ହସି ହସି ଚାଲିଗଲେ ରିଷି; ଲୁହ ଧାରରେ ନୁହେଁ, ଧାରେ ହସରେ ମନେପଡ଼ିବେ

Advertisment
ହସି ହସି ଚାଲିଗଲେ ରିଷି; ଲୁହ ଧାରରେ ନୁହେଁ, ଧାରେ ହସରେ ମନେପଡ଼ିବେ

Deccan Herald

ମୁମ୍ବାଇ : ଭାରତୀୟ ଚଳିଚ୍ଚତ୍ର ଜଗତର ପ୍ରଥମ ଚକ୍‌ଲେଟ ହିରୋ, ଚାରି ଦଶନ୍ଧି କାଳ ବଲିଉଡ୍‌ରେ ରାଜ୍‌ କରିଥିବା ଅନେକ ରୋମାଣ୍ଟିକ୍ ଫିଲ୍ମର କିଂବଦନ୍ତି ଅଭିନେତା ରିଷି କାପୁର ଆଉ ନାହାନ୍ତି। ଆଜି ସକାଳ ୮ଟା ୪୫ରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଦୁଇ ବର୍ଷ ହେଲା ଲ୍ୟୁକେମିଆ ବା ରକ୍ତ କର୍କଟରେ ପୀଡ଼ିତ ଥିବା ରିଷି ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାକୁ ବୁଧବାର ତାଙ୍କୁ ସ୍ଥାନୀୟ ସାର୍‌ ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ବର୍ଷ ହେଲା ରକ୍ତକର୍କଟ ସହ ସଂଘର୍ଷ କରୁଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ହସୁଥିବା ଓ ହସାଉଥିବା ରିଷି ଶେଷରେ ବିଦାୟ ନେଇ ଯାଇଛନ୍ତି। ରିଷିଙ୍କ ବିୟୋଗରେ ସମଗ୍ର ବଲିଉଡ୍‌ ଏବଂ ସାରା ଦେଶରେ ‌ତାଙ୍କର ଅଗଣିତ ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି।

ରିଷିଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁଇଟି ମହାଦେଶରେ ତାଙ୍କର ଦୁଇ ବର୍ଷର ଚିକିତ୍ସା କାଳରେ ସେ ବେଶ୍‌ ଖୁସିମିଜାଜରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସହଯୋଗ କରୁଥିଲେ। ପରିବାର, ସାଙ୍ଗସାଥୀ, ଖାଦ୍ୟ ଓ ଚଳଚ୍ଚିତ୍ର ଉପରେ ନିଜର ଧ୍ୟାନ ରଖୁଥିଲେ। ଯିଏ ବି ତାଙ୍କୁ ଭେଟିବାକୁ ଯାଉଥିଲେ, ସେ ଉଲ୍ଲସିତ ହୋଇଉଠୁଥିଲେ। ୨୦୧୮ରେ ତାଙ୍କର ରୋଗ ନିଦାନ ହେବା ପରେ ସେ ନ୍ୟୁୟର୍କରେ ପ୍ରାୟ ବର୍ଷଟେ ଚିକିତ୍ସାଧୀନ ଥିଲେ। ସେପ୍ଟେମ୍ବର ୨୦୧୯ରେ ସେ ଭାରତ ଫେରିଥିଲେ। ଫେବ୍ରୁଆରିରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଦୁଇଥର ହସପିଟାଲରେ ଭର୍ତ୍ତି ହୋଇଥିଲେ।

ରିଷିଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଏକ ଗଣମାଧ୍ୟମ ବିବୃତିରେ କହିଛନ୍ତି, ‘ତାଙ୍କର ବିଶ୍ୱବ୍ୟାପୀ ପ୍ରଶଂସକମାନଙ୍କ ପାଖରେ ସେ କୃତଜ୍ଞ ଥିଲେ। ତାଙ୍କର ଦେହାନ୍ତ ପରେ ଲୁହ ଧାରରେ ନୁହେଁ, ବରଂ ଧାରେ ହସରେ ରିଷି କାପୁର ମନେପଡ଼ିବେ।’ ଦେଶବ୍ୟାପୀ ଜାରି ହୋଇଥିବା କରୋନା ଲକ୍‌ଡାଉନ୍‌ ପାଇଁ ତାଙ୍କର ଶେଷ ଦର୍ଶନ ବେଳେ ସତର୍କତା ଓ ଦୂରତା ଅବଲମ୍ବନ କରିବାକୁ ତାଙ୍କ ପରିବାର ରିଷିଙ୍କ ପ୍ରଶଂସକ ଓ ଶୁଭଚିନ୍ତକମାନଙ୍କୁ ଅନୁରୋଧ କରିଥିଲେ। ଆଇନକୁ ସମ୍ମାନ ଦେଇ ନିଜର ଶେଷ ସମ୍ମାନ ଜଣାଇବାକୁ ବିବୃତିରେ ଉଲ୍ଲେଖ ଥିଲା।

ପ୍ରସିଦ୍ଧ କାପୁର ପରିବାରର ଜଣେ ତୃତୀୟ ପିଢ଼ିର ଅଭିନେତା ଋଷି କାପୁର ହେଉଛନ୍ତି ଭାରତୀୟ ଚଳଚ୍ଚିତ୍ର ଜଗତର କିଂବଦନ୍ତି ଅଭିନେତା ଓ ନିର୍ଦ୍ଦେଶକ ରାଜ କାପୁରଙ୍କ ଦ୍ୱିତୀୟ ପୁଅ ଏବଂ ପୃଥ୍ୱୀରାଜ କାପୁରଙ୍କ ନାତି। ଜଣେ ଶିଶୁକଳାକାର ରୂପେ ସେ ‘ମେରା ନାମ ଜୋକର’(୧୯୭୦)ରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ସେଥିପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ। ତେବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ବବି’ ୧୯୭୩ରେ ଆସିବା ପରେ ବଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଥିଲା। ଡିମ୍ପଲ୍ କାପୋଡ଼ିଆଙ୍କ ସହ ତାଙ୍କର ‌ଏହି ରୋମାଣ୍ଟିକ୍ ସିନେମା ତାଙ୍କୁ ଏକ ରୋମାଣ୍ଟିକ୍ ହିରୋର ପରିଚୟ ଦେଇଥିଲା। ପରବର୍ତ୍ତୀ ଚାରି ଦଶନ୍ଧିରେ ସେ ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବିପୁଳ ଲୋକପ୍ରିୟତା ସାଙ୍ଗକୁ ଅନେକ ପୁରସ୍କାର ସାଉଁଟିଥିଲେ। ଶେଷ ଥର ପାଇଁ ‘୧୦୨ ନଟ୍‌ଆଉଟ୍‌’ରେ ସେ ଅଭିତାଭ ବଚ୍ଚନଙ୍କ ସହ ଆସିଥିଲେ। ତାଙ୍କ ଆତ୍ମଜୀବନୀ ‘‘ଖୁଲ୍ଲମ୍‌ ଖୁଲ୍ଲା: ଋଷି କାପୁର ଅନ୍‌ସେନସର୍‌ଡ୍‌’’କୁ ପ୍ରକାଶ କରିଥିଲା ହାର୍ପର କଲିନ୍ସ ଏବଂ ତାହା ‘ଦ ହିନ୍ଦୁ ଲିଟରେଚର ଫର୍‌ ଲାଇଫ୍‌ ୨୦୧୭’ରେ ଆତ୍ମପ୍ରକାଶ କରିଥିଲା। ଅଳ୍ପ ଦିନ ତଳେ ଦୀପିକା ପାଦୁକୋନ୍‌ଙ୍କୁ ନେଇ ତାଙ୍କର ପରବର୍ତ୍ତୀ ପ୍ରକଳ୍ପ ଘୋଷଣା କରିଥିଲେ, ଯାହା ଥିଲା ହଲିଉଡ୍‌ ଚଳଚ୍ଚିତ୍ର ‘ଦ ଇଣ୍ଟର୍ନ’ର ରିମେକ୍‌।

ଆଜି ଅପରାହ୍ଣରେ ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନଘାଟରେ ରିଷିଙ୍କର ଶେଷ ସଂସ୍କାର ହୋଇଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର ପରିବାର ସଦସ୍ୟ ଓ ହାତଗଣତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ମଶାନଘାଟରେ ରିଷିଙ୍କ ପତ୍ନୀ ନିତୁ, ପୁଅ ରଣବୀର, ଭାଇ ରଣଧୀର କାପୁର, ଝିଆରୀ କରିନା, ସୈଫ୍‌ ଅଲୀ ଖାନ୍‌, ପୁତୁରା ଅର୍ମାନ୍‌ ଓ ଆଦର ଜୈନ, ଅଭିନେତ୍ରୀ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଶିଳ୍ପପତି ଅନୀଲ ଅମ୍ବାନୀ, ଚିତ୍ରନିର୍ମାତା ଆୟାନ୍‌ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିବା ଦେଖାଯାଇଥିଲା। ତେବେ ନୂଆଦିଲ୍ଲୀରେ ରହୁଥିବା ରିଷି କାପୁରଙ୍କ ଝିଅ ରିଦ୍ଧିମାଙ୍କୁ ସଡ଼କ ପଥରେ ମୁମ୍ବାଇ ଆସିବାକୁ ଅନୁମତି ମିଳିଥିଲେ ମଧ୍ୟ ଶେଷ ସଂସ୍କାର ବେଳେ ସେ ପହଞ୍ଚି ପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe