ସଂସଦରେ ‘ସୁର୍ପଣଖା’ ଟିପ୍ପଣୀ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ମାନହାନି ମାମଲା କରିବେ ରେଣୁକା ଚୌଧୁରୀ

ସଂସଦରେ ‘ସୁର୍ପଣଖା’ ଟିପ୍ପଣୀ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ମାନହାନି ମାମଲା କରିବେ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ୨୦୧୮ରେ ପାର୍ଲାମେଣ୍ଟ୍‌ରେ ଦେଇଥିବା ‘ସୁର୍ପଣଖା’ ମନ୍ତବ୍ୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ମାନହାନି ମାମଲା ଦାଏର କରିବେ ବୋଲି ଗୁରୁବାର ଦିନ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଛନ୍ତି।

ନରେନ୍ଦ୍ର ମୋଦୀ ‘ସୁର୍ପଣଖା’ କଥା କହୁଥିବା ସଂସଦୀୟ ଅଧିବେଶନର ଗୋଟାଏ ପୁରୁଣା ଭିଡିଓ କ୍ଲିପ୍‌ ଟୁଇଟ୍‌ କରି ରେଣୁକା ଲେଖିଛନ୍ତି: ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛି...।

ସଂସଦୀୟ ଅଧିବେଶନର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ରେଣୁକାଙ୍କ ନାମ ଉଲ୍ଲେଖ ନ କରି ତାଙ୍କ ହସକୁ ଧାରାବାହିକ ‘ରାମାୟଣ’ର ଚରିତ୍ର ‘ସୁର୍ପଣଖା’ର କୁଖ୍ୟାତ ହସ ସହିତ ତୁଳନା କରିଛନ୍ତି।

ଧାରାବାହିକ ‘ରାମାୟଣ’ ପ୍ରସାରଣ କରାଯିବାର ବହୁବର୍ଷ ଅତିକ୍ରାନ୍ତ ହେବା ପରେ ଏ ପ୍ରକାରର ହସ ଶୁଣିବାକୁ ମିଳିଲା କହି ରେଣୁକା ଚୌଧୁରୀଙ୍କୁ କହିବାକୁ ଅନୁମତି ଦିଆଯାଉ ବୋଲି ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କହୁଛନ୍ତି।

publive-image Image Courtesy of Times Now

ରେଣୁକା କହିଛନ୍ତି, ଗୃହରେ ମୋତେ ହିଁ ସୁର୍ପଣଖା ବୋଲି ଦର୍ଶାଇ ଉକ୍ତ କଦର୍ଯ୍ୟ ଅହମିକାଭରା ମନ୍ତବ୍ୟ ଦିଆଯାଇଥିଲା। ମୁଁ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିବି। ଦେଖିବା, ଏହି ମାମଲାରେ ଅଦାଲତ କେତେ ତତ୍ପରତା ପ୍ରକାଶ କରୁଛି।

publive-image Image Courtesy of APB News

ଉଲ୍ଲେଖ‌ଯୋଗ୍ୟ, ‘ବିଜେପି’ ବିଧାୟକ ତଥା ଗୁରାଜଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀଙ୍କ ମାନହାନି ମୋକଦ୍ଦମା ଶୁଣାଣି କରି ଗୁରୁବାର ଦିନ ସୁରତର ଏକ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ୨ ବର୍ଷ ପାଇଁ କାରାଦଣ୍ଡାଦେଶ ଦେଇଛନ୍ତି। ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍‌ଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ। ରାହୁଲ୍‌ଙ୍କ ମନ୍ତବ୍ୟ ସମଗ୍ର ମୋଦୀ ସାଙ୍ଗିଆଙ୍କ ପ୍ରତି ଅସମ୍ମାନ ବୋଲି ପୂର୍ଣ୍ଣେଶ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe