ପଶ୍ଚିମବଙ୍ଗରେ ‘ସାହାଣ ମେଲା’ ରାଜନୀତି ବିଜେପି ପାଇଁ ‘ବୁମେରାଂ’ ସାବ୍ୟସ୍ତ ହେବ ନାହିଁ ତ ??

Advertisment
ପଶ୍ଚିମବଙ୍ଗରେ ‘ସାହାଣ ମେଲା’ ରାଜନୀତି ବିଜେପି ପାଇଁ ‘ବୁମେରାଂ’ ସାବ୍ୟସ୍ତ ହେବ ନାହିଁ ତ ??

କୋଲକାତା (ପୁଷ୍ପମିତ୍ର ମହାନ୍ତି) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ତିନି ସପ୍ତାହ ବାକି ରହିଛି। ଏ ପରିସ୍ଥିତିରେ ପଶ୍ଚିମବଙ୍ଗ ବିଜେପିରେ ନୂଆ ଓ ପୁରୁଣାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ, ଅସନ୍ତୋଷ ଓ ତିକ୍ତତା ଥମିବା ପରିବର୍ତ୍ତେ କ୍ରମେ ବିଦ୍ରୋହ ଆଡ଼କୁ ମୁହାଁଇବା ଘଟଣା ଦଳୀୟ ବରିଷ୍ଠ ନେତାଙ୍କୁ ଚିନ୍ତାରେ ପକାଇଦେଇଛି। କାରଣ, ବିଜେପି ନିଜର ନିର୍ବାଚନୀର ରଣନୀତିର ଏକ ଅଂଶ ଭାବରେ ଅନ୍ୟ ଦଳର ନେତାଙ୍କ ପାଇଁ ନିଜ ଦଳର ଦ୍ୱାରକୁ ଖୋଲିଥିଲା। ଆଉ,ଏହାର ସୁଯୋଗ ନେଇ ଅନ୍ୟ ଦଳର ବହୁ ନେତା ବିଜେପି ମଧ୍ୟକୁ ପଶି ଆସିଥିଲେ। ହେଲେ ପ୍ରତିଦ୍ୱନ୍ଦ୍ୱୀ ଶିବିରରୁ ଆସି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦଳରେ ସାମିଲ ହେବା ଘଟଣାକୁ ଦଳର ପୁରୁଣା ନେତାମାନେ ସହଜରେ ଗ୍ରହଣ କରି ନ ଥିଲେ।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ଏହି ରଣନୀତି ପ୍ରାରମ୍ଭରେ ‘ଗେରୁଆ’ କ୍ୟାମ୍ପ ପାଇଁ ‘ଡିଭିଡେଣ୍ଡ୍‌’ ଅମଳ କରିଥିଲା ଏବଂ ଟିଏମସିକୁ ବୁଡ଼ି ଯାଉଥିବା ଜାହାଜ ଭାବରେ ନାମିତ କରିଥିଲା। କିନ୍ତୁ ଏହା ଶେଷରେ ସଂଗଠନ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା ଏବଂ ଦଳ ପଶ୍ଚିମବଙ୍ଗରେ ଆରମ୍ଭ କରିଥିବା ଦୁର୍ନୀତି ବିରୋଧରେ ଲଢ଼େଇକୁ ଗୌଣ କରି ଦେଇଥିଲା। କାରଣ, ଯେଉଁମାନେ ଟିଏମ୍‌ସି ଛାଡ଼ି ଆସି ବିଜେପିରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଦୁର୍ନୀତିରେ ବୁଡ଼ି ରହିଥିଲେ ଏବଂ ସେମାନଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ମଧ୍ୟ ବେଶ ଲମ୍ବା ଥିଲା। ଏ ଘଟଣା ଜାଣିବା ପରେ ଦଳ ମଧ୍ୟକୁ ଗଣପ୍ରବେଶ ଉପରେ ରୋକ୍‌ ଲଗାଯାଇଥିଲା। ହେଲେ, ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ଆଉ ଯେଉଁଥି ପାଇଁ ରାଜ୍ୟର ୨୯୪ ନିର୍ବାଚନମଣ୍ଡଳୀ ପାଇଁ ବିଜେପିରେ ଏବେ ୮,୦୦୦ ଆଶାୟୀ ପ୍ରାର୍ଥୀ। ଏ ପରିସ୍ଥିତିିରେ ଉପଯୁକ୍ତ ପ୍ରାର୍ଥୀ ‘ଚୟନ’ କରିବା ‘ହର୍କୁଲିଆନ୍‌ ଟାସ୍କ’ ଠାରୁ କୌଣସି ଗୁଣରେ କମ ନୁହେଁ। ସେଥିପାଇଁ ବିଧାୟକ ପ୍ରାର୍ଥୀ ତ ଦୂରର କଥା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତା’ ବି ଚୂଡ଼ାନ୍ତ ହୋଇ ପାରୁନି।

publive-image

‘ଆମେ କେବେବି ଭାବି ନ ଥିଲୁ ଯେ ଅନ୍ୟ ଦଳର ନେତାଙ୍କ ଅନୁପ୍ରବେଶ ଏଭଳି ପରିସ୍ଥିତି ସୃଷ୍ଟି କରିବ ବୋଲି। ପ୍ରତିଦିନ ଆମେ ପୁରୁଣା ଏବଂ ନବାଗତଙ୍କ ମଧ୍ୟରେ କନ୍ଦଳର ଖବର ପାଉଛୁ। ଆମେ ଅନୁଭବ କରୁଛୁ ଯେ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳ ଭିତରେ ଅସନ୍ତୋଷ ଆହୁରି ବଢ଼ିିବ’ ବୋଲି କହିଛନ୍ତି ବିଜେପି ନେତା। ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ କହିଛନ୍ତି ବିଜେପି ହେଉଛି ଏକ ବଡ଼ ପରିବାର। ସମସ୍ତଙ୍କୁ ଦଳର ନିୟମାବଳୀ ପାଳନ କରିବାକୁ ପଡିବ। ଦଳ ଉପରେ କେହି ନୁହେଁ ବୋଲି ଘୋଷ କହିଛନ୍ତି। ହେଲେ, ଏହାକୁ କେହି ଶୁଣିବା ବା ମାନିବା ‘ମୁଡ୍‌’ରେ ନାହାନ୍ତି।

ଟିଏମସିର ୧୯ ଜଣଙ୍କ ସମେତ ଅନ୍ୟ ଦଳର ମୋଟ ୨୮ ଜଣ ବିଧାୟକ ଗତ କିଛି ମାସ ମଧ୍ୟରେ ବିଜେପିରେ ସାମିଲ ହୋଇଛନ୍ତି। ଟିଏମ୍‌ସିର ଜଣେ ସାଂସଦ ମଧ୍ୟ ବିଜେପିକୁ ଆସିଛନ୍ତି। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ହେଭିୱେଟ୍‌ ରାଜନେତା ତଥା ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ, ରାଜୀବ ବାନାର୍ଜୀ, ଶୋଭନ୍‌ ଚାଟାର୍ଜୀ ଏବଂ ଜିତେନ୍ଦ୍ର ତିୱାରୀ। ବିଜେପିରେ ପୁରୁଣା ଓ ନବାଗତଙ୍କ ମଧ୍ୟରେ ବିବାଦର ସୂତ୍ରପାତ ପ୍ରଥମେ ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିଲା, ଯେତେବେଳେ ବିଜେପିର ଭେଟେରାନ୍‌ ନେତା ରାହୁଲ ସିହ୍ନାଙ୍କୁ ଦଳର ଜାତୀୟ ସଚିବ ପଦରୁ ହଟାଇ ତାଙ୍କ ସ୍ଥାନରେ ଟିଏମସିରୁ ଆସିଥିବା ସାଂସଦ ଅନୁପମ ହଜରା ବସିଥିଲେ। ସିହ୍ନା ଖୋଲାଖୋଲି ଭାବରେ କହିଥିଲେ ଯେ ଟିଏମସିର ନେତାଙ୍କ ପାଇଁ ସ୍ଥାନ ସୃଷ୍ଟି କରିବା ପାଇଁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସାୟନ୍ତ ବସୁ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ମୁଖ୍ୟ ଅଗ୍ନିମିତ୍ର ପାଲଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଡିସେମ୍ବର ମାସରେ ତିୱାରୀଙ୍କ ବିଜେପିରେ ସାମିଲକୁ ବିରୋଧ କରିଥିଲେ।

ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାକୁ ଥିବା ପଶ୍ଚିମବଙ୍ଗରେ ନିର୍ବାଚନ ଆଠଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ସିଟ୍‌ ପାଇଁ ମତଦାନ ଆରମ୍ଭ ହେବ। ଏ ପରିସ୍ଥିତିରେ ‘ସାହଣ ମେଲା’ ରାଜନୀତି ବିଜେପି ପାଇଁ ‘ବୁମେରାଂ’ ସାବ୍ୟସ୍ତ ହେବ ନାହିଁ ତ ??

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe