Al Jazeera
ମସ୍କୋ : ଡେଲ୍ଟା ପ୍ରଜାତି ପାଇଁ ରୁଷ୍ରେ ସଂକ୍ରମଣ ମାଡ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରୁଷ୍ରେ ସର୍ବାଧିକ ୨୪,୪୩୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୮୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଜାନୁଆରି ମଧ୍ୟଭାଗରେ ରୁଷ୍ ଏହାର ଦ୍ବିତୀୟ ଲହର ସଂକ୍ରମଣରୁ ମୁକୁଳିବାପରେ ଏହା ସର୍ବାଧିକ ସଂକ୍ରମଣ। ରୁଷ୍ର ସର୍ବବୃହତ୍ ହଟ୍ସ୍ପଟ୍ ମସ୍କୋରେ ୧୧୬ କରୋନା ମୃତ୍ୟୁ ହୋଇଛି। ଜୁନ୍ ମଧ୍ୟଭାଗରୁ ରୁଷ୍ରେ ସଂକ୍ରମଣ ବଢ଼ୁଛି। ରୁଷ୍ର ୧୪୬ ନିୟୁତ ଲୋକଙ୍କ ମଧ୍ୟରୁ ଏଯାବତ୍ ମୋଟ୍ ୧୬ ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି।
ଗୋଟିଏ ପଟେ ସଂକ୍ରମଣ ବଢ଼ି ଚାଲିଥିବାବେଳେ ରୁଷ୍ ଗତ ଗୁରୁବାର ଠାରୁ ଏହାର ନାଗରିକଙ୍କୁ ତୃତୀୟ ଡୋଜ୍ ଟିକା ଦେବା ଆରମ୍ଭ କରିଛି। ଗତ ୬ ମାସ ପୂର୍ବେ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ନୂଆ ପ୍ରଜାତି କବଳରୁ ସୁରକ୍ଷା ଦେବାପାଇଁ ରୁଷ୍ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗତ ବୁଧବାର ଦିନ ରୁଷ୍ ନାଗରିକମାନଙ୍କୁ ଗୁଜବ ପରିବର୍ତ୍ତେ ବିଶେଷଜ୍ଞଙ୍କ କଥା ଶୁଣିବାପାଇଁ ଅନୁରୋଧ କରିଛନ୍ତି। ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ରୁଷ୍ ଲକ୍ଡାଉନ୍କୁ ନା’ କରିଛି। ଏହାଦ୍ବାରା ଅଗଷ୍ଟ ସୁଦ୍ଧା ୬୦ ପ୍ରତିଶତ ଜନସଂଖ୍ୟାଙ୍କ ଟିକାକରଣ ଟାର୍ଗେଟ୍ ପୂରଣ ହେବନି ବୋଲି କୁହାଯାଉଛି। ରୁଷ୍ରେ ଏଯାବତ ୧୩୭,୨୬୨ କରୋନା ମୃତ୍ୟୁ ହୋଇଥିବାବେଳେ ୫.୫ ନିୟୁତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
Follow Us