କୋଲକାତା: ଆର୍ଜେଣ୍ଟିନାର ମହାନ ଫୁଟ୍ବଲ୍ ତାରକା ଲିଓନେଲ୍ ମେସିଙ୍କ ଭାରତ ଗସ୍ତ ବିବାଦ ଘେରକୁ ଆସିଛି। ଶନିବାର କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ତାଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହୋଇଛି। ଫଳରେ ପ୍ରଶଂସକମାନେ ତୁମୁଳ କାଣ୍ଡ ଘଟାଇ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ହଜାର ହଜାର ଟଙ୍କା ଦେଇ ଟିକେଟ୍ କିଣିବା ପରେ ମେସିଙ୍କ ଟିକିଏ ବି ଝଲକ ପାଇବାରୁ ବଞ୍ଚିତ ହେବା ପରେ ଉପସ୍ଥିତ ପାଖାପାଖି ୫୦,୦୦୦ କ୍ଷୁବ୍ଧ ପ୍ରଶଂସକ ଷ୍ଟାଡିୟମ୍ର ଫାଇବର୍ ଚୌକି ଓ ଅନ୍ୟାନ୍ୟ ଉପକରଣ ଭାଙ୍ଗି ଛାରଖାର କରି ଦେଇଥିଲେ। ପଡ଼ିଆ ଭିତରକୁ ବୋତଲ ମାଡ଼ ବି କରିଛନ୍ତି। ଷ୍ଟାଡିୟମ୍ ଭିତରେ ପଶି ଅସ୍ଥାୟୀ ଟେଣ୍ଟ୍ ସବୁକୁ ଓଲଟାଇ ଛିନ୍ଛତ୍ର କରି ଦେଇଛନ୍ତି। ଏପରିକି କିଛି ଅମାନିଆ ଦର୍ଶକ ଷ୍ଟାଡିୟମ୍ର ପ୍ଲାଷ୍ଟିକ୍ ଚୌକି ଭାଙ୍ଗି ଉପସ୍ଥିତ ପୁଲିସ କର୍ମଚାରୀଙ୍କ ଉପରକୁ ଫିଙ୍ଗିବାରୁ ଏଥିରେ କିଛି ପୁଲିସକର୍ମୀ ଆହତ ହୋଇପଡ଼ିଛନ୍ତି। ଯାହା ଫଳରେ ପଶ୍ଚିମବଙ୍ଗ ସହ ସମଗ୍ର ଭାରତ ବର୍ଷ ବିଶ୍ବ ଦରବାରରେ ନିନ୍ଦିତ ହୋଇଛି। ଏହି ଘଟଣାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ପରସ୍ପର ଉପରେ କାନ୍ଦୁଅ ଫିଙ୍ଗିବା ଆରମ୍ଭ କରି ଦେଇଛନ୍ତି। ଏଭଳି ଆଶୋଭନୀୟ ଘଟଣା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବସାଧାରଣରେ ମେସିଙ୍କ ସହ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ପୁଣି ଏଭଳି ପରିଚାଳନାଗତ ତ୍ରୁଟି କିଭଳି ହେଲା? ତାହାର ଅସଲ କାରଣ ଜାଣିବା ଲାଗି ତଦନ୍ତ କମିଟି ଗଠନ କରିଛନ୍ତି। କମିଟିର ରିପୋର୍ଟ ଅନୁସାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଆୟୋଜକଙ୍କ ଦୂରଦୃଷ୍ଟିର ଅଭାବ, ପରିଚାଳନାଗତ ଦୁର୍ବଳତା ତଥା କ୍ଷମତାଠାରୁ ଅଧିକ ଦର୍ଶକଙ୍କୁ ଟିକେଟ୍ ବିକିବା ଲାଗି ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ମାମଲାର ଗୁରୁତ୍ବକୁ ବୁଝି କୋଲକାତା ପୁଲିସ୍ ପ୍ରଥମେ ମେସିଙ୍କର ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଶତଦ୍ରୁ ଦତ୍ତାକୁ କିଛି ସମୟ ଅଟକ ରଖିବା ପରେ ଗିରଫ କରିଛି। ତେବେ ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଲା ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।
ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ
୨୦,୦୦୦ ଦେଇ ବି ପାଇଲେନି ଟିକିଏ ଝଲକ
ଆୟୋଜକ ଗିରଫ, ୧୦ରୁ ଅଧିକ ପୁଲିସ ଆହତ
ସୂଚନା ଅନୁସାରେ ମେସି ଶନିବାର ପୂର୍ବାହ୍ନ ୧୧ଟା ୩୦ରେ ସଲ୍ଟ ଲେକ୍ ଷ୍ଟାଡିୟମ୍ ଭିତରକୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ପ୍ରବେଶ କରିଥିଲେ। ଢେର ସମୟ ହେବ ଅପେକ୍ଷା କରିଥିବା ଫୁଟ୍ବଲ୍ପ୍ରେମୀ ତାଙ୍କୁ ଦେଖିବା ଲାଗି ଏକପ୍ରକାର ପାଗଳ ହୋଇଯାଇଥିଲେ। ହେଲେ ମେସିଙ୍କୁ ସ୍ଥାନୀୟ ନେତା, ବରିଷ୍ଠ ପୁଲିସ ଅଧିକାରୀ, ଆୟୋଜକ ଓ କ୍ରୀଡ଼ାବିତ୍ମାନେ ଏଭଳି ଘେରି ଯାଇଥିଲେ ଯେ ୪ ହଜାରରୁ ୧୦ ହଜାର ଟଙ୍କା ଦେଇ ତାଙ୍କୁ ଦେଖିବାକୁ ଆସିଥିବା ସାଧାରଣ କ୍ରୀଡ଼ାପ୍ରେମୀ କିଛି ଦେଖି ପାରି ନଥିଲେ। ମେସିଙ୍କ ମୁହଁ ଛାଡ଼ନ୍ତୁ ତାଙ୍କ ସଂପୂର୍ଣ୍ଣ ଶରୀର ଭିଭିଆଇପିଙ୍କ ଘେରରେ ଲୁଚି ଯାଇଥିଲା। ଫଳରେ ରାଗରେ ନିଆଁବାଣ ହୋଇ ଯାହା ମିଳିଲା ତାକୁ ଭାଙ୍ଗି ଷ୍ଟାଡିୟମ୍ ଭିତରକୁ ଫିଙ୍ଗିବା ଆରମ୍ଭ କରି ଦେଇଥିଲେ। ଏସବୁ ଦେଖି ମେସି ନିଜେ ମଧ୍ୟ ବ୍ୟସ୍ତ ଓ ବିଚଳିତ ହୋଇଯାଇଥିଲେ। ଫଳରେ ଷ୍ଟାଡିୟମ୍ ଭିତରେ ସେ ପାଖାପାଖି ଅଧଘଣ୍ଟା ରହିବାର ଥିଲେ ବି ମାତ୍ର ୧୦ ମିନିଟ୍ ରହିପାରିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଦେଖି ଆୟୋଜକ ତାଙ୍କୁ ତରବରିଆ ଭାବେ କଡ଼ା ସୁରକ୍ଷା ଭିତରେ ଷ୍ଟାଡିୟମ୍ ବାହାରକୁ ନେଇଯାଇଥିଲେ। ଏହା ପରେ ପ୍ରଶଂସକ ଆହୁରି ଉଗ୍ର ହୋଇଉଠିଥିଲେ। ସୁରକ୍ଷା ବାଡ଼ ଭାଙ୍ଗି ପଡ଼ିଆ ଭିତରେ ପଶି ଢେର ସମୟ ପର୍ଯ୍ୟନ୍ତ ଫିଙ୍ଗା ଫୋପଡ଼ା ଓ ଭଙ୍ଗାରୁଜା କରିଥିଲେ।
Tradition: କୃଷିଭିତ୍ତିକ ପର୍ବ ‘ଦିଆଲି’ ପାଇଁ ଝରିଗାଁରେ ଚାଷୀଙ୍କ ମନରେ ଉତ୍ସାହ
ଜଣେ କ୍ଷୁବ୍ଧ ପ୍ରଶଂସକ କହିଛନ୍ତି ଆୟୋଜକମାନେ ମେସିଙ୍କୁ ଦେଖିବା ଲାଗି ଆମଠାରୁ ଟିକଟ ପିଛା ୪,୦୦୦ରୁ ଅଧିକ ଟଙ୍କା ନେଇଥିଲେ। ଟିକେଟ୍ ଦର ୪ରୁ ୧୦,୦୦୦ ଟଙ୍କା ଥିଲେ ମଧ୍ୟ ଅନେକ ମେସିପ୍ରେମୀ ଏହାକୁ କଳାବଜାରରେ ୨୦,୦୦୦ରୁ ଅଧିକ ଟଙ୍କା ଦେଇ କିଣିଥିଲେ। ଷ୍ଟାଡିୟମ୍ ଭିତରେ ଆୟୋଜକମାନେ କପେ ଚା’କୁ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରୁଥିଲେ। ଏସବୁ ସତ୍ତ୍ବେ ମେସିଙ୍କୁ ଆମେ ଟିକିଏ ହେଲେ ବି ଦେଖି ପାରିଳୁନି। ସେମାନେ ଆମ ସହ ବିଶ୍ବାସଘାତକତା କରିଛନ୍ତି। ପ୍ରଶଂସକଙ୍କ ରାଗକୁ ଦେଖି ଆୟୋଜକମାନେ ଟିକଟ ପାଇସାକୁ ଫେରାଇବାକୁ ପ୍ରସ୍ତାବ ଦେଇଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/sfhsfshfxbbv-2025-12-14-03-06-42.jpg)