ଗବେଷଣା ରିପୋର୍ଟ: ଲକ୍‌ଡାଉନ୍‌ ୪୯ ଦିନର ହେବା ଜରୁରି, ଅବଧି ବଢ଼ାଇବା ପାଇଁ ମୋଦୀଙ୍କୁ କେସିଆର୍‌ଙ୍କ ଅନୁରୋଧ

ମେ ୩୧ ଯାଏଁ ୫ଟି ରାଜ୍ୟ ବଢ଼ାଇଲେ ଲକଡାଉନ

Image Source: India Today

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାମାଜିକ ଦୂରାବସ୍ଥାନ ନିଶ୍ଚିତ କରିବାକୁ ମାର୍ଚ ୨୫ ତାରିଖରୁ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଯାହା ଦ୍ୱାରା କରୋନା ଭୂତାଣୁ ଆଉ ବ୍ୟାପିପାରିବ ନାହିଁ। ଏବେ ବିଭିନ୍ନ ରାଜ୍ୟ ସରକାର ଏହି ଅବଧି ବଢ଼ାଇବାକୁ ଯୋଜନା କରୁଥିବା ବେଳେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲକ୍‌ଡାଉନ୍‌ ଅତିକମ୍‌ରେ ସପ୍ତାହେ କିମ୍ବା ଦୁଇ ସପ୍ତାହ ବଢ଼ାଇବାକୁ କହିଛନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨୧ ଦିନର ଲକ୍‌ଡାଉନ୍‌ ଭାରତରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯଥେଷ୍ଟ ହେବ ନାହିଁ। ତେଣୁ ଲକ୍‌ଡାଉନ୍‌ ୪୯ ଦିନ ପର୍ଯ୍ୟନ୍ତ ସଂପ୍ରସାରିତ ହେବା ଦରକାର। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍‌ ମ୍ୟାଥ୍‌ମେଟିକ୍‌ସ୍‌ ଓ ଥିଓରିଟିକାଲ୍‌ ଫିଜିକ୍ସ ବିଭାଗ ସଂଚାଳିତ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ମାର୍ଚ ୨୫ ତାରିଖରୁ ଲାଗୁହୋଇଥିବା ଲକ୍‌ଡାଉନ୍‌ ସର୍ତ୍ତାବଳୀ ଓ କଟକଣାକୁ ବିଚାରକୁ ନେଇଛନ୍ତି। ସେମାନେ ଆକଳନ କରିଛନ୍ତି ଯେ ଏହି ଲକ୍‌ଡାଉନ୍‌ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ହାର କମିଯିବ। ମାତ୍ର ଏ ଲକ୍‌ଡାଉନ୍‌ ଉଠିଯିବା ପରେ ଯେତେବେଳେ ଏ ସଂକ୍ରାମକ ବ୍ୟାଧି ଲେଉଟିବ, ସେତେବେଳେ ସଂକ୍ରମଣ ହାର ଅଧିକ ରହିବ ଏବଂ ସ୍ଥିତି ଅସମ୍ଭାଳ ହୋଇପଡ଼ିବ। ଏପରିକି ୫ ଦିନର କୋହଳ କଟକଣାଯୁକ୍ତ ଜୀବନଯାତ୍ରା ପରେ ପୁଣି ୨୮ ଦିନିଆ ଲକ୍‌ଡାଉନ୍‌ ଲାଗୁ କଲେ ମଧ୍ୟ ସଂକ୍ରମଣ ହାର ଆଉ ଖସିବ ନାହିଁ ଏବଂ ଦ୍ୱିତୀୟ ଦଫା ଲକ୍‌ଡାଉନ୍‌ ଆଉ ଉଦ୍ଦେଶ୍ୟ ସାଧନରେ ଯଥେଷ୍ଟ ହେବ ନାହିଁ। ଅନ୍ୟ ଏକ ସୂତ୍ର କ୍ରମରେ ଯଦି ୨୧ ଦିନ, ୨୮ ଦିନ ଏବଂ ୧୮ ଦିନର ତିନିଟି ଲକ୍‌ଡାଉନ୍‌ ପାଞ୍ଚ ପାଞ୍ଚ ଦିନର ହୁଗୁଳା ଜୀବନଯାତ୍ରାକୁ ସୁଯୋଗ ଦେଇ କରାଯାଏ, ତେବେ ତାହା ଦ୍ୱାରା ବ୍ୟାପକ ସଂକ୍ରମଣକୁ ଅଟକାଯାଇପାରିବ। କାରଣ ସଂସ୍ପର୍ଶ ଠାବ କରିବା ସହଜ ହେବା ସହ ସଙ୍ଗରୋଧ ମଧ୍ୟ ସଫଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe