ଅନ୍‌ଲାଇନ୍‌ ପାଠପଢ଼ା ଏତେ ସହଜ ନୁହେଁ, ଉତ୍ତରାଖଣ୍ଡରେ ୩-ଜି ନେଟ୍‌ ପାଇଁ ଜଙ୍ଗଲ ଓ ପାହାଡ଼ ବୁଲୁଛନ୍ତି ସ୍କୁଲ୍‌ ଛାତ୍ରଛାତ୍ରୀ

Advertisment
ଅନ୍‌ଲାଇନ୍‌ ପାଠପଢ଼ା ଏତେ ସହଜ ନୁହେଁ, ଉତ୍ତରାଖଣ୍ଡରେ ୩-ଜି ନେଟ୍‌ ପାଇଁ ଜଙ୍ଗଲ ଓ ପାହାଡ଼ ବୁଲୁଛନ୍ତି ସ୍କୁଲ୍‌ ଛାତ୍ରଛାତ୍ରୀ

The Better India

ଡେରାଡ଼ୁନ୍‌: କରୋନା ମହାମାରୀ ପାଇଁ ଏବେ ଦେଶର ସବୁ ରାଜ୍ୟରେ ସ୍କୁଲ୍‌, କଲେଜ ବନ୍ଦ ରହିଛି। ସରକାର ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନ୍‌ଲାଇନ୍‌ ପାଠପଢ଼ା ବ୍ୟବସ୍ଥା‌ ଯେ କେତେ ଜଟିଳ ତାହା ଗୋଟିଏ ଉଦାହରଣରୁ ସ୍ପଷ୍ଟ ଜଣାପଡ଼ିଯାଉଛି। କେଉଁଠି ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ୍‌ ନାହିଁ ତ କେଉଁଠି ପୁଣି ମୋବାଇଲ୍‌ ଥିଲେ ନେଟ୍‌ୱର୍କ ନାହିଁ। ଗ୍ରାମାଞ୍ଚଳରେ ଅଧିକ ନେଟ୍‌ ସମସ୍ୟା ରହୁଛି। ଉତ୍ତରାଖଣ୍ଡରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ନିପଟ ଗ୍ରାମୀଣ ପାର୍ବତ୍ୟାଞ୍ଚଳଗୁଡ଼ିକରେ ଇଣ୍ଟରନେଟ୍‌ ପାଇଁ ପାଠପଢ଼ାରେ ବାଧ‌ା ଉପୁଜିଛି। ଉତ୍ତରାଖଣ୍ଡରେ ପାର୍ବତ୍ୟ‌ାଞ୍ଚଳରେ ୧୦ଟି ଜିଲ୍ଲା ରହିଛି। କେବଳ ୩ଟି ଜିଲ୍ଲା ସମତଳ ଅଞ୍ଚଳରେ ରହିଛି। କିନ୍ତୁ ପାର୍ବତ୍ୟାଞ୍ଚଳରେ ଯେଉଁ ଜିଲ୍ଲା ଗୁଡ଼ିକ ରହିଛି ସେହି ଜିଲ୍ଲା ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଉତ୍ତମ ଇଣ୍ଟରନେଟ୍‌ ସଂଯୋଗ ପାଇଁ ଦୈନିକ ଅନେକ କିମି ବାଟ ଅତିକ୍ରମ କରୁଛନ୍ତି। ଅଲ୍‌ମୋରାରେ ଜଣେ ବ୍ୟକ୍ତି ଘନଶ୍ୟାମ ସିଂହ ତରାଗି। ତାଙ୍କର ୩ ପିଲା ସ୍କୁଲ୍‌ରେ ପାଠ ପଢ଼ୁଛନ୍ତି। ଘନଶ୍ୟାମ କହିଛନ୍ତି ତାଙ୍କ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଉତ୍ତମ ଇଣ୍ଟ‌ରନେଟ୍ ସଂଯୋଗ ନିମନ୍ତ ଜଙ୍ଗଲ ଏବଂ ପର୍ବତରେ ଅନେକ ବାଟଯାଏଁ ଚାଲୁଛନ୍ତି।

‌ଯେତେବେଳେ ଯେଉଁଠି ନେଟ୍‌ ଆସୁଛି ସେଠାରେ କ୍ଲାସ୍‌ କରୁଛନ୍ତି। ସେହିପରି ସ୍ମାର୍ଟ‌ଫୋନ୍‌ ଗୋଟିଏ ଥିବ‌‌ାରୁ ସେମାନେ ଭିନ୍ନ ଭିନ୍ନ ସମୟ‌ରେ କ୍ଲାସ୍‌ କରୁଛନ୍ତି ବୋଲି ଘନଶ୍ୟାମ କହିଛନ୍ତି। ପିଥୋରଗଡ଼ର ଝୁଲାଘାଟରେ ଛାତ୍ରଛାତ୍ରୀମାନେ ଯାହା ଘରେ ବ୍ରଡ୍‌ବ୍ୟା‌ଣ୍ଡ୍‌ ସଂଯୋଗ‌ ଅଛି ସେମାନଙ୍କଠାରୁ ନୋଟ୍‌ ନେଇ ପାଠ ପଢ଼ୁଛନ୍ତି। ସମ୍ପୃକ୍ତ ଅଞ୍ଚଳ‌ରେ ନେପାଳ ସିମ୍‌ରେ ଭଲ୍‌ ନେଟ୍‌ୱର୍କ ରହୁଥିବାରୁ କିଛି ଛାତ୍ରଛାତ୍ରୀ ନେପାଳୀ ସିମ୍‌ କିଣୁଛନ୍ତି। କିନ୍ତୁ ଭାରତରେ ଅନ୍ୟ ନେଟ୍‌ୱର୍କ ତୁଳନାରେ ନେପାଳୀ ସିମ୍‌ରେ ଡାଟା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଗୋଟିଏ ଜିବି ଡାଟା ପାଇଁ ୪୫ ଟଙ୍କା ପଡ଼ୁଛି ଏବଂ ଏହାର ଭ୍ୟାଲିଡିଟି କେବଳ ଗୋଟିଏ ଦିନ ପାଇଁ। କେବଳ ପାର୍ବତ୍ୟାଞ୍ଚଳରେ ରାଜଧାନୀ ଡେରାଡୁନ୍‌ ଅନ୍ତର୍ଗତ ଗ୍ରାମାଞ୍ଚଳରେ ବି ସମାନ ଅବସ୍ଥା। ଉତ୍ତମ ନେଟ୍‌ ସଂଯୋଗ ପାଇଁ ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି। କିଛି ସ୍ଥାନରେ ଛାତ୍ରଛାତ୍ରୀମାନେ ମେଳି ହୋଇ ଉତ୍ତମ ନେଟ୍ ସନ୍ଧାନରେ ଜଙ୍ଗଲକୁ ବାହାରୁଛନ୍ତି। ବଣୁଆ ଜନ୍ତୁଙ୍କ ଭୟ‌ରେ ଛାତ୍ରଛାତ୍ରୀମାନେ ଏବେ ଏକାଠି ଉତ୍ତମ ନେଟ୍‌ ସଂଯୋଗ ପାଇଁ ଜଙ୍ଗଲ ଅଭିମୁଖେ ଯାତ୍ରା କରୁଛନ୍ତି। ତେବେ ପାର୍ବତ୍ୟାଞ୍ଚଳରେ ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଏହି ସମସ୍ୟା ଖବର ରାଜ୍ୟ ଶିକ୍ଷା‌ ବିଭାଗ ନିକଟରେ ପହଞ୍ଚି ସାରିଛି। ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକ‌‌ାରୀ କହିଛନ୍ତି ଯେ, ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଇଣ୍ଟରନେଟ୍‌ ସଂଯୋଗରେ ସମସ୍ୟା ସାମ୍ନା କରୁଥିବା ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ଛାପା ନୋଟ୍‌ ଦେବାପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe