Photo Credit: BCCL
ମୁମ୍ବାଇ: ସାଧୁସନ୍ଥମାନଙ୍କ ଦାବି ଆଗରେ ଅବଶେଷରେ ମୁଣ୍ଡ ନୁଆଁଇଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ମନ୍ଦିର ଖୋଲିବାକୁ ସାଧୁସନ୍ଥମାନେ ଯେଉଁ ଆନ୍ଦୋଳନ କରିଥିଲେ, ତାକୁ ମହାରାଷ୍ଟ୍ର ସରକାର ମାନି ନେଇଛନ୍ତି ।
ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ ନଭେମ୍ବର ୧୬ ତାରିଖରୁ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳ ପୁନର୍ବାର ଭକ୍ତଙ୍କ ପାଇଁ ଖୋଲିବ। ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଭିତରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ୍-୧୯ର ନିୟମ ପାଳନ ଉପରେ ବି ଗୁରୁତ୍ୱାରୋପ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁନ୍ ୮ ତାରିଖରୁ ଭାରତରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇଥିବା ବେଳେ ମହାରାଷ୍ଟ୍ର ସରକାର ଏହା ବିରୋଧରେ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାକୁ ପ୍ରତିବାଦ କରାଯାଉଥିଲା।
ମନ୍ଦିର ଖୋଲିବାକୁ ବିଜେପି ଏବଂ ସାଧୁସନ୍ଥମାନମାନେ କ୍ରମାଗତ ଭାବରେ ଦାବି କରିଆସୁଥିଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମନ୍ଦିର ଅର୍ଥନୀତିର କ୍ଷତି ଉପରେ ଆଲୋକପାତ କରିଥିଲେ। ଏପରିକି ମହାରାଷ୍ଟ୍ର ରାଜ୍ୟପାଳ ବି ଧାର୍ମିକସ୍ଥଳ ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଖାଲି ସେତିକି ନୁହେଁ, ଅକ୍ଟୋବର ୧୩ ତାରିଖରେ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିର ଏବଂ ଶିରିଡ଼ିର ସାଇବାବା ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରସଙ୍ଗ ଉଠାଇବା ପାଇଁ ଆଚାର୍ଯ୍ୟ ତୁଷାର ଭୋସଲେଙ୍କ ସମେତ ସାଧୁ ସମ୍ପ୍ରଦାୟର ପ୍ରତିନିଧିମାନେ ଅକ୍ଟୋବର ୨୮ ତାରଖରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ।
Follow Us