆଉ କୌଣସି ଉତ୍ସବରେ ଯୋଗ ଦେବେ ନାହିଁ।
ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ଜଷ୍ଟିସ ଅରୁଣ ମିଶ୍ର ସେପ୍ଟେଟର ୨ରେ ଅବସର ନେବା ପୂର୍ବରୁ ସୁପ୍ରିମ କୋର୍ଟ ବାର ଆସୋସିଏସନର (ଏସସିବିଏ) ଏକ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଷ୍ଟିସ ମିଶ୍ର କହିଥିଲେ ଯେ କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ତାଙ୍କ ବିବେକ ତାଙ୍କୁ କୌଣସି ବିଦାୟକାଳୀନ ସମ୍ବର୍ଦ୍ଧନାରେ ଭାଗ ନେବାକୁ ଅନୁମତି ଦେଉ ନାହିଁ। ତେବେ, ଜଷ୍ଟିସ ମିଶ୍ର ଏସସିବିଏର ସଭାପତିଙ୍କୁ ଏକ ପତ୍ର ଲେଖି କହିଥିଲେ ଯେ ମୋର ଅବସର ପୂର୍ବରୁ ପ୍ରସ୍ତାବିତ ବିଦାୟ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ଆପଣଙ୍କ ନିମନ୍ତ୍ରଣ ପାଇଁ କୃତଜ୍ଞ। ମୁଁ ବାରକୁ ନ୍ୟାୟପାଳିକାର ମାତା ଭାବରେ ବିବେଚନା କରିଆସୁଥିଲି ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାନ୍ତା। ହେଲେ, କୋଭିଡ୍-୧୯ ମହାମାରୀ ହେତୁ ସାରା ବିଶ୍ୱ ଏକ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇ ଯନ୍ତ୍ରଣା ଭୋଗୁଥିବା ବେଳେ ମୋର ବିବେକ ମୋତେ କୌଣସି ବିଦାୟକାଳୀନ ଉତ୍ସବରେ ଭାଗ ନେବାକୁ ଅନୁମତି ଦେଉ ନାହିଁ। ତେବେ, ପରିସ୍ଥିତି ସ୍ୱାଭାବିକ ହେବାପରେ ମୁଁ ନିଶ୍ଚିତ ଭାବରେ ବାର୍ ପରିଦର୍ଶନ କରିବି ଏବଂ ମୋର ସମ୍ମାନ ଜଣାଇବି ବୋଲି ନିଜ ପତ୍ରରେ କହିଥିଲେ ଜଷ୍ଟିସ୍ ମିଶ୍ର।
ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଆଜି ତାଙ୍କ ପଦବୀରୁ ଅବସର ଗ୍ରହଣ କରିଛନ୍ତି। ସୁପ୍ରିମ୍ କୋର୍ଟରେ ଦୀର୍ଘ ୬ ବର୍ଷ କାଳ ବିଚାରପତି ଭାବେ କାର୍ଯ୍ୟକରିବା ପରେ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା।
Follow Us