ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥର ବଦଲାପୁରରେ ଘଟିଥିବା ଘଟଣାକୁ ନେଇ ତାଙ୍କ କ୍ରୋଧ ଉଗ୍ର ରୂପ ନେଇଛି।
ମହାରାଷ୍ଟ୍ରର ବାଦଲାପୁରରେ ସ୍କୁଲରେ ଦୁଇ ନିରୀହ ୪ବର୍ଷର ଶିଶୁଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଛି। ଲୋକେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଏହି କ୍ରମରେ ରିତେଶ ଦେଶମୁଖ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରିତେଶ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- 'ପିତାମାତା ଭାବରେ ମୁଁ ସମ୍ପୂର୍ଣ୍ଣ ନିରାଶ, ଦୁଃଖିତ ଏବଂ କ୍ରୋଧିତ !! ୪ବର୍ଷର ଦୁଇଜଣ ଶିଶୁଙ୍କୁ ବିଦ୍ୟାଳୟର ପୁରୁଷ ପରିମଳ କର୍ମଚାରୀ ଯୌନ ନିର୍ଯାତନା ଦେଇଥିଲେ।'
ବିଦ୍ୟାଳୟଗୁଡ଼ିକକୁ ପିଲାମାନଙ୍କ ପାଇଁ ନିଜ ଘର ଭଳି ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରାଯାଏ। ଏଭଳି ସ୍ଥାନରେ ଦୁଇଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ରାକ୍ଷସକୁ କଠୋର ଦଣ୍ଡ ଦିଆଯିବା ଉଚିତ୍ । ଛତ୍ରପତି ଶିବାଜୀ ମହାରାଜ ତାଙ୍କ ସମୟରେ ଦୋଷୀମାନଙ୍କୁ ସେମିତି ଦଣ୍ଡ ଦେଉଥିଲେ ଯାହା ପାଇଁ ସେମାନେ ଯୋଗ୍ୟ। ଆମକୁ ଏହି ନିୟମଗୁଡ଼ିକୁ ପୁଣି କାର୍ଯ୍ୟକାରୀ କରିବାକୁ ପଡିବ ।
ରିତେଶଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଲୋକ ଏହି ପୋଷ୍ଟକୁ ନେଇ ନିଜନିଜର ପ୍ରତିକ୍ରିୟା ଦେଉଛନ୍ତି।
Follow Us