ମୋ ଶିକ୍ଷକଙ୍କୁ ଆଜି ମନେପକାଉଛି: ରାଷ୍ଟ୍ରପତି

Advertisment
ମୋ ଶିକ୍ଷକଙ୍କୁ ଆଜି ମନେପକାଉଛି: ରାଷ୍ଟ୍ରପତି

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଶିକ୍ଷା ‌କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜାତୀୟ ଶିକ୍ଷକତା ପୁରସ୍କାର-୨୦୨୨ରେ ସମ୍ମାନିତ କରିଛନ୍ତି। ପୁରସ୍କୃତ ଶିକ୍ଷକମାନଙ୍କ ମଧ୍ୟରେ ଓଡ଼ିଶାରୁ ପୁରୀ ଜିଲ୍ଲା କନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ରହିଛନ୍ତି। ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଓ ସୁବାସ ସରକାର ଉପସ୍ଥିତ ଥିଲେ।

ନୂଆଦିଲ୍ଲୀ : ଜାତୀୟ ଶିକ୍ଷକତା ଦିବସ-୨୦୨୨ରେ କୃତୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବୋଧନ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ସଂଘର୍ଷ ଜୀବନ ଯାତ୍ରାରେ ତାଙ୍କ ଶିକ୍ଷକମାନଙ୍କ ପ୍ରେରଣାକୁ ମନେ ପକାଇଥିଲେ। ସେ କହିଲେ, ଆଜିର ଦିବସରେ ମୁଁ ମୋ ଶିକ୍ଷକମାନଙ୍କୁ ମନେ ପକାଉଛି ଯେଉଁମାନେ ମୋତେ କେବଳ ଶିକ୍ଷାଦାନ କରିନଥିଲେ ବରଂ ସ୍ନେହ କରିଥିଲେ ଓ ସଂଘର୍ଷ କରିବା ପାଇଁ ପ୍ରେରଣା ଯୋଗାଇଥିଲେ। ମୋ ପରିବାର ଓ ଶିକ୍ଷକଙ୍କ ମାର୍ଗଦର୍ଶନ ବଳରେ ମୁଁ କଲେଜରେ ପ‌ାଠ ପଢ଼ିବାରେ ଗାଆଁର ପ୍ରଥମ ଝିଅ ଥିଲି। ଆଜି ମୋ ଜୀବନଯାତ୍ରା ଯେଉଁଠି ପହଞ୍ଚିଛି ସେଥିପାଇଁ ମୁଁ ସେହି ଶିକ୍ଷକଙ୍କ ପ୍ରତି କୃତଜ୍ଞତା ଜଣାଉଛି। ଯେଉଁ କ୍ଷେତ୍ର ଶିକ୍ଷା ସହ ଜଡ଼ିତ ତାକୁ ମୁଁ ଅଧିକ ମହତ୍ବ ଦେଉଛି।

ରାଇରାଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗଦାନର ସୁଯୋଗ ମୋତେ ମିଳିଥିଲା। ମୁଁ ପାହାଡ଼ପୁରରେ ଗୋଟିଏ ଆବାସିକ ବିଦ୍ୟାଳୟ ସ୍ଥାପନ କରିଥିଲି ଯେଉଁଠାରେ ଗରିବ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ଉପେକ୍ଷିତ ବର୍ଗର ପିଲା ଓ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା କିଭଳି ସୁଲଭ ହୋଇପାରିବ ସେଥିପ୍ରତି ବିଶେଷ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ‌ସମ୍ବୋଧନରେ ଉଲ୍ଲେଖ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe