ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ ଲାଲ୍‌ କିଲ୍ଲା

Advertisment
ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ ଲାଲ୍‌ କିଲ୍ଲା

Image Courtesy of India Today

ନୂଆଦିଲ୍ଲୀ: ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ପରିଦର୍ଶକଙ୍କ ଲାଗି ଲାଲ୍‌ କିଲ୍ଲା ବନ୍ଦ ରହିବ ବୋଲି ବୁଧବାର ଦିନ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମାରେ କହିଛି। ବନ୍ଦ ରହିବା କାରଣ ସଂକ୍ରାନ୍ତରେ ଉକ୍ତ ଆଦେଶନାମାରେ କିଛି ଉଲ୍ଲେଖ ନାହିଁ। ଜାନୁଆରି ୨୬ ତାରିଖ ଦିନ ପ୍ରତିବାଦକାରୀ କୃଷକମାନେ ବଳପୂର୍ବକ ଏହି ଦୁର୍ଗ ମଧ୍ୟକୁ ପ୍ରବେଶ କରିଥିଲେ। ସେଥିଯୋଗୁଁ ଏହାର କୌଣସି କ୍ଷୟକ୍ଷତି ହୋଇଛି କି, ନାହିଁ, ସେ ସଂକ୍ରାନ୍ତରେ ଏହି ସମୟରେ ଅନୁଧ୍ୟାନ କରାଯିବ ବୋଲି ମନେହେଉଛି।

ଆଦେଶନାମାରେ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ମଧ୍ୟ କହିଛି ଯେ, ଜାତୀୟ ରାଜଧାନୀ ଅଞ୍ଚଳରେ ‘ବାର୍ଡ-ଫ୍ଲୁ’ (ପକ୍ଷୀଜ୍ୱର) ସତର୍କତା ଜାରି ଯୋଗୁଁ ଜାନୁଆରି ୧୯ ରୁ ଜାନୁଆରି ୨୨ ପର୍ଯ୍ୟନ୍ତ ଲାଲ୍‌ କିଲ୍ଲା ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଥିଲା। ଏହାଛଡ଼ା ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ମଧ୍ୟ ଜାନୁଆରି ୨୨ ରୁ ଜାନୁଆରି ୨୬ ପର୍ଯ୍ୟନ୍ତ ଏହି ଦୁର୍ଗ ବନ୍ଦ ରହିଥିଲା।

publive-image Image Courtesy of India Today

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂହ ପଟେଲ୍‌ ବୁଧବାର ଦିନ ଲାଲ୍‌ କିଲ୍ଲା ଗସ୍ତରେ ଯାଇ ଅବସ୍ଥାର ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ସେ ‘ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ’କୁ କହିଛନ୍ତି।

ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋଚିତ୍ର ଏବଂ ଭିଡିଓରେ ଦେଖାଯାଉଛି ଯେ, ଲାଲ୍‌ କିଲ୍ଲା ପରିସରସ୍ଥ ‘ମେଟାଲ୍‌ ଡିଟେକ୍ଟର୍‌ ଗେଟ୍‌’ ଏବଂ ଟିକେଟ୍‌ କାଉଣ୍ଟର୍‌ ସମେତ ଅନେକ କିଛି ଭାଙ୍ଗିରୁଜି ଯାଇଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ସମୁଦାୟ ୧୭୩ଟି ସ୍ମାରକୀ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ’ ଦାୟିତ୍ୱରେ ରହିଛି। ସେଥିରୁ ଲାଲ୍‌ କିଲ୍ଲା, ହୁମାୟୁନ୍‌ଙ୍କ ସମାଧି ଏବଂ କୁତବ୍‌ ମୀନାର ‘ୟୁନେସ୍କୋ’ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe