ନୂଆଦିଲ୍ଲୀ : ହମାସ୍ ସମ୍ପ୍ରତି ୨୦ ଜଣ ପଣବନ୍ଦୀଙ୍କୁ ରେଡକ୍ରସ୍କୁ ହସ୍ତାନ୍ତର କରିଛି। ତେବେ ଏହାକୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ନୂଆ ଗାଜା ଯୁଦ୍ଧବିରତି ଚୁକ୍ତିର ଏକ ଅଂଶବିଶେଷ ଭାବେ ସୂଚିତ କରାଯାଉଛି।
ଯୁଦ୍ଧର ୨ ବର୍ଷ ପରେ ପଣବନ୍ଦୀମାନେ ଜୀବନ ନେଇ ଘରକୁ ଫେରିଛନ୍ତି। ପଣବନ୍ଦୀମାନଙ୍କୁ ୨ଟି ପର୍ଯ୍ୟାୟରେ ମୁକ୍ତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସକାଳେ ୭ ପଣବନ୍ଦୀ ମୁକ୍ତ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୩ ଜଣଙ୍କୁ ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ସୁରକ୍ଷିତ ଭାବେ ଗ୍ରହଣ କରିଥିଲେ।
ଏହି ତାଲିକାରେ ଅଭିନତନ୍ ଓର୍ ବି ଅଛନ୍ତି। ଯିଏକି ପଣବନ୍ଦୀର ଲୋମଟାଙ୍କୁରା ଘଟଣାକୁ ବଖାଣି କହିଛନ୍ତି, ‘ମୋତେ ୭୩୮ ଦିନ ପାଇଁ ସମ୍ପୂର୍ଣ୍ଣ ଭାବରେ ଅଲଗା ରଖାଯାଇଥିଲା। ମୋତେ ଖାଇବାକୁ ବି ଦିଆଯାଉ ନଥିଲା। ଯାହା ଆପଣମାନେ ମୋ ଶାରୀରିକ ଗଠନ ଦେଖି ଅନୁମାନ କରି ପାରୁଥିବେ। ସେଠାକାର ଲୋକମାନେ ମୋ ସହିତ ଅମାନବୀୟ ଭଳି ବ୍ୟବହାର କରୁଥିଲେ। ମୋ ପ୍ରେମିକାଙ୍କୁ ମଧ୍ୟ ଅପହରଣ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ମୁକ୍ତ କରି ଦିଆଯାଇଥିଲା। ’
ଦୁଇ ବର୍ଷ ପୂର୍ବେ ଅକ୍ଟୋବର ୭ ତାରିଖରେ ଯେତେବେଳେ ହମାସ ଆକ୍ରମଣ କରିଥିଲା ଅଭିନତନ୍ ଏବଂ ତାଙ୍କ ପ୍ରେମିକା ସଂଗୀତ ମହୋତ୍ସବରେ ଏକାଠି ଥିଲେ। ହମାସ ସେମାନଙ୍କୁ ବନ୍ଧକ ରଖି ଗାଜାର ସୁଡ଼ଙ୍ଗକୁ ନେଇଯାଇଥିଲା। ସେତେବେଳେ ସେମାନଙ୍କ କିଏ କେଉଁଠି ଅଛି ସେ ବିଷୟରେ କିଛି ଜାଣି ନଥିଲେ।
ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣର ଦୁଇ ବର୍ଷ ପୂରଣ ହେବା ଅବସରରେ ଆର୍ଗାମାନି ଏକ ପୋଷ୍ଟ ସେୟାର କରି ଲେଖିଥିଲେ, "ସେହି ପଡ଼ିଆରେ ହଜାର ହଜାର ଲୋକ ଦୌଡୁଥିଲେ। ଶହ ଶହ କାରଚାଳକ ଘଟଣାସ୍ଥଳରୁ ଚାଲିଯିବାକୁ ଚେଷ୍ଟା କରୁଥିଲେ - ଆମେ ସମସ୍ତେ ହମାସ ଆକ୍ରମଣକାରୀଙ୍କୁ ଆମକୁ ହତ୍ୟା ନ କରିବା ପାଇଁ ପ୍ରାର୍ଥନା କରୁଥିଲୁ।
ଅକ୍ଟୋବର ୭ ତାରିଖ ଶେଷ ଦିନ ଥିଲା ଯେତେବେଳେ ମୁଁ ମୋ ପ୍ରେମିକକୁ ଦେଖିଥିଲି। ମୁଁ ଜାଣିନାହିଁ ଯେ ତାଙ୍କୁ ହତ୍ୟା କରାଯାଇଛି କି ଅପହରଣ କରାଯାଇଛି। ଯେତେବେଳେ ମୁଁ ବନ୍ଧକ ଥିଲି, ମୋତେ ଯେଉଁଠାକୁ ନିଆଯାଉଥିଲା ମୁଁ ଆକ୍ରମଣକାରୀଙ୍କୁ ଅଭିନତନଙ୍କ ବିଷୟରେ ପଚାରିଥିଲି କିନ୍ତୁ ସେମାନେ ମୋ ପ୍ରଶ୍ନର କୌଣସି ପ୍ରକାର ଉତ୍ତର ଦେଇ ନଥିଲେ।’
ଜୁନ୍ ୨୦୨୪ରେ ଇସ୍ରାଏଲୀ ସେନା ଦ୍ୱାରା ନୋଆ ଆର୍ଜାମାନିଙ୍କୁ ମୁକ୍ତ କରାଯାଇଥିଲା। ମାର୍ଚ୍ଚ ୨୦୨୫ରେ, ଅଭିନତାନଙ୍କ ପରିବାର ସେ ବଞ୍ଚିଥିବାର ସଙ୍କେତ ପାଇଥିଲେ।
Follow Us