NDTV.com
ଲଣ୍ଡନ : ଋଷି ସୁନକ ଇଂଲଣ୍ଡର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ହେବେ ବୋଲି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ମାଥିଉ ଜନ୍ ଡେଭିଡ୍ ହଂକକ (ମାଥ୍ ହଂକକ) ଏକ ଭାରତୀୟ ଗଣମାଧ୍ୟମ ସଂସ୍ଥା ସହ ସାକ୍ଷାତ୍କାରରେ କହିଛନ୍ତି। ଏହା ଧୀରେ ଧୀରେ ସତ ହେବାକୁ ଯାଉଛି।
୧୦ ଡାଉନିଂ ଷ୍ଟ୍ରିଟ୍କୁ ଦୌଡ଼ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଦୁଇ ପ୍ରତିଦ୍ବନ୍ଦ୍ବୀ, ଯାହାଙ୍କ ଭିତରେ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ଦ୍ବିତୀୟ ସ୍ଥାନରେ ଅଛନ୍ତି ବିଦେଶ ସଚିବ ଲିଜ୍ ଟ୍ରସ୍। ଗତ ଭୋଟ୍ରେ ସୁନକ ପାଇଥିଲେ ୧୩୭ ଜଣ ଟୋରି ସାଂସଦଙ୍କ ସମର୍ଥନ। ସେ ପୂର୍ବର ସମସ୍ତ ପର୍ଯ୍ୟାୟ ଭୋଟ୍ରେ ଅଗ୍ରଣୀ ରହିଥିଲେ।
ସୁନକଙ୍କ ଭାରତୀୟ ସମ୍ପର୍କ ବିଷୟରେ ହଂକକ କହିଲେ ଯେ ଋଷି ହେଉଛନ୍ତି ବ୍ରିଟିଶ କିନ୍ତୁ ଭାରତ ସହ ତାଙ୍କର ସମ୍ପର୍କକୁ ସେ ପ୍ରଧାନମନ୍ତ୍ରୀ ଭାବେ ବୋନସ୍ ଅକାରରେ ପାଇବେ।
ହଂକକ କହିଲେ - ଋଷି ହେଉଛନ୍ତି ଜନ୍ମରୁ ଏବଂ ବ୍ରିଟିଶ ଶିକ୍ଷାପ୍ରାପ୍ତ ଜଣେ ବାସ୍ତବ ଇଂଲିଶମ୍ୟାନ। ସେ ଏକ ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) ପରିବାରରେ ଜନ୍ମ ହୋଇଛନ୍ତି ଏବଂ ମୋ ପରି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଛନ୍ତି। କିନ୍ତୁ ତାଙ୍କ ଐତିହ୍ୟର ଭାରତ ସହ ଜଡ଼ିତ ଅନେକ ଦିଗ ରହିଛି। ସେ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ ଥିବା ତାଙ୍କର ଅନ୍ତରଙ୍ଗତାକୁ ଆମେ ବୋନସ ଆକାରରେ ପାଇବୁ। ଋଷିଙ୍କ ସହ ମୁଁ କାମ କରିଛି ଏବଂ ସେ ଦକ୍ଷତାର ସହ ସବୁ ସଂକଟର ପରିଚାଳନା କରିପାରନ୍ତି। ଋଷି କେବଳ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଯେ ମୁଁ ତାଙ୍କୁ ସମର୍ଥନ କରୁଛି ତାହା ନୁହେଁ, ବରଂ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅଛି, ସେଥିପାଇଁ। ବ୍ରିଟିଶମାନଙ୍କ ଭିତରେ ବି ସେ ଖୁବ୍ ଲୋକପ୍ରିୟ, ଯାହା ଆମକୁ ଜିତିବାରେ ସାହାଯ୍ୟ କରିବ ବୋଲି ହଂକକ କହିଥିଲେ।
Jagran Joshଋଷି ସୁନକ କିଏ?
ସାଉଥ୍ହାମ୍ଟନ୍ରେ ଜନ୍ମିତ ଋଷି ସୁନକଙ୍କ ବାପା ଜଣେ ଡାକ୍ତର ଓ ମାଆ ଜଣେ ଫାର୍ମାସିଷ୍ଟ। ତାଙ୍କର ଜେଜେବାପା ଓ ଜେଜେମା ପଞ୍ଜାବର ବାସିନ୍ଦା ଓ ପଞ୍ଜାବୀ ଜାଠ ସମ୍ପ୍ରଦାୟର ଥିଲେ ଏବଂ ସେ ନିଜକୁ ସୌନକ ଋଷିଙ୍କ ବଂଶଧର ବୋଲି କହିଥାନ୍ତି। ପୁରାଣର ଋଷି ସୁନକଙ୍କ ପୁଅ ହେଉଛନ୍ତି ସୌନକ ଋଷି ଏବଂ ନିଜ ଗୋତ୍ର ଋଷିଙ୍କ ନାମାନୁସାରେ ସୁନକଙ୍କ ବାପାମାଆ ତାଙ୍କ ପୁଅର ନାମ ଦେଇଛନ୍ତି। ଋଷି ସୁନକ ୨୦୧୫ରେ ପ୍ରଥମ ଥର ପାଇଁ ଏମ୍ପି ହୋଇଥିଲେ ଏବଂ ରିଚ୍ମଣ୍ଡ, ୟର୍କସାୟାର୍ରୁ ନିର୍ବାଚନ ଜିତିଥିଲେ। କଞ୍ଜରଭେଟିଭ୍ (ଟୋରି) ଦଳରେ ଖୁବ୍ ଶୀଘ୍ର ତାଙ୍କର ଉତ୍ଥାନ ହେଲା ଏବଂ ୨୦୨୦ରେ ବୋରିସ୍ ଜନସନଙ୍କ ଦ୍ବାରା ଚାନ୍ସେଲର ଅଫ୍ ଦ ଏକ୍ସଚେକର (ଅର୍ଥମନ୍ତ୍ରୀ) ଭାବେ ନିଯୁକ୍ତି ମିଳିଲା। ମହାମାରୀ ସାରା ଦେଶ ଓ ବିଶ୍ବକୁ କବଳିତ କରିଥିବା ସମୟରେ ବ୍ୟବସାୟୀ ଓ ଚାକିରିଜୀବୀ ଗୋଷ୍ଠୀଙ୍କ ପାଇଁ ତାଙ୍କର ଆର୍ଥିକ ପ୍ୟାକେଜ୍ ନିମନ୍ତେ ସେ ଲୋକପ୍ରିୟ ହୋଇଉଠିଥିଲେ।
ତେବେ ସୁନକଙ୍କ ସ୍ତ୍ରୀ ପୈତୃକ ଉତ୍ତରାଧିକାର ସୂତ୍ରରେ ବହୁକୋଟି ଟଙ୍କାର ମାଲିକ ହେଲେ ମଧ୍ୟ ଏପର୍ଯ୍ୟନ୍ତ ଭାରତୀୟ ନାଗରିକ ହୋଇ ରହିଥିବାରୁ ଏବଂ ସେ ବ୍ରିଟିଶ ନାଗରିକତ୍ବ ଗ୍ରହଣ କରି ନ ଥିବାରୁ ଇଂଲଣ୍ଡରେ ତାଙ୍କୁ ଟିକସ ଦେବାକୁ ପଡ଼ୁ ନାହିଁ। ଏଥି ସହ ପାର୍ଟିଗେଟ୍ ସ୍କାଣ୍ଡାଲ ଯୋଗୁ କିଛି ଲୋକ ଏହାକୁ ସୁନଜରରେ ଦେଖନ୍ତି ନାହିଁ। ଯଦି ସୁନକ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହି ଉଚ୍ଚ ପଦ ହାସଲ କରିବାରେ ସେ ହେବେ ପ୍ରଥମ ଭାରତୀୟ, ଏପରିକି ପ୍ରଥମ ଏସୀୟ ବଂଶୋଦ୍ଭବ।
Follow Us