ଧନୀ ରାଷ୍ଟ୍ର ଝାମ୍ପିନେଲେଣି ୫୧% ଟିକା, ଦୁଇ ତୃତୀୟାଂଶ ଲୋକଙ୍କୁ ୨୦୨୨ ସୁଦ୍ଧା ଟିକା ମିଳିବନି

Advertisment

ମହାମାରୀ ଦୀର୍ଘସ୍ଥାୟୀ ହେବା ସହ ଅଧିକ ବିଭୀଷିକା ରଚାଇବା ଆଶଙ୍କା

ମହାମାରୀ ଦୀର୍ଘସ୍ଥାୟୀ ହେବା ସହ ଅଧିକ ବିଭୀଷିକା ରଚାଇବା ଆଶଙ୍କା

ଡିସେମ୍ବର ସୁଦ୍ଧା ମଡର୍ଣ୍ଣା, ଫାଇଜର ଟିକା

Express Pharma

ୱାସିଂଟନ : ମହାମାରୀ କୋଭିଡ୍‌-୧୯ ପ୍ରକୋପରୁ ବର୍ତ୍ତିବା ଲାଗି ପ୍ରତ୍ୟେକ ରାଷ୍ଟ୍ର କୌଣସି ଏକ ଫଳପ୍ରଦ ଟିକାକୁ ଚାତକ ପରି ଚାହିଁ ରହିଛନ୍ତି। ବିଶ୍ବର ବିଭିନ୍ନ ପ୍ରାନ୍ତରେ ୨୦୦ରୁ ଅଧିକ ଟିକା ବିକଶିତ ହୋଇ ବିଭିନ୍ନ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତରରେ ରହିଛି। ସେଥି ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଜାରି ରଖିଥିବା ୯ଟି କମ୍ପାନିର ଟିକା ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ସାର୍ବଜନୀନ ଉପଯୋଗ ପାଇଁ ଉପଲବ୍‌ଧ ହୋଇପାରିବ ବୋଲି ଅନୁମାନ କରାଯାଉଛି। ତେବେ ସେହି ସବୁ ଟିକାର ସିଂହଭାଗ ହାତେଇ ନେବା ଲାଗି ହାତଗଣତି କିଛି ଧନୀ ରାଷ୍ଟ୍ର ବଇନା କରି ସାରିଛନ୍ତି। ବିଶ୍ବର ମାତ୍ର ୧୩ ପ୍ରତିଶତ ଜନସଂଖ୍ୟା ବହନ କରିଥିବା ଏହି ଧନୀ ରାଷ୍ଟ୍ରମାନେ ସମ୍ଭାବ୍ୟ ପ୍ରମୁଖ କୋଭିଡ୍‌ ଟିକାଗୁଡ଼ିକର ୫୧ ପ୍ରତିଶତ ବରାଦ କରିସାରିଛନ୍ତି ବୋଲି ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅକ୍ସଫାମ୍‌ ଦେଇଥିବା ରିପୋର୍ଟ ଗରିବ ରାଷ୍ଟ୍ରମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଫଳରେ ବିଶ୍ବବ୍ୟାପୀ କରୋନା ଭୂତାଣୁ ମୁକାବିଲା ବିଫଳ ହେବା ସହ ସ୍ଥିତି ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି।

ତଥ୍ୟ ବିଶ୍ଳେଷଣକାରୀ କମ୍ପାନି ଏୟାରଫିନିଟି ପ୍ରଦତ୍ତ ତଥ୍ୟକୁ ଭିତ୍ତି କରି ଅକ୍ସଫାମ କହିଛି ଯେ ଚୂଡ଼ାନ୍ତ ନୈଦାନିକ ପରୀକ୍ଷଣ ଚାଲିଥିବା ୯ଟି ଟିକା ମଧ୍ୟରୁ କେବଳ ଆଷ୍ଟ୍ରାଜେନେକା, ଗମାଲେଇ, ମଡର୍ଣ୍ଣା, ଫାଇଜର ଓ ସିନୋଭାକ କମ୍ପାନି ଦ୍ବାରା ପ୍ରସ୍ତୁତ ଟିକାଗୁଡ଼ିକର ସାର୍ବଜନୀନ ଯୋଗାଣ ପାଇଁ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଚୂଡ଼ାନ୍ତ ପରୀକ୍ଷଣ ପରେ ଏହି ପାଞ୍ଚଟି ଯାକ ଟିକା ଫଳପ୍ରଦ ସାବ୍ୟସ୍ତ ହେଲେ ବି ବିଶ୍ବର ୬୧ ପ୍ରତିଶତ ବା ପାଖାପାଖି ଦୁଇ ତୃତୀୟାଂସ ଲୋକ ଅତି କମ୍‌ରେ ୨୦୨୨ ମସିହା ସୁଦ୍ଧା ଟିକାଟିଏ ପାଇପାରିବେନି। ଏମିତି ବି ସେମାନଙ୍କ ଭିତରୁ କୌଣସି ଟିକା ବିଫଳ ହେଲେ ଆହୁରି ଅଧିକ ଲୋକଙ୍କୁ ଟିକା ମିଳିବନି। ଅପରପକ୍ଷେ, ବିଶ୍ବର ମାତ୍ର ୬ ପ୍ରତିଶତ ଲୋକଙ୍କ ପାଇଁ ବା ସାଢ଼େ ୪୭ କୋଟି ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ଥିବା ମଡର୍ଣ୍ଣା କମ୍ପାନି ଏହାର ସମସ୍ତ ଟିକାକୁ ଧନୀ ରାଷ୍ଟ୍ରମାନଙ୍କୁ ଯୋଗାଇବ ବୋଲି ବରାଦ ସରିଛି। ଅନ୍ୟ ଏକ ଆକଳନ ଅନୁଯାୟୀ, ଏହି ପାଞ୍ଚଟି ଯାକ କମ୍ପାନି ସାମଗ୍ରିକ ଭାବେ ସେମାନଙ୍କ ଟିକାର ୫୯୪ କୋଟି ମାତ୍ରା ପ୍ରସ୍ତୁତ କରିପାରିବେ। ତେବେ ଜଣକୁ ଦୁଇଟି କରି ଟିକା ହିସାବରେ ସେଥିରେ ମାତ୍ର ୨୯୭ କୋଟି ଲୋକ ଉପକୃତ ହୋଇପାରିବେ। ଏଣେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ୫୩୦ କୋଟି ମାତ୍ରାର ଯୋଗାଣ ପାଇଁ ରାଜିନାମା ସ୍ବାକ୍ଷର ହୋଇଥିବା ବେଳେ ସେଥିରୁ ୫୧ ପ୍ରତିଶତ ବା ୨୭୩ କୋଟି ମାତ୍ରାକୁ ଆମେରିକା, ୟୁକେ, ଅଷ୍ଟ୍ରେଲିଆ, ହଂକଂ-ମାକାଓ, ଜାପାନ, ସ୍ବିଜରଲାଣ୍ଡ ଓ ଇସ୍ରାଏଲ ପରି କିଛି ଧନୀ ରାଷ୍ଟ୍ର କିଣି ସାରିଛନ୍ତି। ବାକି ୨୫୭ କୋଟି ମାତ୍ରା ଭାରତ, ବାଂଳାଦେଶ, ଚୀନ୍‌, ବ୍ରାଜିଲ, ଇଣ୍ଡୋନେସିଆ ଓ ମେକ୍ସିକୋ ପରି ବିକାଶଶୀଳ ରାଷ୍ଟ୍ର ଭାଗରେ ପଡ଼ିଛି। ସୁତରାଂ ଗରିବ ରାଷ୍ଟ୍ରମାନଙ୍କ ହାତରେ କୌଣସି ବିକଳ୍ପ ହିଁ ନାହିଁ।

ସୂଚନା ଥାଉ କି, ଜାତିସଂଘ ଇତିହାସରେ ସର୍ବାଧିକ ଆହ୍ବାନ ଆଣିଥିବା ଏହି ମହାମାରୀର ନିୟନ୍ତ୍ରଣ, ପ୍ରକୋପର ହ୍ରାସ ଏବଂ ଏହାର ପରିଣତି ସହ ଖାପ ଖୁଆଇବା ପାଇଁ ଆନ୍ତର୍ଜାତିକ ସହଯୋଗ ଏବଂ ଐକ୍ୟଭାବର କାମନା କରି ଗତ ୧୦ ତାରିଖରେ ଏକ ସଂକଳ୍ପ ପାରିତ ହୋଇଯାଇଛି। ସଦସ୍ୟ ରାଷ୍ଟ୍ରମାନଙ୍କୁ କୋଭିଡ୍‌-୧୯ର ମୁକାବିଲା ପାଇଁ ନିରାପଦ, ଉଚ୍ଚ ଗୁଣବତ୍ତା ସଂପନ୍ନ, ପ୍ରଭାବଶାଳୀ ତଥା ଶସ୍ତା ନିଦାନ, ଉପକରଣ ଓ ଟିକାର ସମୟୋଚିତ ଉପଲବ୍‌ଧ କରାଇବା ଲାଗି ବାଧ୍ୟ କରାଯାଇଛି। ସେହିପରି ମହାମାରୀର ଅନ୍ତ ଘଟାଇବା ଲାଗି ଏହାର ନିୟନ୍ତ୍ରଣ ଓ ସଂକ୍ରମଣ ହ୍ରାସ ପାଇଁ କୌଣସି ନିରାପଦ ଫଳପ୍ରଦ ତଥା ଶସ୍ତା ଟିକା ଉପଲବ୍‌ଧ ମାତ୍ରେ ବିକ୍ଷିପ୍ତ ଟିକାକରଣ ହିଁ ବିଶ୍ବ ସାର୍ବଜନୀନ ସ୍ବାସ୍ଥ୍ୟ ପାଇଁ ହିତକର ହେବ ବୋଲି କୁହାଯାଇଛି। ସ୍ମରଣଯୋଗ୍ୟ, କୌଣସି ଫଳପ୍ରଦ ଟିକା କେବଳ ଥିଲାବାଲାଙ୍କ ପାଇଁ ଉପଲବ୍‌ଧ ହୋଇ ଏହାକୁ ପ୍ରାଣପଣେ ଲୋଡୁଥିବା ସାଧାରଣ ଲୋକଙ୍କୁ ନମିଳିଲେ ଏହି ମହାମାରୀ ଆହୁରି ଦୀର୍ଘସ୍ଥାୟୀ ହେବା ସହ ଅଧିକ ବିଭୀଷିକା ରଚାଇବ ବୋଲି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ପୂର୍ବରୁ ସତର୍କ କରାଇ ଦେଇଥିଲେ। ସୁତରାଂ ବ୍ୟବସାୟୀକରଣକୁ ପ୍ରାଧାନ୍ୟ ଦେଇ ଟିକାର ବଜାର ପ୍ରବେଶ ହେବା ବଦଳରେ ଏହା ଯେପରି ସର୍ବସାଧାରଣଙ୍କୁ ମିଳିପାରିବ ସେଥିପ୍ରତି ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଯତ୍ନଶୀଳ ହେବାକୁ ସେ ଯଥେଷ୍ଟ ଆଗରୁ ପରାମର୍ଶ ଦେଇଛନ୍ତି। ସେହିପରି କୌଣସି ଫଳପ୍ରଦ ଟିକାକୁ କେବଳ ଧନୀକ ଓ ପ୍ରଭାବଶାଳୀ ଗୋଷ୍ଠୀ ହଡ଼ପ କରିନେବା ପୂର୍ବରୁ ଯେଉଁଠି ତାହା ପ୍ରଥମେ ପହଞ୍ଚିବା ଜରୁରୀ ସେଠାରେ ପ୍ରାପ୍ତ କରାଇବା ପାଇଁ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମାତ୍ର ଧନୀ ରାଷ୍ଟ୍ରମାନଙ୍କର ଏଭଳି ଆଭିମୁଖ୍ୟ ଏବେ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe