ପରଲୋକରେ ସୀତାରାମ ୟେଚୁରୀ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ୭୨ ବର୍ଷ ବୟସରେ ପରଲୋକ ଘଟିଛି।.......

sfhfhfsfhtt

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ୭୨ ବର୍ଷ ବୟସରେ ପରଲୋକ ଘଟିଛି। ନିମୋନିଆରେ ପୀଡ଼ିତ ହେବାପରେ ତାଙ୍କୁ ଅଗଷ୍ଟ ୧୯ ତାରିଖରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ୍‌)ରେ ଭର୍ତ୍ତି କରାଯାଇଥିଲା।  ଆଜି ତାଙ୍କର ପରଲୋକ ପରେ ଏକ ବିବୃତିରେ ଏମ୍‌ସ୍‌ର ଭାରପ୍ରାପ୍ତ ପ୍ରଫେସର (ମେଡିକାଲ ସେଲ୍) ରୀମା ଦାଦା କହିଛନ୍ତି ଯେ ଶିକ୍ଷାଦାନ ଓ ଗବେଷଣା ଉଦ୍ଦେଶ୍ୟରେ ପରିବାର ଲୋକ ତାଙ୍କ ମୃତଦେହକୁ ନୂଆଦିଲ୍ଲୀ ଏମ୍‌ସ୍‌କୁ ଦାନ କରିଛନ୍ତି।
୧୯୫୨ ମସିହା ଅଗଷ୍ଟ ୧୨ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ୟେଚୁରୀ ଭାରତୀୟ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ, ଯିଏ କି ମେଣ୍ଟ ରାଜନୀତି ପ୍ରତି ରଣନୈତିକ ଆଭିମୁଖ୍ୟ ଓ ମାର୍କ୍ସବାଦର ନୀତି ପ୍ରତି ଅତୁଟ ପ୍ରତିବଦ୍ଧତା ପାଇଁ ଜଣାଶୁଣା ଥିଲେ। ୟେଚୁରୀଙ୍କ ରାଜନୈତିକ ଯାତ୍ରା ୧୯୭୪ ମସିହାରେ ଭାରତୀୟ ଛାତ୍ର ମହାସଂଘ (ଏସ୍‌ଏଫ୍‌ଆଇ)ରେ ଯୋଗ ଦେବା ପରେ ଆରମ୍ଭ ହୋଇଥିଲା। ସେ  ଜେଏନ୍‌ୟୁ ଛାତ୍ର ସଂସଦର ତିନି ଥର ସଭାପତି ଏବଂ ପରେ ଏସ୍‌ଏଫ୍‌ଆଇର ସର୍ବଭାରତୀୟ ସଭାପତି ହୋଇଥିଲେ। ୧୯୮୪ ମସିହାରେ ସେ ସିପିଆଇ(ଏମ୍)ର କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ହୋଇଥିଲେ। ୧୯୯୨ ମସିହା ବେଳକୁ ସେ ପଲିଟ୍ ବ୍ୟୁରୋର ସଦସ୍ୟ ଥିଲେ, ଯାହାକୁ ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ପ୍ରଥମ ଥର ପାଇଁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନଙ୍କ ସହ ନିର୍ବାଚନ ପୂର୍ବରୁ ମେଣ୍ଟ କରି ଗତବର୍ଷ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ଗଠନ କରିଥିଲା।

ୟେଚୁରୀ ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ। ପ୍ରକାଶ କରାତଙ୍କ ସ୍ଥାନରେ ସେ ୨୦୧୫ରେ ସିପିଆଇ (ଏମ୍)ର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୧୮ ଓ ୨୦୨୨ରେ ଦୁଇଥର ଏହି ପଦକୁ ନିର୍ବାଚିତ ହୋଇଥିଲେ। ସିପିଆଇ(ଏମ୍)ର ସାଂଗଠନିକ ଶକ୍ତି ହ୍ରାସ ପାଇବା ସତ୍ତ୍ୱେ ବିରୋଧୀ ଶିବିରରେ ୟେଚୁରୀଙ୍କ ରାଜନୈତିକ ପ୍ରଭାବ ବଜାୟ ରହିଥିଲା। ୧୯୭୦ ଦଶକରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜେଏନ୍‌ୟୁ କାର୍ଯ୍ୟକ୍ରମରେ ଯୋଗ ଦେବାରୁ ଅଟକାଇ ତାଙ୍କ ଉପସ୍ଥିତିରେ ତାଙ୍କ ଇସ୍ତଫା ଦାବି କରି ପ୍ରସିଦ୍ଧି ଲାଭ କରିଥିଲେ। ସୀତାରାମ ୟେଚୁରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୟେଚୁରୀଙ୍କ ବିୟୋଗରେ ମୁଁ ଦୁଃଖିତ। ସେ ବାମପନ୍ଥୀଙ୍କ ଅଗ୍ରଣୀ ଆଲୋକ ଥିଲେ ଏବଂ ରାଜନୈତିକ କ୍ଷେତ୍ର ସହିତ ଯୋଡ଼ିହେବାର ଦକ୍ଷତା ପାଇଁ ଜଣାଶୁଣା ଥିଲେ। ସେ ଜଣେ ପ୍ରଭାବଶାଳୀ ସାଂସଦ ଭାବରେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ। ଦୁଃଖର ଏହି ମୁହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୟେଚୁରୀଙ୍କ ବିୟୋଗରେ ଶୋକପ୍ରକାଶ କରି ଏକ୍ସରେ ଲେଖିଛନ୍ତି, ସୀତାରାମ ୟେଚୁରୀଙ୍କ ବିୟୋଗ ବିଷୟରେ ଜାଣି ଦୁଃଖିତ। ପ୍ରଥମେ ଜଣେ ଛାତ୍ର ନେତା ଏବଂ ପରେ ଜାତୀୟ ରାଜନୀତିରେ ଜଣେ ସାଂସଦ ଭାବରେ ତାଙ୍କର ଏକ ସ୍ୱତନ୍ତ୍ର ଏବଂ ପ୍ରଭାବଶାଳୀ ପରିଚୟ ଥିଲା । ଜଣେ ପ୍ରତିବଦ୍ଧ ରାଜନେତା ହୋଇଥିଲେ ମଧ୍ୟ ସେ ଦଳୀୟ ସ୍ତରରୁ ଉପରକୁ ଉଠି ବନ୍ଧୁତା କରିଥିଲେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୟେଚୁରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ସେ ଆମ ଦେଶ ବିଷୟରେ ଗଭୀର ବୁଝାମଣା ଥିବା ଭାରତୀୟ ସଦ୍‌ଭାବନା ବିଚାରଧାରାର ରକ୍ଷକ ବୋଲି କହିଛନ୍ତି। ରାହୁଲ କହିଛନ୍ତି,  ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର, ବନ୍ଧୁ ଓ ଅନୁଗାମୀମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ୟେଚୁରୀଙ୍କ ବିୟୋଗକୁ ଜାତୀୟ ରାଜନୀତି ପାଇଁ କ୍ଷତି ବୋଲି କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe