ଖାଦ୍ୟ ସବ୍‌ସିଡି କାଟ୍‌ ପାଇଁ ସୁପାରିସ

Advertisment

ଅର୍ଥନୈତିକ ସର୍ଭେ ରିପୋର୍ଟ

ଅର୍ଥନୈତିକ ସର୍ଭେ ରିପୋର୍ଟ

ଖାଦ୍ୟ ସବ୍‌ସିଡି କାଟ୍‌ ପାଇଁ ସୁପାରିସ

Zee News

ପିଡିଏସ୍‌ ଚାଉଳ, ଗହମ ଦାମ୍ ବଢ଼ାଅ
ସ୍ବାସ୍ଥ୍ୟ ‌ପାଇଁ ନିୟାମକ ସଂସ୍ଥା ଗଠନ ହେଉ
ଜନ ସ୍ବାସ୍ଥ୍ୟରେ ଅଧିକ ବ୍ୟୟ କର
ବିକାଶ ହେଲେ ଦାରିଦ୍ର୍ୟ ହଟିବ
କୋଭିଡ୍ ସେସ୍‌ ଲାଗିପାରେ
ଗବେ‌ଷଣା, ବିକାଶରେ ଅଧିକ ବ୍ୟୟ କର
୨୦୨୧-୨୨ରେ ଅଭିବୃଦ୍ଧି ୧୧% ହେବ

ନୂଆଦିଲ୍ଲୀ : କରୋନା ମହାମାରୀ ଏବଂ ଲକ୍ ଡାଉନ୍ ଯୋଗୁଁ ଭାରତର ଅର୍ଥନୈତିକ ଅବସ୍ଥା ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଲା। ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଗଲା ଏବଂ କୋଟି କୋଟି ଲୋକ ରୋଜଗାର ହରାଇଲେ। ଫଳରେ ଚଳିତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର ୭.୭ ପ୍ରତିଶତ ହ୍ରାସ ପାଇବ। କିନ୍ତୁ ଏବେ ପରିସ୍ଥିତିରେ ସୁଧାର ଆସିଲାଣି। କୋଭିଡ୍ ଟିକା ଆସିବା ପରେ ବ୍ୟବସାୟ ପାଇଁ ପରିସ୍ଥିତି ଅନୁକୁଳ ହେବାକୁ ଲାଗିଛି। ଅଟୋମୋବାଇଲ ସମେତ ଉପଭୋକ୍ତା ସାମଗ୍ରୀ ପାଇଁ ଚାହିଦାରେ ବୃଦ୍ଧି ଘଟୁଛି। ପୁଞ୍ଜି ନିବେଶ ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତି ଆଗକୁ ମଧ୍ୟ ଜାରି ରହିବ। ଫଳରେ ୨୦୨୧-୨୨ରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ୧୧% ଅଭିବୃଦ୍ଧି ହାସଲ କରିବ।

ଆସନ୍ତା ସୋମବାର ଦିନ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଥିବା ବେଳେ ଏଭଳି ଚିତ୍ର ଆଙ୍କିଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅର୍ଥନୀତିକୁ ସୁବ୍ୟବସ୍ଥିତ କରିବା ଲାଗି ଏଥିରେ ଅନେକ ସୁପାରିସ ମଧ୍ୟ କରାଯାଇଛି।

publive-image IndiaMART

ସର୍ଭେ ରିପୋର୍ଟ ସମ୍ପର୍କରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ଯେଉଁ ହାରରେ ତଳକୁ ଖସିଥିଲା ସେହି ହାରରେ ଉନ୍ନତି ହେବ। ଅର୍ଥାତ ଇଂରାଜି ଅକ୍ଷର ‘ଭି’ ଭଳି ଅର୍ଥନୀତିରେ ସୁଧାର ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡ଼ିକୁ ବିଶେଷ ଗୁରୁତ୍ବ ନଦେଇ ସାମାଜିକ କ୍ଷେତ୍ରରେ ବ୍ୟୟ ଜାରି ରଖିବାକୁ ପଡ଼ିବ। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ରେ ଯଉଁଭଳି ସବସିଡି ବା ରିହାତି ଦିଆଯାଉଛି ତାହା ଚିନ୍ତାର କାରଣ ହୋଇଛି। ସବସିଡି ବୋଝ ବଢ଼ୁଥିବାରୁ ବିକାଶ ହାର ମନ୍ଥର ହେଉଛି। ତେଣୁ ସବସିଡିରେ କାଟ୍ କରି ଚାଉଳ, ଗହମ ଭଳି ପିଡିଏସ୍ ସାମଗ୍ରୀର ଦର ବୃଦ୍ଧି କରିବାକୁ ସୁପାରିସ କରାଯାଇଛି।

ସେହିଭଳି ଅଭିବୃଦ୍ଧି ଲାଗି ଭିତ୍ତିଭୂମି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେଥିପ୍ରତି ବିଶେଷ ଗୁରୁତ୍ବ ଦେବାକୁ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ରକୁ ନିୟନ୍ତ୍ରଣରେ ରଖିବା ଲାଗି ଏକ ନିୟାମକ ସଂସ୍ଥା ଗଠନ କରିବା ଏବଂ ଡାକ୍ତର ଓ ହସ୍ପିଟାଲ୍‌ଗୁଡ଼ିକ ‌ଯୋଗାଉଥିବା ସେବାର ମାନ ଧାର୍ଯ୍ୟ କରିବା ଲାଗି ଏକ କ୍ରେଡିଟ୍ ରେଟିଂ ବ୍ୟବସ୍ଥା କରିବାକୁ ମଧ୍ୟ ସର୍ଭେରେ ସୁପାରିସ୍ କରାଯାଇଛି।

publive-image Dreamstime.com

କରୋନା ମହାମାରୀ ସମୟରେ ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ କୃଷି ଏକମାତ୍ର କ୍ଷେତ୍ର ଯାହା ଆଗକୁ ବଢ଼ିଛି। କୃଷିକୁ ଗ୍ରାମୀଣ ଅଞ୍ଚଳର ଜୀବିକା ପ୍ରଦାନକାରୀ ଭାବେ ନଦେଖି ଏକ ବ୍ୟାବସାୟିକ ସଂସ୍ଥା ଭାବେ ବିଚାର କରିବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଅମଳ ପରବର୍ତୀ କ୍ଷତି ହ୍ରାସ କରିବା ଲାଗି ପଦକ୍ଷେପ ନେବା, ଗୋଦାମ ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ଗ୍ରାମୀଣ ଅଞ୍ଚଳରୁ ଯେଭଳି ଫସଲ ସଂଗ୍ରହ କରିହେବ ସେନେଇ ବ୍ୟବସ୍ଥା କରିବାକୁ ମଧ୍ୟ ସର୍ଭେ ରିପୋର୍ଟରେ କୁହାଯାଇଛି। ଏଥିରେ ନୂଆ କୃଷି ନୀତି ଓ ପରଫରମାନ୍ସ ଲିଙ୍କଡ୍‌ ଇନ୍‌ସେଣ୍ଟିଭ୍ ସ୍କିମ୍ (ପିଏଲ୍‌ଆଇ)କୁ ପ୍ରଶଂସା କରାଯାଇଛି। ନୂଆ କୃଷି ନୀତି ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହେବ ବୋଲି ଉଲ୍ଲେଖ କରାଯାଇଛି। ଜନ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବ୍ୟୟ ଭାରକୁ ଜିଡିପିର ୧%ରୁ ବଢ଼ାଇ ୨.୫-୩% ପ୍ରତିଶତ କରିବାକୁ କୁହାଯାଉଛି। ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅଭିବୃଦ୍ଧି‌ ହିଁ ଏକମାତ୍ର ସମାଧାନ। ଅଭିବୃଦ୍ଧି ବଢ଼ିଲେ ଦ୍ରାରିଦ୍ର୍ୟ ଦୂରୀକରଣ ହୋଇପାରିବ ବୋଲି ସର୍ଭେରେ କୁହାଯାଇଛି। ଡାଟା ସୁଲଭ ମୂଲ୍ୟରେ ଉପଲବ୍ଧ ହେଲେ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ। ସେହିପରି ଇ-ଶିକ୍ଷା ଦ୍ବାରା ଅସମାନତା ଦୂର ହୋଇପାରିବ ବୋଲି କୁହାଯାଇଛି।

କରୋନା ମୁକାବିଲାରେ ସରକାର ବାର୍‌ବେଲ୍ ନୀତିକୁ ଆପଣେଇଥିଲେ ବୋଲି ଶ୍ରୀ କୃଷ୍ଣମୂର୍ତ୍ତି କହିଛନ୍ତି। ଏହି ନୀତିରେ ପ୍ରଥମେ ଆକଳନ କରାଯାଏ ଯେ ଫଳାଫଳ ବହୁତ ଖରାପ ହେବ ଏବଂ ସେହି ଅନୁସାରେ ସମାଧାନ ବାଟ ବାହାର କରାଯାଏ। କରୋନା ମହାମାରୀ ସମୟରେ ୨୦୨୦ ଏପ୍ରିଲ୍‌ରୁ ନଭେମ୍ବରରେ ଲୋକମାନେ ଖାଉଥିବା ଖାଦ୍ୟର ଦାମ୍ ବଢ଼ିଥିଲା ବୋଲି ମଧ୍ୟ ସର୍ଭେରେ ଉଲ୍ଲେଖ କରାଯାଇଛି। ବାଲାଂଦେଶ କିଭଳି ଭାରତ ଠାରୁ ରପ୍ତାନିରେ ଆଗେଇ ଯାଇଛି ତାହାର କାରଣ ବିଷୟରେ ମଧ୍ୟ ସର୍ଭେ ରିପୋର୍ଟରେ ବର୍ଣ୍ଣନା କରାଯାଇଛି। ବାଲାଂଦେଶ ରପ୍ତାନି କରୁଥିବା ପ୍ରମୁଖ ପାଞ୍ଚଟି ଉତ୍ପାଦନର ଅବଦାନ ମୋଟ୍‌ ରପ୍ତାନିରେ ୯୦% ହୋଇଥିବା ବେଳେ ଭାରତରେ ତାହା ୪୦% ରହିଛି। ଗବେଷଣା ଓ ବିକାଶରେ ବ୍ୟାପକ ପରିମାଣର ପୁଞ୍ଜିନିବେଶ ବିନା ଚୀନ୍‌କୁ ଭାରତ ଅତିକ୍ରମ କରିପାରିବ ନାହିଁ। ଗବେଷଣା ଓ ବିକାଶରେ ଅଧିକ ପୁଞ୍ଜିନିବେଶ କରିବା ଲାଗି ଘରୋଇ କ୍ଷେତ୍ରକୁ ସର୍ଭେରେ ଆହ୍ବାନ ଦିଆଯାଇଛି। କେନ୍ଦ୍ର ଓ ରୀଜ୍ୟ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଷ୍ଟକ ବଜାରରେ ପଞ୍ଜୀକୃତ କରିବା ଏବଂ ଟିକସ ସମସ୍ୟାର ସମାଧାନ ଲାଗି ଲୋକପାଳ ବ୍ୟବସ୍ଥା କରିବାକୁ ମଧ୍ୟ ସର୍ଭେରେ ସୁପାରିସ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe