Image Courtesy of India Today
ମସ୍କୋ: ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷାରେ ସମସ୍ତ ଅଂଶଗ୍ରହଣକାରୀଙ୍କ ଠାରେ ରୁଷ୍ର କୋଭିଡ୍-୧୯ ନିରୋଧୀ ଟିକା ‘ସ୍ପୁଟ୍ନିକ୍-୫’ ‘ଆଣ୍ଟିବଡି ରେସ୍ପନସ୍’ ଉତ୍ପାଦନ କରିଥିବା କଥା ଶୁକ୍ରବାର ଦିନ ‘ଦି ଲାନ୍ସେଟ୍’ ଡାକ୍ତରୀ ପତ୍ରିକାରେ ପ୍ରକାଶିତ ଫଳାଫଳରେ ଉଲ୍ଲେଖ କରାଯାଇଛି। ମସ୍କୋ ଏହାକୁ ସମାଲୋଚକଙ୍କ ପ୍ରତି ସମୁଚ୍ଚିତ ଜବାବ ଭାବେ ବିଚାର କରି ପ୍ରଶଂସା କରିଛି।
‘ଦି ଲାନ୍ସେଟ୍’ କହିଛି, ଏ ବର୍ଷ ଜୁନ୍-ଜୁଲାଇ ମାସରେ ୭୬ଜଣ ଅଂଶଗ୍ରହଣକାରୀଙ୍କ ଠାରେ କରାଯାଇଥିବା ଦୁଇଟି ପରୀକ୍ଷାର ଫଳାଫଳରୁ ଜଣାପଡ଼ିଛି ଯେ, ଅଭିନବ କରୋନାଭାଇରସ୍ ବିରୋଧରେ ଶତପ୍ରତିଶତ ଅଂଶଗ୍ରହଣକାରୀ ‘ଆଣ୍ଟିବଡି’ (ରୋଗପ୍ରତିରୋଧକ ଉପାଦାନ) ବିକଶିତ ହୋଇଛି। ଏବଂ ସେମାନଙ୍କ ଠାରେ କୌଣସି ସାଙ୍ଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇନାହିଁ।
ଘରୋଇ ବ୍ୟବହାର ଲାଗି ଅଗଷ୍ଟ ମାସରେ ରୁଷ୍ ଦୁଇଟି ସଟ୍ ଟିକାର ଲାଇସେନ୍ସ୍ ହାସଲ କରିଥିଲା। ଟିକା ସଂକ୍ରାନ୍ତରେ କୌଣସି ତଥ୍ୟ ପ୍ରକାଶ ନ କରି କିଂବା ବ୍ୟାପକ ପରୀକ୍ଷା ଆରମ୍ଭ ନ କରି ଏ ଭଳି କରିବାରେ ରୁଷ୍ ବିଶ୍ବର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା।
Image Courtesy of US News and World Report‘ଦି ଲାନ୍ସେଟ୍’ କହିଛି, ପ୍ରତ୍ୟେକରେ ୩୮ଜଣ ସ୍ବାସ୍ଥ୍ୟବାନ ପ୍ରାପ୍ତବୟସ୍କଙ୍କ ସମେତ ଦୁଇଟି ୪୨ ଦିନିଆ ପରୀକ୍ଷାରେ ଭାଗନେଇଥିବା ବ୍ୟକ୍ତିବିଶେଷଙ୍କ ଠାରେ କୌଣସି ସାଙ୍ଘାତିକ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇନାହିଁ ଏବଂ ଏଥିରେ ଥିବା ଭୂତାଣୁ ନିଶ୍ଚିତ ଭାବେ ‘ଆଣ୍ଟିବଡି’ ପ୍ରତିକ୍ରିୟା ବୃଦ୍ଧି କରାଇଛି।
କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଏହି ଟିକାର ଦୀର୍ଘକାଳୀନ ସୁରକ୍ଷା ଏବଂ ଫଳପ୍ରସୂତା ପ୍ରମାଣ କରିବାକୁ ‘ପ୍ଲେସିବୋ’ ତୁଳନା ସମେତ ବ୍ୟାପକ ଦୀର୍ଘକାଳୀନ ପରୀକ୍ଷା ଏବଂ ଅଧିକ ପର୍ଯ୍ୟବେକ୍ଷଣ ଆବଶ୍ୟକ ବୋଲି ‘ଦି ଲାନ୍ସେଟ୍’ କହିଛି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସୋଭିଏତ୍ ଦେଶ ଦ୍ବାରା ଉତ୍କ୍ଷେପିତ ବିଶ୍ବର ପ୍ରଥମ କୃତ୍ରିମ ଉପଗ୍ରହ ପ୍ରତି ଶ୍ରଦ୍ଧାଞ୍ଜଳିପୂର୍ବକ ଏହି ଟିକାର ନାମ ‘ସ୍ପୁଟ୍ନିକ୍-୫’ ରଖାଯାଇଛି। ଅନ୍ତର୍ଜାତୀୟ ଅନୁମୋଦିତ ପରୀକ୍ଷା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଏହି ଟିକା ବ୍ୟବହାର ନ କରିବାକୁ କେତେକ ପାଶ୍ଚାତ୍ୟ ବିଶେଷଜ୍ଞ ଚେତାବନୀ ଦେଇଥିଲେ।
ପ୍ରଥମ ଥର ଲାଗି ଆନ୍ତର୍ଜାତିକ ଜର୍ଣ୍ଣାଲ୍ରେ ଏହି ଟିକାର ଫଳାଫଳ ପ୍ରକାଶ ପାଇବା ସହ ଗତ ସପ୍ତାହରେ ଆରମ୍ଭ ହୋଇଥିବା ଆଉ ୪୦ ହଜାର ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା କରାଇ ମସ୍କୋ ସମାଲୋଚକମାନଙ୍କୁ ପରାହତ କରିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।
Follow Us