୨୦ କୋଟି କୋଭାକ୍ସିନ ଟିକା ନଷ୍ଟ ଆଶଙ୍କା, ସରିଯିବ ବ୍ୟବହାର ଅବଧି

Advertisment
୨୦ କୋଟି କୋଭାକ୍ସିନ ଟିକା ନଷ୍ଟ ଆଶଙ୍କା, ସରିଯିବ ବ୍ୟବହାର ଅବଧି

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଆରମ୍ଭରେ ଲୋକମାନେ ଟିକା ପାଇଁ ଚାହି ବସିଥିଲେ। ସେହି ସମୟରେ ଲୋକଙ୍କୁ ଟିକା ଯୋଗାଇ ଦିଆଯାଇ ପାରୁ ନଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ଦେଶରେ ଚାହିଦା ନଥିବା କାରଣରୁ ଟିକା ଉତ୍ପାଦନ ହେବା ପରେ କମ୍ପାନି ନିକଟରେ ପଡ଼ି ରହିଛି। ପରିସ୍ଥିତି ଏପରି ହୋଇଛି ଯେ ଅନେକ କୋଟି ଟିକାର ଅବଧି ଶେଷ ହେବାକୁ ବସିଲାଣି। ହାଇଦ୍ରାବାଦଭିତ୍ତିକ ଘରୋଇ କମ୍ପାନି ଭାରତ ବାୟୋଟେକ ପକ୍ଷରୁ ଉତ୍ପାଦନ ହୋଇଥିବା ୨୦ କୋଟିରୁ ଅଧିକ କୋଭାକ୍ସିନ ଡୋଜ୍‌ ଟିକାର ଅବଧି ଆସନ୍ତାବର୍ଷର ପ୍ରଥମ କିଛିମାସ ‌ବେଳକୁ ଶେଷ ହୋଇଯିବ। ଏତେ ସଂଖ୍ୟକ ଟିକା ଡୋଜ୍ ନଷ୍ଟ ହେଲେ ଭାରତ ବାୟୋଟେକକୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ୨୦୨୩ର ପ୍ରଥମ କିଛି ମାସ ମଧ୍ୟରେ ୨୦ କୋଟି ଡୋଜ୍ କୋଭାକ୍ସିନ ଟିକା ଏବଂ ୫ କୋଟି ଭାଏଲର ଅବଧି ଶେଷ ହୋଇଯିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। କମ୍ପାନି ଚଳିତବର୍ଷ କିଛିମାସ ପୂର୍ବରୁ ଉକ୍ତ ଟିକାର ଉତ୍ପାଦନ ବନ୍ଦ କରିସାରିଛି।

ଉଲ୍ଲେଖଯୋଗ୍ୟ, ‌‌ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ନିର୍ମିତ କୋଭିସିଲ୍‌ଡ ସମେତ କୋଭାକ୍ସିନ ଟିକା ଦେଶରେ ମୁଖ୍ୟତଃ ଲୋକଙ୍କୁ ପ୍ରଦାନ କରାଯାଇଛି। ଦେଶରେ ଅଧିକାଂଶ ଲୋକ ଦୁଇଟି ଯାକ ଡୋଜ୍ ଟିକା ନେଇସାରିଛନ୍ତି। ଏହାସହିତ ପୁନଃସଂକ୍ରମଣ ହାର କମ୍ ରହିବା କାରଣରୁ ଦେଶରେ ଲୋକମାନେ ବୁଷ୍ଟର ଡୋଜ୍ ନେବାକୁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ସରକାରୀ ତଥ୍ୟ ଅନୁସାରେ ଦେଶରେ ୯୮ ପ୍ରତିଶତରୁ ଅଧିକ ସାବାଳକ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ନେଇସାରିଛନ୍ତି। ୯୨ ପ୍ରତିଶତ ଲୋକଙ୍କୁ ଦୁଇ ଡୋଜ୍ ଟିକା ନେଇଛନ୍ତି।

ଏହି କାରଣରୁ ସରକାର କୋଭିଡ-୧୯ ଟିକା ଅଧିକ ମାତ୍ରାରେ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ନିକଟରେ ଟିକା ରହିଥିବାରୁ ଅଧିକ ଟିକା ସଂଗ୍ରହର ଆବଶ୍ୟକତା ନାହିଁ। ଏଥିସହିତ ଦେଶର ପ୍ରଥମ ଏମ୍‌ଆର୍‌ଏନ୍‌ଏ ଟିକା ଯାହାକୁ ଭାରତର ଔଷଧ ମହାନିୟନ୍ତ୍ରକ ମଞ୍ଜୁରି ଦେଇଛନ୍ତି ତାହା ମଧ୍ୟ ବିକ୍ରି ହେବାର ସମ୍ଭାବନା କମ୍ ରହିଛି। କାରଣ ସରକାର ବର୍ତ୍ତମାନ ସୁଦ୍ଧା ଏହି ଟିକା କିଣିନାହାନ୍ତି। ଏଥିସହିତ ଦେଶରେ ଟିକାର ଚାହିଦା ମଧ୍ୟ ହ୍ରାସ ପାଇଛି। ଗତ କିଛିମାସ ହେଲା ଘରୋଇ ଡାକ୍ତରଖାନା ଗୁଡ଼ିକରେ ଟିକାକରଣରେ ବୃହତ୍ ହ୍ରାସ ଦେଖାଦେଇଛି। ନିକଟରେ ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା ମଧ୍ୟ କହିଥିଲେ କମ୍ପାନିକୁ ୧୦ କୋଟି କୋଭିସିଲ୍‌ଡ ଟିକା ନଷ୍ଟ କରିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe