ତେଜିଲା ଚାଷୀ ଆନ୍ଦୋଳନ, କେନ୍ଦ୍ରର ସସର୍ତ୍ତ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

Advertisment

ଯନ୍ତରମନ୍ତରରେ ଆନ୍ଦୋଳନ ପାଇଁ ଅନୁମତି ଲୋଡ଼ିଲେ ଚାଷୀ

ଯନ୍ତରମନ୍ତରରେ ଆନ୍ଦୋଳନ ପାଇଁ ଅନୁମତି ଲୋଡ଼ିଲେ ଚାଷୀ

ତେଜିଲା ଚାଷୀ ଆନ୍ଦୋଳନ, କେନ୍ଦ୍ରର ସସର୍ତ୍ତ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ଦିଲ୍ଲୀରେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଚାଷୀ ଡେରା ପକାଇଲେଣି। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ସର୍ତ୍ତମୂଳକ ଆଲୋଚନା ପ୍ରସ୍ତାବକୁ କୃଷକ ସଂଗଠନମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ର ସରକାର ଖୋଲା ମନରେ ଆଲୋଚନା ପାଇଁ ଡାକିଲେ ଆଲୋଚନା ସମ୍ଭବ ହୋଇପାରିବ ବୋଲି କୃଷକ ସଂଗଠନମାନେ କହିଛନ୍ତି। ସୂଚନାଯୋଗ୍ୟ, ଗୃହମନ୍ତ୍ରୀ କହିଥିଲେ, ଯଦି ଆନ୍ଦୋଳନ ଛାଡ଼ି କୃଷକମାନେ ଆଲୋଚନା ପାଇଁ ଆସିବେ ତେବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୩ରେ ଚାଷୀଙ୍କ ସହ ସରକାର ଆଲୋଚନା କରିବେ ବୋଲି ପୂର୍ବରୁ ‌ଘୋଷଣା କରିଥିଲେ। ତେବେ ଗୃହମନ୍ତ୍ରୀଙ୍କ ଏଭଳି ସର୍ତ୍ତମୂଳକ ଆଲୋଚନା ପ୍ରସ୍ତା‌ବକୁ କୃଷକ ସଂଗଠନମାନଙ୍କ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। କୌଣସି ସର୍ତ୍ତ ନ ରଖି ସରକାର ଖୋଲା ହୃଦୟରେ ଆଲୋଚନା ପାଇଁ ଡାକିଲେ ଆମେ ଆଲୋ‌ଚନା ପାଇଁ ପ୍ରସ୍ତୁତ ବୋଲି ‘ସ୍ବରାଜ ଇଣ୍ଡିଆ’ର ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି।

ଦିଲ୍ଲୀର ୫ଟି ପ୍ରବେଶ ପଥ ଅବରୋଧ କରିବାକୁ ଚେତାବନୀ
ମଞ୍ଚରେ ରାଜନୈତିକ ନେତାଙ୍କୁ ସ୍ଥାନ ଦେବୁନି: ଚାଷୀ ନେତା
ଆବଶ୍ୟକ ହେଲେ ୪ ମାସ ପର୍ଯ୍ୟନ୍ତ ଆନ୍ଦୋଳନରେ ବସିବୁ

ଅପରପକ୍ଷେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର କୃଷି ବିଲ୍‌କୁ ସମର୍ଥନ କରିବା‌ ସହ ଏହି ବିଲ୍‌ ଚାଷୀଙ୍କ ସ୍ବାର୍ଥ ସାଧନ କରିବ ବୋଲି କହିଛନ୍ତି। ଚାଷୀଙ୍କ ଦୀର୍ଘଦିନର ଦାବି ଓ ଅଧିକାର ପୂରଣ ଦିଗରେ ଏ ଆଇନ ସହାୟକ ହୋଇପାରିବ। ଏହି ଆଇନ ବଳରେ ଚାଷୀମାନେ ସେମାନଙ୍କର ଅଧିକାର ଓ ସୁବିଧାସୁଯୋଗ ହାସଲ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀ ଆନ୍ଦୋଳନକୁ ନେଇ ପଞ୍ଜାବ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୪ ଦିନ ହେଲା ବାକ୍‌ ଯୁଦ୍ଧ ଚାଲିଛି। ଆଜି ଅକାଳି ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଟାର୍ଗେଟ୍‌ କରିଛନ୍ତି। ହରିୟାଣା ସରକାର ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଭିନ୍ନ ଚାଲ୍‌ ଚଳାଇଛି ବୋଲି ବାଦଲ କହିଛନ୍ତି। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସିଙ୍ଘୁ ସୀମାକୁ ଉଭୟ ପଟୁ ସିଲ୍‌ କରିଦେଇଛି। ମୁକାର୍ବା ଛକ ଏବଂ ଜିଟିକେ ରୋଡ୍‌ ଦେଇ ସମସ୍ତ ଟ୍ରା‌ଫିକ୍‌ ଚଳାଚଳ କରାଯାଉଛି। ସେହିଭଳି ଦିଲ୍ଲୀ-ବାହାଦୁରଗଡ଼ ଟିକିରି ସୀମାକୁ ମଧ୍ୟ ସିଲ୍‌ କରି ଦିଆଯାଇଛି। ଦିଲ୍ଲୀର ୫ଟି ପ୍ରମୁଖ ପ୍ରବେଶ ପଥକୁ ଅବରୋଧ କରିବାକୁ ଚାଷୀମାନେ ଧମକ ଦେଇଥିବାରୁ ସୁରକ୍ଷା ବଢ଼ାଯାଇଛି।

ବୁରାଡିରେ ଆନ୍ଦୋଳନ ଅଧିକ ଦିନ ଜାରି ରଖିବାକୁ କୃଷକ ନେତାମାନେ ଆଜି ମନା କରିବା ସହ ଏହା କୌଣସି ମୁକ୍ତ ଜେଲ୍‌ଠାରୁ କମ୍‌ ନୁହେଁ ବୋଲି କହିଛନ୍ତି। ସେମାନଙ୍କୁ ଯନ୍ତରମନ୍ତରରେ ଆନ୍ଦୋଳନ ପାଇଁ ଅନୁମତି ଦିଆଯାଉ ବୋଲି ‘ଭାରତୀୟ କିଷାନ୍‌ ସଂଘ କ୍ରାନ୍ତିକାରୀ’ର ନେତା ସୁର୍ଜିତ୍‌ ସିଂହ କହିଛନ୍ତି। ଚାଷୀ ଆନ୍ଦୋଳନ ମଞ୍ଚକୁ କୌଣସି ରାଜନୈତିକ ଦଳର ନେତାଙ୍କୁ ଅନୁମତି ଦେବୁନି ବୋଲି ସୁର୍ଜିତ ସିଂହ ରୋକ୍‌ଠୋକ କହିଛନ୍ତି। ସରକାର ଏବଂ ସରକାରୀ ଅଫିସର ଆମକୁ ବୋକା ବନେଇବାକୁ ଉଦ୍ୟମ କରୁଛନ୍ତି। ସରକାର ଆମ ଦାବି ନ ଶୁଣିଲେ ଦରକାର ପଡ଼ିଲେ ୪ ମାସ ଯାଏ ଧାରଣାରେ ବସିବୁ ବୋଲି ଚାଷୀନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe