The New Indian Express
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଅୱେସିଙ୍କୁ ଜେଡ୍ କାଟାଗୋରି ସୁରକ୍ଷା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଅୱେସି ପୁନଶ୍ଚ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାରରୁ ଫେରିଲା ବେଳେ ଅୱେସିଙ୍କ କାର ଉପରକୁ ଦୁଇଜଣ ଅଜ୍ଞାତ ଆତତାୟୀ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଅୱେସି ସୁରକ୍ଷିତ ରହିଥିଲେ ମଧ୍ୟ ତାଙ୍କ ଗାଡ଼ିରେ ତିନୋଟି ଗୁଳିର ଦାଗ ସୃଷ୍ଟି ହୋଇଥିଲା। ଏହାପରେ କେନ୍ଦ୍ର ସରକାର ତାଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଜାଣି ତାଙ୍କୁ ବୁଲେଟ୍ପ୍ରୁଫ୍ କାର୍ ସହ ଜେଡ୍ କାଟାଗୋରି ସୁରକ୍ଷା ଯୋଗାଇଦେବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଅୱେସି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେ କହିଥିଲେ, ମୁଁ ଜେଡ୍ କାଟାଗୋରି ସୁରକ୍ଷା ଚାହେଁ ନାହିଁ, ମୁଁ ଏ କାଟାଗୋରି ନାଗରିକ ହେବାକୁ ଚାହେଁ। ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଜେରା କରାଯାଉଛି। ଉକ୍ତଦିନ ଅୱେସିଙ୍କ କାର୍ଯ୍ୟକ୍ରମ ବିଷୟରେ ପୁଲିସକୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ଭବିଷ୍ୟତରେ ଏପରି ଅଘଟଣ ନ ଘଟିବା ପାଇଁ ସେ ଜେଡ୍ କାଟାଗୋରି ସୁରକ୍ଷା ଗ୍ରହଣ କରନ୍ତୁ ବୋଲି ଶାହ କହିଛନ୍ତି।
ଗୃହମନ୍ତ୍ରୀ ଶାହଙ୍କ ନିବେଦନର କିଛି ଘଣ୍ଟା ପରେ ଅୱେସି ପୁନଶ୍ଚ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, - ଆଜି ପାର୍ଲାମେଣ୍ଟରେ ଗୃହମନ୍ତ୍ରୀ ମୋତେ ଜେଡ୍ କାଟାଗୋରି ସୁରକ୍ଷା ଯାଚିଥିଲେ। କିନ୍ତୁ ମୁଁ କହିବାକୁ ଚାହେଁ ଯେ, ସିଏଏ ବିରୋଧୀ ଆନ୍ଦୋଳନରେ ଯେଉଁ ୨୨ ଜଣ ଲୋକ ମରିଗଲେ ସେମାନଙ୍କଠାରୁ ମୋ ଜୀବନ ବଡ଼ ନୁହେଁ। ମୁଁ ସର୍ବଦା ପୁଲିସ ଓ ସୁରକ୍ଷା କର୍ମୀଙ୍କ ଘେରାଉ ଭିତରେ ରହିବାକୁ ଚାହେଁନା। ମୁଁ ଜଣେ ମୁକ୍ତ ବିହଙ୍ଗ, ମୁକ୍ତ ଭାବରେ ବଞ୍ଚିବାକୁ ଚାହେଁ।
  
 Follow Us