ଗୌହାଟୀ ହୋଟେଲରେ ବିଦ୍ରୋହୀ ବିଧାୟକଙ୍କ ବୈଠକ: ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ପ୍ରସ୍ତୁତ

ଅନ୍ୟ କୌଣସି ଦଳ ସହ ମିଶିନୁ

ଗୌହାଟୀ ହୋଟେଲରେ ବିଦ୍ରୋହୀ ବିଧାୟକଙ୍କ ବୈଠକ: ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ପ୍ରସ୍ତୁତ

The Economic Times

ଗୌହାଟୀ: ଆଜି ମହାରାଷ୍ଟ୍ରରେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ହୋଇଥିବା ବେଳେ ଗୌହାଟୀର ରାଡିସନ ବ୍ଲୁ ହୋଟଲ୍‌ରେ ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ବୈଠକ କରିଛନ୍ତି। ବୈଠକ‌ରେ ନିଆଯାଇଥିବା‌ ନିଷ୍ପତ୍ତି ସଂକ୍ରାନ୍ତରେ ବିଦ୍ରୋହୀ ବିଧାୟକ ଦୀପକ କେସରକର ଭର୍ଚୁଆଲ ଭାବେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି। ଦୀପକ କେସରକର କହିଛନ୍ତି, ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ଦୁଇ ତୃତୀୟାଂଶ ସଂଖ୍ୟା ଅଛି। ସେମାନେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। କିନ୍ତୁ ଅନ୍ୟ କୌଣସି ଦଳ ସହ ମିଶିବେ ନାହିଁ। ସେମାନେ ସେନା ଛାଡ଼ିନାହାନ୍ତି। କେସରକର କହିଛନ୍ତି , ବିଦ୍ରୋହୀ ଗୋଷ୍ଠୀର ନାଁ, ‘ଶିବସେନା (ବାଲ୍‌ସାହେବ)’ ଦିଆଯାଇଛି ଏବଂ ସିନ୍ଦେଙ୍କୁ ନେତା ନିଯୁକ୍ତ କରାଯାଇଛି।

ଦୀପକ କେସରକର କହିଛନ୍ତି, ମାତ୍ର ୧୬ରୁ ୧୭ ସଦସ୍ୟ ଶିବସେନାର ବିଧାୟକ ଦଳ ନେତା ନିଯୁକ୍ତ କରିପାରିବେ ନାହିଁ। ମହାରାଷ୍ଟ୍ର ଉପବାଚସ୍ପତି ନରହରି ଜିରୱାଲ୍‌ ସିନ୍ଦେଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଶିବସେନା ବିଧାୟକ ଦଳ ନେତା କରିଥିବାରୁ ଏହାକୁ ବିଦ୍ରୋହୀ ଗୋଷ୍ଠୀ କୋର୍ଟରେ ଚ୍ୟା‌‌ଲେଂଜ କରିବେ ବୋଲି ସେ କହିଛନ୍ତି। ଦୀପକ କେସରକର ପୁଣିଥରେ ବିଦ୍ରୋହୀ ଗୋଷ୍ଠୀଙ୍କ ଦାବିକୁ ଦୋହରାଇ କହିଛନ୍ତି, ଉଦ୍ଧବ ଠାକ୍‌ରେ ବିଜେପି ସହ ମେଣ୍ଟ ଭାଙ୍ଗି ଏନ୍‌ସିପି ଏବଂ କଂଗ୍ରେସ ସହ ମେଣ୍ଟ କରିବାରୁ ସମସ୍ୟା ଉପୁଜିଛି। ବିଦ୍ରୋହୀ ବିଧାୟକମାନେ ଯେଉଁ ଦଳ ସହ ନିର୍ବାଚନ ଲଢ଼ିଥିଲେ ସେହି ଦଳ ସହ ରହିବାକୁ ଚାହାନ୍ତି। ତେବେ ସିନ୍ଦେ ଗୋଷ୍ଠୀ ଉଦ୍ଧବ ଠାକ୍‌ରେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ କେସରକର କହିଛନ୍ତି, ଆମେ କାହିଁକି ସମର୍ଥନ ପ୍ରତ୍ୟାହାର କରିବୁ। ଆମେ ଶିବସେନା। ଆମେ ଦଳକୁ ହାଇଜାକ୍‌ କରିନାହୁଁ।

ଏନ୍‌ସିପି ଏବଂ କଂଗ୍ରେସ ଆମ ଦଳକୁ ହାଇଜାକ୍‌ କରିବାକୁ ପ୍ରୟାସ କରୁଛନ୍ତି। ଦୀପକ କେସରକର କହିଛନ୍ତି, ସିନ୍ଦେ ଗୋଷ୍ଠୀ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। ସଠିକ୍‌ ସମୟରେ ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଫେରିବେ ବୋଲି ସେ କହିଛନ୍ତି। କିନ୍ତୁ ବର୍ତ୍ତମାନ ମୁମ୍ବାଇ ଫେରିବା ସମୟ ନୁହେଁ ଏବଂ ସୁରକ୍ଷିତ ମଧ୍ୟ ନୁହେଁ। ମୁମ୍ବାଇରେ ବିଦ୍ରୋହୀ ବିଧାୟକଙ୍କ ଅଫିସ୍‌ ଉପରେ ଆକ୍ରମଣ ହେଉଥିବା ପ୍ରସଙ୍ଗରେ ସେ ଏହି ଟିପ୍ପଣୀ ଦେଇଛନ୍ତି। କେସରକର କହିଛନ୍ତି , ଆମେ ମଧ୍ୟ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ଚାହୁନାହୁଁ। ଆମେ କେବଳ ଦଳକୁ ସୁରକ୍ଷିତ ରଖିବାକୁ ଚାହୁ। ଉଦ୍ଧବ ଠାକ୍‌ରେଙ୍କୁ କଟାକ୍ଷ କରି କେସରକର କହିଛନ୍ତି, ଯଦି ଗତ କିଛିମାସ ହେବ ସରକାର ଭିଡିଓ କନଫରେନ୍ସ ମାଧ୍ୟମରେ ଚାଲିଛି ତେବେ ଜିରୱାଲ୍‌ କାହିଁକି ଆମ ସହ ଅନ୍‌ଲାଇନ୍‌ ବୈଠକ କରୁନାହାନ୍ତି। ଅନ୍‌ଲାଇନ୍‌ ବୈଠକରେ ଆମେ ଆମ ଶକ୍ତି ପ୍ରଦର୍ଶନ କରିପାରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe