Image Courtesy of Hindustan Times
ନୂଆଦିଲ୍ଲୀ: ଦେଶମାନେ ପରସ୍ପରର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉପରେ ମଙ୍ଗଳବାର ଦିନ ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’(ଏସ୍ସିଓ) ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରିଛନ୍ତି।
ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଦେଇଥିବା ୯ ମିନିଟ୍ର ଭାଷଣରେ ପ୍ରଧାନମନ୍ତ୍ରୀ କହିଲେ, ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍ ଦେଶମାନଙ୍କ ସହ ଭାରତର ଦୃଢ଼ ସାଂସ୍କୃତିକ ଏବଂ ଐତିହାସିକ ବନ୍ଧନ ରହିଛି। ଭାରତ ବିଚାର କରେ, ସମ୍ପର୍କ ସୁଦୃଢ଼ କରିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରସ୍ପରର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଜଣାଇ ଆଗେଇ ଚାଲିବା।
Image Courtesy of India Todayସେ ଆହୁରି ମଧ୍ୟ କହିଲେ, ଯେ, ଦୁଃଖର ବିଷୟ, ଦ୍ବିପାକ୍ଷିକ ମାମଲାଗୁଡ଼ିକୁ ‘ଏସ୍ସିଓ’ ଆଜେଣ୍ଡା ମଧ୍ୟକୁ ଆଣିବାକୁ ବୃଥା ଉଦ୍ୟମ ହେଉଛି। ଏହା ‘ଏସ୍ସିଓ ଚାର୍ଟର୍’ ଓ ‘ସଙ୍ଘାଇ ଅନ୍ତରାତ୍ମା’ର ଉଲ୍ଲଂଘନ।
ଆତଙ୍କବାଦ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ପ୍ରସଙ୍ଗରେ ଭାରତର ତୀବ୍ର ବିରୋଧ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଲେ, ଭାରତ ଶାନ୍ତି, ନିରାପତ୍ତା ଓ ସମୃଦ୍ଧିରେ ଦୃଢ଼ ବିଶ୍ବାସ କରେ। ଆମେ ସର୍ବଦା ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ, ମାଦକ ଦ୍ରବ୍ୟ ଏବଂ କଳାଟଙ୍କା ବିରୋଧରେ ସ୍ବର ଉତ୍ତୋଳନ କରିଛୁ। ‘ଏସ୍ସିଓ ଚାର୍ଟର୍’ରେ ଉଲ୍ଲେଖ ନୀତିକୁ ଆଧାର କରି ‘ଏସ୍ସିଓ’ରେ କାର୍ଯ୍ୟ କରିବାକୁ ଭାରତ ନିଜର ପ୍ରତିଶ୍ରୁତି ପାଳନ ନିମନ୍ତେ ଦୃଢ଼ ପରିକର ରହିଛି।
ଆଜି ଏହି ଭର୍ଚୁଆଲ୍ ସମ୍ମିଳନୀରେ ‘ଏସ୍ସିଓ’ର ଆଠ ସଦସ୍ୟ ରାଷ୍ଟ୍ର- ରୁଷ୍, ଚୀନ୍, ଭାରତ, ପାକିସ୍ତାନ, କାଜାକ୍ସ୍ଥାନ, କିର୍ଗୀଜ୍ସ୍ତାନ, ତାଜାକିସ୍ତାନ ଓ ଉଜ୍ବେକିସ୍ତାନ ଅଂଶ ଗ୍ରହଣ କରିଥିଲେ।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭର୍ଚୁଆଲ୍ ସମ୍ମିଳନୀରେ ପ୍ରତି ଦେଶକୁ କହିବା ପାଇଁ ୧୦ ମିନିଟ୍ ସମୟ ଦିଆଯାଇଥିଲା।
Follow Us