Image Source: Zee News
ନୂଆଦିଲ୍ଲୀ: ଦେଶରେ ବାକ୍ ସ୍ବାଧୀନତା ଓ ଅଭିବ୍ୟକ୍ତି ପ୍ରକାଶ କରିବା ହିଁ ସମ୍ପ୍ରତି ସବୁଠାରୁ ଅଧିକ ଦୁର୍ବ୍ୟବହାର ଅଧିକାର ପାଲଟିଛି ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ସଂଘଟିତ ତବଲିଗି ଜମାତ୍ର ଗଣମାଧ୍ୟମ ବିବରଣୀ ପ୍ରଦାନ ସମ୍ପର୍କରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ଉପରେ ଅଦାଲତ ଗୁରୁବାର ଏପରି ଟିପ୍ପଣୀ କରିବା ସହ ସରକାରଙ୍କ ଏପରି ‘ଛଳନାପୂର୍ଣ୍ଣ ତଥା ନିର୍ଲଜ ସତ୍ୟପାଠ’ ପାଇଁ ମଧ୍ୟ ଖୁବ୍ ବର୍ଷିଛନ୍ତି। ଦେଶରେ ମହାମାରୀ କୋଭିଡ୍-୧୯ର ଆବିର୍ଭାବ ବେଳେ ଆୟୋଜିତ ତବଲିଗି ଜମାତର ସମାବେଶକୁ ସଂକ୍ରମଣ ପାଇଁ ଦାୟୀ କରି କିଛି ଗମମାଧ୍ୟମ ସାମ୍ପ୍ରଦାୟିକ ଘୃଣାଭାବ ପ୍ରସାର କରୁଥିବା ଅଭିଯୋଗ ଆଣି ଜାମିଆତ୍-ଉଲେମା-ଇ-ହିନ୍ଦ୍ ପକ୍ଷରୁ ଏକ ମାମଲା ଆଗତ ହୋଇଥିଲା।
ଏହାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େଙ୍କ ନେତୃତ୍ବରେ ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଓ ଭି ରାମସୁବ୍ରମଣ୍ୟମ୍ଙ୍କ ଦ୍ବାରା ଗଠିତ ତିନିଜଣିଆ ଖଣ୍ଡପୀଠ ଏପରି ଟିପ୍ପଣୀ କରିଛନ୍ତି। କେନ୍ଦ୍ର ସରକାରଙ୍କ ସତ୍ୟପାଠରେ ବାକ୍ ସ୍ବାଧୀନତା ଓ ଅଭିବ୍ୟକ୍ତି ପ୍ରକାଶକୁ ଆବେଦନକାରୀମାନେ ମୋହରା କରିବାକୁ ଚେଷ୍ଟା କରିଛନ୍ତି ବୋଲି ଦର୍ଶାଯାଇଥିବା ଜମାତ୍ ପକ୍ଷରୁ ଓକିଲ ଦୁଷ୍ମନ୍ତ ଡାଭେ ଉଲ୍ଲେଖ କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ପରିବର୍ତ୍ତେ ଜଣେ ଅତିରିକ୍ତ ସଚିବ ଦାଖଲ କରିଥିବା ସତ୍ୟପାଠରେ ତବଲିଗି ଜମାତ ପ୍ରସଙ୍ଗ ସମ୍ପର୍କିତ ଗଣମାଧ୍ୟମ ବିବରଣୀ ଉପରେ ଅନାବଶ୍ୟକ ତଥା ନିରର୍ଥକ ଯୁକ୍ତି ରହିଛି ବୋଲି ଦର୍ଶାଇ ଅଦାଲତ କ୍ଷୋଭ ପ୍ରକାଶ କରିଥିଲେ। ତେବେ ସରକାର ଏହି ମାମଲାରେ କହିଛନ୍ତି ଯେ ତବଲିଗି ଜମାତ ମାମଲାରେ ବିଭିନ୍ନ ଗଣମାଧ୍ୟମ ପ୍ରକାଶ କରିଥିବା ରିପୋର୍ଟରେ ଅଙ୍କୁଶ ଲଗାଇ ହୋଇନଥାନ୍ତା। ଏହା ପ୍ରେସ ସ୍ବାଧୀନତା ଉପରେ ଅଙ୍କୁଶ ହୋଇଥାନ୍ତା। ଏ ବାବଦରେ ପୁଣି ସତ୍ୟପାଠ ଦାଖଲ ପରେ ଆଉ ୨ ସପ୍ତାହ ପରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।
Follow Us