Image Courtesy of India Today
ସରି: ୧୯୮୫ରେ ଏୟାର୍ ଇଣ୍ଡିଆର ୨ଟି ବିମାନରେ ବୋମାବିସ୍ଫୋରଣ ମାମଲାରେ ଦୋଷମୁକ୍ତ ହୋଇଥିବା କାନଡାର ଶିଖ୍ ନେତା ତଥା ବ୍ୟବସାୟୀ ରିପୁଦମନ ସିଂହ ମଲିକଙ୍କୁ ସରି ବି.ସି.ରେ ଗୁଳି ମାରି ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
‘ଗ୍ଲୋବାଲ୍ ନିଉଜ୍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗରୁବାର ସକାଳ ପ୍ରାୟ ୯.୩୦ରେ ସରି ବି.ସି.ରେ ଗୁଳିକାଣ୍ଡ ଘଟିଥିବା କଥା ‘ଆର୍ସିଏମ୍ପି’କୁ ଫୋନ୍ ଜରିଆରେ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ଦେଖିଲା ଜଣେ ବ୍ୟକ୍ତି କେତେଗୁଡ଼ିଏ ଗୁଳି ଚୋଟ ଖାଇ କ୍ଷତାକ୍ତ ହୋଇ ପଡ଼ିଛନ୍ତି।
ପୁଲିସ ଓ ସରକାରୀ ଅଧିକାରୀମାନେ କ୍ଷତାକ୍ତ ବ୍ୟକ୍ତିଙ୍କର ପ୍ରାଥମିକ ଉପଚାର କରିବା ପରେ ‘ଏମର୍ଜେନ୍ସି ହେଲ୍ଥ୍ ସର୍ଭିସେସ୍’ ଦାୟିତ୍ବରେ ଦିଆଯାଇଥିଲା। କିନ୍ତୁ, ଆହତ ବ୍ୟକ୍ତିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଲା ବୋଲି ‘ଗ୍ଲୋବାଲ୍ ନିଉଜ୍’ ରିପୋର୍ଟ କରିଛି।
Image Courtesy of Zee Newsନିହତ ବ୍ୟକ୍ତିଜଣକ ରିପୁଦମନ ସିଂହ ମଲିକ ବୋଲି କାନଡୀୟ ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ପ୍ରଥମେ ପୁଲିସ ତାଙ୍କ ପରିଚୟ ପ୍ରକାଶ କରି ନ ଥିଲା। ସାମାଜିକ ଗଣମାଧ୍ୟମରେ ମଲିକଙ୍କ ପୁଅ ଜସ୍ପ୍ରିତ୍ ମଲିକ୍ ବାପାଙ୍କୁ ହତ୍ୟା କରାଯାଇଥିବା କଥା ଉଲ୍ଲେଖ କରିବା ପରେ ପୁଲିସ ତାଙ୍କ ମୃତ୍ୟୁ କଥା ସୁନିଶ୍ଚିତ କରିଥିଲା।
ସରିରେ ‘କାର୍ ୱାସ୍’ରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଗୁରୁବାର ସକାଳେ ଗୁଳି ଫୁଟା ଶବ୍ଦ ଶୁଣି ବାହାରକୁ ଧାଇଁ ଆସି ମଲିକଙ୍କୁ କାର୍ ଭିତରେ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ସର୍ଜେଣ୍ଟ୍ ଟିମୋଥି ପାଇରୋଟି କହିଛନ୍ତି ଯେ, ଘଟଣା ଆବାସିକ ଅଞ୍ଚଳରେ ଘଟିଥିବାରୁ ପ୍ରତ୍ୟକ୍ଷଦର୍ଶୀମାନେ ଏହାର କାରଣ ଖୋଜି ପାଇବାରେ ସହାୟକ ହେବେ ବୋଲି ପୁଲିସର ଭରସା ଅଛି।
ସ୍ମରଣଯୋଗ୍ୟ, ୧୯୮୫ ଜୁନ୍ ୨୩ରେ ଏୟାର୍ ଇଣ୍ଡଆ ବିମାନରେ ହୋଇଥିବା ଆତଙ୍କବାଦୀ ବୋମା ବିସ୍ଫୋରଣ ଘଟଣାରେ ୩୨୯ଜଣ ବିମାନଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବ୍ରିଟିସ୍ କଲମ୍ବିଆ ସୁପ୍ରିମ୍ କୋର୍ଟରେ ମଲିକଙ୍କ ବିଚାର ହୋଇଥିଲା। ସୁପ୍ରିମ୍ କୋର୍ଟ କହିଥିଲେ ଯେ, ଭାଙ୍କୋଭର୍ ବିମାନ ବନ୍ଦରରେ ଗୋଟାଏ ବିମାନରେ ସୁଟ୍କେସ୍ ବମ୍ ରଖାଯାଇଥିଲା। ପରେ ଟରଣ୍ଟୋରେ ଉକ୍ତ ବୋମାଭରା ସୁଟ୍କେସ୍ଟିକୁ ଏୟାର୍ ଇଣ୍ଡିଆ ବିମାନ ୧୮୨କୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ବିମାନଟି ଆୟର୍ଲାଣ୍ଡ୍ ଉପକୂଳଠାରୁ ଦୂର ଆଣ୍ଟଲାଣ୍ଟିକ୍ ମହାସାଗର ଉପରେ ଉଡୁଥିବା ବେଳେ ସୁଟ୍କେସ୍ ବୋମା ବିସ୍ଫୋରଣରେ ଧ୍ବଂସ ହୋଇଯାଇଥିଲା। ସେଥିରେ ଯାତ୍ରା କରୁଥିବା ୩୨୯ଜଣ ଯାତ୍ରୀ ଏବଂ ବିମାନ ପରିଚାରକଙ୍କର ମୃତ୍ୟୁ ଘଟିଥିଲା।
Image Courtesy of NDTVଏହାର ଘଣ୍ଟାକ ପରେ ଟୋକିଓର ନରିତା ଏୟାର୍ପୋର୍ଟରେ ଆଉ ଏକ ଏୟାର୍ ଇଣ୍ଡିଆ ବିମାନରେ ନିର୍ଦ୍ଧାରିତ ସମୟର ଆଗରୁ ବୋମା ବିସ୍ଫୋରଣ ଘଟିଥିଲା। ଫଳରେ ଲଗେଜ୍ ଦାୟିତ୍ବରେ ଥିବା ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
ସେତେବେଳେ ରିପୁଦମନ ‘ଶିଖ୍ ବିଚ୍ଛିନ୍ନତାବାଦୀ ଖଲିସ୍ତାନ ଆନ୍ଦୋଳନ’ର ସମର୍ଥକ ଥିଲେ। ପ୍ରମାଣ ଅଭାବରୁ ସେ ଉକ୍ତ ବିମାନରେ ବୋମା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।
Follow Us